କୃତିବାସ ପାଟ୍ଟଶାଣୀ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ୧୮୩୬ ମସିହାରେ ବାଣପୁରରେ ସଶସ୍ତ୍ର ସଂଗ୍ରାମ କରି ତିନି ଦିନ ପାଇଁ ଏହାକୁ ସ୍ୱାଧୀନ କରି ଦେଇଥିଲେ । ବାଣପୁର ପାଇକ ବିଦ୍ରୋହର ସେ ଥିଲେ ନେତା ।ପରେ ଆତ୍ମୀୟଙ୍କ ବିଶ୍ୱାସଘାତକତା ଯୋଗୁଁ ତାଙ୍କୁ ଇଂରେଜ ସରକାର ଗିରଫ କରି ଫାସୀ ଦେଇଥିଲେ ।
- କୃତିବାସ ପାଟ୍ଟଶାଣୀ
- ଜନ୍ମ ଓ ଜନ୍ମସ୍ଥାନ-୧୭୯୮, ଅଡ଼ଙ୍ଗ, ଖୋର୍ଦ୍ଧା
- ଜାତୀୟତା-ଭାରତୀୟ
- ଜୀବିକା-ସେନାପତି
- ପ୍ରସିଦ୍ଧି-ବାଣପୁର ବିଦ୍ରୋହ
- ପିତା- ଶ୍ରୀ ଶ୍ୟାମସୁନ୍ଦର ପାଟ୍ଟଶାଣୀ
୧୮୦୪ ମସିହା ବେଳକୁ ଇଂରେଜ ବିରୋଧୀ ଆନ୍ଦୋଳନ କ୍ରମଶଃ ଦାନା ବାନ୍ଧି ଆସୁଥାଏ। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ସଂଘଟିତ ହୋଇଗଲା ୧୮୧୭ ମସିହାରେ। ଏହାର ପରେ ପରେ ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ତେଜି ଉଠୁଥାଏ, ବ୍ୟାପି ଯାଉଥାଏ ଓଡ଼ିଶାର କୋଣ ଅନୁକୋଣକୁ, ବିଶେଷ କରି ଖୋର୍ଦ୍ଧା ଜିଲ୍ଲାର ସବୁସ୍ଥାନକୁ।
୧୮୧୭ରୁ ଆରମ୍ଭ ହୋଇ ୧୮୨୫ରେ ପାଇକ ବିଦ୍ରୋହ ପରିସମାପ୍ତ ଘଟିଥିଲେ ମଧ୍ୟ ସେଇ ବିଦ୍ରୋହର ରୂପରେଖ ୧୮୩୬ ଯାଏଁ ପରିବ୍ୟାପ୍ତ ଥିଲା। ୧୮୨୭ରେ ତାପଙ୍ଗ ବିଦ୍ରୋହ (ନେତୃତ୍ୱ-ମାଧବଚନ୍ଦ୍ର ଦଳବେହେରା) ପରେ ବାଣପୁର ଅଞ୍ଚଳରେ ୧୮୩୬ ମସିହାରେ ବ୍ରିଟିଶ୍ ବିରୋଧୀ ବିଦ୍ରୋହ ସଙ୍ଗଠିତ ହୋଇଥିଲା। ଯାହାର ନେତୃତ୍ୱ ନେଇଥିଲେ ଅରାଙ୍ଗଗଡ଼ର ଦଳବେହେରା ତଥା ମୁକ୍ତି ସଂଗ୍ରାମର ମହାରଥୀ କୃତ୍ତିବାସ ପାଟ୍ଟଶାଣୀ, ଯାହାଙ୍କ ଦ୍ୱାରା ୧୮୩୬ ମସିହା ଜୁନ୍ ୪,୫ ଓ ୬ ତାରିଖ ୩ ଦିନ ଧରି ବାଣପୁର ଅଞ୍ଚଳ ସ୍ୱାଧୀନ ହୋଇପାରିଥିଲା। କୁହାଯାଏ-ପରାଧୀନ ଭାରତରେ ଓଡ଼ିଶାର ବାଣପୁର ଅଞ୍ଚଳ ହିଁ ପ୍ରଥମେ ସ୍ୱାଧୀନତାର ସ୍ପର୍ଶ ଅନୁଭବ କରିପାରିଥିଲା।
