Mahima dharma in Odia | Mahima dharma Opsc | Mahima dharma introduction | Mahima dharma Odia | Mahima dharma itihas | Mahima dharma prabachan | Odia Mahima dharmaମହିମା ଧର୍ମ -Mahima Dharma in Odia: ମହିମା ଧର୍ମ ଓଡ଼ିଶାର ନିଜସ୍ୱ ଧର୍ମ । ମହିମା ଧର୍ମ (ପୂରା ନାମ "ସତ୍ୟ ସନାତନ ମହିମା ଅଲେଖ ଧର୍ମ") ଏହାକୁ କୁମ୍ଭୀରପଟିଆ ଧର୍ମ ମଧ୍ୟ କୁହାଯାଏ। ମୁଖ୍ୟତଃ ଓଡ଼ିଶା ଓ ଏହାର ଆଖପାଖ ରାଜ୍ୟମାନଙ୍କରେ ପ୍ରଚଳିତ ଏହା ଏକ ଅଦ୍