ଏହି ସମୟରେ ବାଣପୁରର ବିପ୍ଳବ ଆରମ୍ଭ ହୋଇଗଲା, କୃତ୍ତିବାସ ପାଟ୍ଟଶାଣୀ ନାମକ ଜଣେ ସ୍ଵାଧୀନଚେତା ଦଳବେହେରାଙ୍କ ନେତୃତ୍ୱରେ। ସେ ଥିଲେ ଅରଙ୍ଗଗଡର ପୂର୍ବତନ ଦଳବେହେରା ଶ୍ୟାମସୁନ୍ଦର ପାଟ୍ଟଶାଣୀଙ୍କ ପୁତ୍ର। ଜନ୍ମ ଗ୍ରହଣ କରିଥିଲେ ୧୭୯୮ ମସିହାରେ। ବଡ଼ ହେବା ପରେ ୧୮୦୪ର ଖୋର୍ଦ୍ଧା ବିଦ୍ରୋହ ଏବଂ ପାଇକ ବିଦ୍ରୋହର ଘଟଣାଗୁଡ଼ିକ ଜାଣି ତାଙ୍କର ରକ୍ତ ଉଷ୍ଣ ହୋଇଆସୁଥିଲା। ତେଣୁ ଇଂରେଜମାନଙ୍କୁ ତଡିବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ।
କୃତ୍ତିବାସ ପାଟ୍ଟଶାଣୀଙ୍କ ବାଣପୁର ବିଦ୍ରୋହ
କୃତ୍ତିବାସ ପାଟ୍ଟଶାଣୀଙ୍କୁ ସହଯୋଗ ଦେଇଥିଲା କନ୍ଧ ସର୍ଦ୍ଦାର-ଲୋଚନ। ତା’ର ଜନ୍ମସ୍ଥାନ-ଘୁମୁସରା। ହେଲେ ସେ ବାଣପୁର ମାଳ ଭିତରେ ଘର କରି ରହୁଥିଲେ। ଦେହରେ ତାଙ୍କର ହାତୀର ବଳ, ଛାତିରେ ସିଂହର ସାହସ। ଧନୁବିଦ୍ୟାରେ ଧୁରନ୍ଧର।
କୃତ୍ତିବାସ ପାଟ୍ଟଶାଣୀ ଖବର ନେଲେ ଖୋର୍ଦ୍ଧାରେ ଫ୍ଲେମିଙ୍ଗ୍ ସାହେବ ଡେରା ପକାଇଛନ୍ତି। ସେ ଦୁଇଜଣ ଯୁବକଙ୍କୁ ହତ୍ୟା ପାଇଁ ପଠାଇଥିଲେ। ଯଦିଓ ସେ ଦୁହେଁ ସଫଳ ହୋଇନଥିଲେ। ତଥାପି ବିଚାର ବେଳେ ତାଙ୍କୁ ହତ୍ୟା ପାଇଁ ଚେଷ୍ଟା ଅଭିଯୋଗରେ ଅଭିଯୁକ୍ତ କରାଯାଉଥିଲା।୧୮୧୭ ପାଇକ ବିଦ୍ରୋହ ପୂର୍ବରୁ ବକ୍ସି ବାରମ୍ବାର ବାଣପୁର ଅଞ୍ଚଳ ଆସୁଥିଲେ। ବାଣପୁର ତାଙ୍କର ପ୍ରିୟ ଭୂମି ଥିଲା। ହେଲେ ଫିରିଙ୍ଗମାନେ ଯେତେବେଳ କଟକଣା ଜାରି କଲେ, ସେତେବେଳେ ବକ୍ସି ଆଉ ବାଣପୁର ଆସିପାରିଲେ ନାହିଁ। ତାଙ୍କର କୃତ୍ତିବାସ ପାଟ୍ଟଶାଣୀଙ୍କ ଉପରେ ଯଥେଷ୍ଟ ଭରସା ଥିଲା। ପାଇକ ବିଦ୍ରୋହ ବେଳେ କୃତ୍ତିବାସ ପାଟ୍ଟଶାଣୀ ବାଣପୁର ଅଞ୍ଚଳରେ ବିଦ୍ରୋହ ପରିଚାଳନା କରୁଥିଲେ। ବାଣପୁର ବିଦ୍ରୋହ ପାଇକ ବିଦ୍ରୋହର ଅଂଶବିଶେଷ ହୋଇଥିଲେ ମଧ୍ୟ କେତେକ ସ୍ୱତନ୍ତ୍ର କାରଣରୁ ଏହାକୁ ‘ପଞ୍ଚୁଆ ଫତୁରୀ’ ବୋଲି କୁହାଯାଏ। ଫତୁରୀ ର ଅର୍ଥ ମେଳି।
୧୮୩୬ ମସିହା ଜୁନ୍ ମାସ। କୃତ୍ତିବାସଙ୍କ ନେତୃତ୍ୱରେ ପୁଣିଥରେ ବିଦ୍ରୋହ ମୁଣ୍ଡ ଟେକିଲା। ସେତେବେଳେ ବାଣପୁରରେ ନୂଆକରି ଥାନା ହୋଇଥାଏ। ଦୁଇ ତିନୋଟି ଫାଣ୍ଡି ଓ ଡାକବଙ୍ଗଳା ଥାଏ। ଗୋରା ଓ କଳା ପଲଟଣ ‘ପଲଟଣ ପଡ଼ିଆ’ରେ ଛାଉଣି ପକାଇ ରହୁଥିଲେ। ରାତି ଅଧିଆ ଥାନା ଉପରେ ଚଢ଼ାଉ ହେଲା। କେତେ ପୋଲିସ୍ ମଲେ। ଥାନା ଘରେ ନିଆଁ ଲଗାଇ ଦିଆଗଲା। ଡାକବଙ୍ଗଳାରେ ନିଆଁ ଲଗାଯିବା ସହ ଖଜଣା ଟଙ୍କା ଲୁଟ୍ କରି ନିଆଗଲା।
ଯୁଦ୍ଧ ଘମାଘୋଟ ହେଲା। ଶତ୍ରୁମାନଙ୍କୁ ଭୁଆଁ ବୁଲାଇ ପାହାଡ଼ ଖୋଲ ଭିତରେ ପୂରାଇ ପଥର ଗଡ଼ାଇ ଶରମାରି ଆକ୍ରମଣ କରାଗଲା। ଇଂରେଜ ଫୌଜମାନେ ପ୍ରାଣ ବିକଳରେ ବାଣପୁର ଅଞ୍ଚଳ ଛାଡ଼ି ପଳାଇ ଗଲେ। ସମ୍ପୂର୍ଣ୍ଣ ବାଣପୁର ବିଦ୍ରୋହୀମାନଙ୍କର ହାତ ମୁଠାକୁ ଆସିଗଲା।
ରାଜା ହେବ କିଏ? ଭାଳେଣି ପଡ଼ିଲା। ବୁଦ୍ଧିମାନ କୃତ୍ତିବାସ ପାଟ୍ଟଶାଣୀ ଅଭିନବ ଉପାୟ ଚିନ୍ତା କଲେ। ପଞ୍ଚୁଆ ବୋଲି ଗଡ଼ରୋଡ଼ଙ୍ଗ ଅଞ୍ଚଳରେ ଏକ ଗଉଡ଼ ବଳଦ କିଣିବା ପାଇଁ ବାଣପୁର ଆସିଥିଲା। ତା’ ଚେହେରା ବକ୍ସିଙ୍କ ଚେହେରା ସହ ପ୍ରାୟ ମିଶୁଥିଲା। କୃତ୍ତିବାସ ପଞ୍ଚୁଆକୁ ଅଭୟ ଦେଇ ବକ୍ସି ବେଶରେ ସଜେଇ ଦେଲେ। ମଗରମୁହଁ ପାଲିଙ୍କିରେ ବସେଇ, ଛତ୍ରିତ୍ରାସ ଆଡେଣୀ ବୈରେଖ ଟେକି, ବୀରତ୍ୱର କାହାଳି ବଜାଇ, ମଣିମା ଡାକ ପକାଇ ପଟୁଆର କରି ଗାଁ ଗାଁ ବୁଲାଇଲେ। ଲୋକଙ୍କର ବିଶ୍ୱାସ ହେଲା ଫିରିଙ୍ଗ ବାଣପୁର ଛାଡ଼ି ଚାଲିଯାଇଛି। ପଞ୍ଚାନନ ନାୟକ ଓରଫ ପଞ୍ଚୁଆ ହେଲା ରାଜା।
ତା’ ନାଆଁ ଦିଆଗଲା-ରାଜା ଶରଣ ସିଂହ। ଲୋଚନ ବିଶୋଇ ହେଲେ ମନ୍ତ୍ରୀ ଓ କୃତ୍ତିବାସ ପାଟ୍ଟଶାଣୀ ହେଲେ ସେନାପତି। ବାଣପୁରର ଏହି ବିଦ୍ରୋହ ବା ମେଳିକୁ ‘ପଞ୍ଚୁଆ ଫତୁରୀ’ ବୋଲି କୁହାଯାଏ।
କୃତ୍ତିବାସ ବାଣପୁରର ପୂର୍ବ ରାଜଧାନୀ ବଙ୍କାଡ଼ଗଡ଼ରେ ଲୋଚନ ସହ କେତେକ କନ୍ଧ ପାଇକଙ୍କୁ ଧରି ଅବସ୍ଥାନ କଲେ। ବିଦ୍ରୋହୀ ବାଣପୁର ଦଖଲ କଲା ପରେ ଟାଙ୍ଗୀ ଥାନା ଅଭିମୁଖେ ଟାଙ୍ଗୀ ଯାତ୍ରା କଲେ। କେତେକ ବିଶ୍ୱାସଘାତକଙ୍କ ଯୋଗୁଁ ପଞ୍ଚୁ ନାୟକ ଓରଫ ପଞ୍ଚୁଆ ରାଜା ଓ ଲୋଚନ ବିଶୋଇ ଧରା ପଡ଼ି ଫାଶୀ ପାଇଲେ। ମାତ୍ର ୩ ଦିନ ମଧ୍ୟରେ ବାଣପୁର ପୁନଶ୍ଚ ସ୍ୱାଧୀନତା ହରାଇ ବସିଲା।
ମେଳି ବା ଫତୁରୀ ଦମନ ପରେ କୃତ୍ତିବାସ ବଣ ଜଙ୍ଗଲ ମଧ୍ୟରେ ଘୂରି ବୁଲିଲେ। ନିଜ ଖୁଡ଼ୁତାଶୁର ଚମ୍ପାଝର ଦଳବେହେରା ବାସୁଦେବ ନରେନ୍ଦ୍ର ସିଂହଙ୍କ ଚକ୍ରାନ୍ତରେ ଫିରିଙ୍ଗ ହାତରେ ଧରା ପଡ଼ିଲେ।କୃତ୍ତିବାସଙ୍କ ଶଶୁର ବାସୁଦେବ ନରେନ୍ଦ୍ର ସିଂ, ଯେ କି ଜଣେ ଜଣାଶୁଣା ବ୍ୟବସାୟୀ ମଧ୍ୟ ଥିଲେ ଶେଷରେ ନିଜ ଜ୍ବାଇଁଙ୍କୁ ଗିରଫ କରାଇଦେଇଥିଲେ, ଭୁଷଣ୍ଡପୁର ଠାରେ ଥିବା ଉଗ୍ରତାରା ମନ୍ଦିରରେ। ଘଟଣା ଥିଲା ଏହିପରି – ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କଲେ ଜ୍ବାଇଁ ଏବଂ ତାଙ୍କର ବନ୍ଧୁ ଶରଣ ସିଂହଙ୍କୁ। ଇଂରେଜ ମାନଙ୍କୁ ଖବର ଦେଇଦେଲେ। ଖାଉଥିବା ସମୟରେ ଇଂରେଜ ସୈନ୍ୟ ସେଠାରେ ପହଞ୍ଚି ଗିରଫ କରିନେଲେ ଏହି ଦୁଇ ବୀରପୁତ୍ରଙ୍କୁ। ନୟାଗଡ଼ ଜେଲ କୁ ସ୍ଥାନାନ୍ତରିତ କରାଯାଇଥିଲା ସେମାନଙ୍କୁ ସଙ୍ଗେ ସଙ୍ଗେ। ବିଚାର କରି ବ୍ରିଟିଶ୍ ଶାସନ ସେମାନଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ। ମାତ୍ର ଏ ସମ୍ପର୍କରେ ଅନ୍ୟ ଏକ ମତ ଅନୁସାରେ କୃତ୍ତିବାସଙ୍କୁ କଳାପାଣି ଦଣ୍ଡ ଦିଆଯାଇଥିଲା ଓ ଆଣ୍ଡାମାନ ଦ୍ଵୀପକୁ ପଠାଇ ଦିଆଯାଇଥିଲା। ତାଙ୍କ ବିରୋଧରେ ରାଜଦ୍ରୋହ, ନରହତ୍ୟା, ହତ୍ୟା ପାଇଁ ଚେଷ୍ଟା, ଲୁଣ୍ଠନ, ଡକାୟତି ଓ ଅରାଜକତା ଆଦି ଅଭିଯୋଗ ଅଣାଗଲା। ସେ କୌଣସି ପ୍ରଶ୍ନର ଉତ୍ତର ଦେଲେ ନାହିଁ କି ତଳେ ମୁଣ୍ଡ ନୁଆଁଇଲେ ନାହିଁ। ଶେଷରେ ଦ୍ୱୀପାନ୍ତର ଆଦେଶ ଦେଲା। ଲୋଚନକୁ ମୁର୍ଖ ବଣୁଆ କନ୍ଧ କହି ଖଲାସ କରି ଦିଆଗଲା। ମାତ୍ର ସେ କହିଲା, “ମୁଁ ମୁର୍ଖ ବଣୁଆ କନ୍ଧ ନୁହେଁ। ମୁଁ ଫତୁରୀର ମୂଳ। ମୁଁ ନିଶ୍ଚୟ ମୋ ସାଆନ୍ତ ସଙ୍ଗେ କଳାପାଣି ଯିବି।
ବାଣପୁର ବିଦ୍ରୋହ ସଂକ୍ଷିପ୍ତ ଇତିହାସ
- ପ୍ରାଥମିକ ପଦକ୍ଷେପ ସ୍ବରୂପ ୧୮୩୬ ମସିହା ଜୁନ ଏକ ତାରିଖରେ ଆହ୍ବାନ ଦେଇଥିଲେ ଏକ ପାଇକ ସମ୍ମିଳନୀ ପାଇଁ। ଏଥିରେ ଯୋଗ ଦେଇଥିଲେ ରୋଢଙ୍ଗର ଦଳବେହେରା ପଞ୍ଚାନନ ନାୟକ ଓ ଖୋର୍ଦ୍ଧାର ଲୋଚନ ବିଷୋୟୀ । କେତେକ କହିଲେ ଯେ, ଲୋଚନ ବିଷୋୟୀ ଜଣେ ନୀଚ ଜାତିର ଲୋକ, ସେ ଦଳବେହେରା ନୁହଁନ୍ତି। ତେଣୁ କୃତ୍ତିବାସ ପାଟ୍ଟଶାଣୀ ସେଠାରେ ପଞ୍ଚାନନ ନାୟକଙ୍କୁ ଶରଣ ସିଂହ ନାମ ଦେଇ ରାଜା ବୋଲି ଘୋଷଣା କଲେ। ତାପରେ ରାଜା ଶରଣ ସିଂହ କୃତ୍ତିବାସଙ୍କୁ ତାଙ୍କର ପାଟମନ୍ତ୍ରୀ ଓ ସେନାପତି ଭାବେ ଦାୟିତ୍ଵ ଦେଲେ। ତାଙ୍କୁ ସହାୟତା କରିବାକୁ ଲୋଚନ ବିଷୋୟୀ ନିଯୁକ୍ତି ପାଇଥିଲେ।
- ଠିକ୍ ପରେ ପରେ ସହସ୍ରାଧିକ ଦଳବେହେରା, ଦଳେଇ ନାୟକ ଓ ପାଇକ କୃତ୍ତିବାସଙ୍କ ଛତ୍ର ତଳେ ଏକତ୍ରିତ ହୋଇଥିଲେ। ତାଙ୍କର ନିର୍ଦ୍ଦେଶ କ୍ରମେ ସେମାନେ ସମସ୍ତେ ବାଣପୁର ଥାନା ଦଖଲ କରିନେଲେ। ଥାନା ଭିତରେ ପଶି କାଗଜପତ୍ର ପୋଡ଼ି ଦେବା ସହ ଧନସମ୍ପତି ଲୁଟ୍ କରିନେଲେ। ଜୁନ ମାସ ଚାରି ତାରିଖରେ ବାଣପୁର ସ୍ଵାଧୀନ ହେଲା ବୋଲି ଘୋଷଣା କଲେ ରାଜା ଶରଣ ସିଂହ। ଦୁର୍ଭାଗ୍ୟର ବିଷୟ ଯେ, ଏହି ସ୍ଵାଧୀନତା ମାତ୍ର ତିନି ଦିନ ଧରି ରହିଲା। କେତେକ ଐତିହାସିକଙ୍କ ମତରେ ସମଗ୍ର ଭାରତରେ ଏହି ପଦକ୍ଷେପ ପ୍ରଥମ।
- ପରେ ପରେ ଏହି ଆନ୍ଦୋଳନର ସଫଳତା ରେ ଉତ୍ସାହିତ ହୋଇ ଆଉ ଏକ ସମାବେଶ ଆୟୋଜିତ ହୋଇଥିଲା ଚିଲିକା ନିକଟସ୍ଥ ଭୀମପୁର ଗ୍ରାମରେ। ସେଠାରେ ସ୍ଥିର କରାଗଲା ଯେ, ଆଠ ତାରିଖରେ ଟାଙ୍ଗୀ ଥାନା ଉପରେ ଆକ୍ରମଣ କରାଯିବ। ସେହି ସଭାକାର୍ଯ୍ୟ ଚାଲିଥିବା ବେଳେ ସେଠାରେ ଥିବା ବ୍ୟବସାୟୀଗୋଷ୍ଠୀ ବିଶ୍ବାସଘାତକତା କରି ଇଂରେଜ ସୈନ୍ୟଙ୍କୁ ନିମନ୍ତ୍ରଣ କଲେ ଓ କୃତ୍ତିବାସ ପାଟ୍ଟଶାଣୀ, ଶରଣ ସିଂହ, ଲୋଚନ ବିଷୋୟୀଙ୍କ ସମେତ ଅନ୍ୟ କେତେକ ସାଥୀଙ୍କୁ ଧରାଇ ଦେଲେ। ଏହା ଥିଲା ଜାତି ଇତିହାସ ପୃଷ୍ଠାରେ ଏକ କଳଙ୍କିତ ରୂପ। ମାତ୍ର ନିଜର ଅଭିଜ୍ଞତାକୁ ଭିତ୍ତି କରି କୌଶଳକ୍ରମେ କୃତ୍ତିବାସ ପାଟ୍ଟଶାଣୀ ଓ ଶରଣ ସିଂହ ଖସି ପଳାଇ ଯାଇଥିଲେ।
କୁହାଯାଏ କୃତ୍ତିବାସ ଆଣ୍ଡାମାନରେ ଥିବା ବେଳେ କର୍ଜନ ବୋଲି ଜଣେ ଅଧିକାରୀ ତାଙ୍କ ସ୍ତ୍ରୀଙ୍କ ସହ ସେଠାକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ତାଙ୍କ ସ୍ତ୍ରୀଙ୍କ ଦେହ ଖରାପ ହେଲା। କୃତ୍ତିବାସ ପିଲାଦିନରୁ ଶିକ୍ଷା କରିଥିବା ମନ୍ତ୍ରତନ୍ତ୍ର ପ୍ରୟୋଗ କରି ତାଙ୍କୁ ଭଲ କରିବାରେ ସଫଳ ହେଲେ। ତାଙ୍କ ସ୍ତ୍ରୀଙ୍କୁ ଭଲ କରିଦେଲେ। କୃତଜ୍ଞତାର ନିଦର୍ଶନ ସ୍ବରୂପ କର୍ଜନ କୃତ୍ତିବାସଙ୍କୁ ଖଲାସ କରିବା ପାଇଁ ପ୍ରତିଶ୍ରୁତି ଦିଅନ୍ତେ ଏହି ସ୍ଵାଭିମାନୀ ଓଡିଆ ପୁଅ ଉତ୍ତରରେ କହିଥିଲେ “ଯେଉଁଦିନ ଆପଣ ମୋତେ ମୋ ଶଶୁରଙ୍କ କଟାମୁଣ୍ଡ ଆଣି ଦେଇପାରିବେ, ସେଦିନ ମୁଁ ଓଡ଼ିଶାକୁ ଫେରିବି।” ଏହି ପ୍ରକାର ଉତ୍ତର କେବେ ଆଶା କରିନଥିଲେ ସେହି ଇଂରେଜ ସାହେବ। ଏହି ପରି ବଳବତ୍ତର ରହିଲା କୃତ୍ତିବାସଙ୍କ ଇଛା। ସେହିଠାରେ ଜୀବନ ନିର୍ବାପିତ ହେଲା ଜଣେ ସ୍ଵାଭିମାନୀ, ସ୍ଵାଧୀନଚେତା, ବୀର ଓଡ଼ିଆ ପୁଅର। ବିଶ୍ବାସଘାତକତା ନଥିଲେ, ଦେଶ ମାତୃକାର ଏହି ସୁଯୋଗ୍ୟ ସନ୍ତାନ ଯେ ସ୍ଵାଧୀନତା ସଂଗ୍ରାମରେ ଆଉ ଏକ ଅଧ୍ୟାୟ ଯୋଡ଼ି ଥାଆନ୍ତେ ଏଥିରେ ସନ୍ଦେହ ନାହିଁ।
ସେହି ଦୃଷ୍ଟିରୁ ତାଙ୍କର ଜୀବନଚର୍ଯ୍ୟା ଓଡ଼ିଆ ମାନଙ୍କର ଧ୍ୟେୟ। ସେ ହିଁ ଯଶୋଦେହେ ଆୟୁଷ୍ମାନ, କୃତ୍ତିବାସ ପାଟ୍ଟଶାଣୀ।
Tag: କୃତ୍ତିବାସ ପାଟଶାଣୀ ଙ୍କ ଜୀବନୀ, Krutibas patasani Biography in Odia, କୃତ୍ତିବାସ ପାଟଶାଣୀ, ବାଣପୁର ବିଦ୍ରୋହ, Krutibas patasani, Paika Vidroha, ପାଇକ ବିଦ୍ରୋହ, Paika rebellion, Banapur Vidroh, Banapur Rebellion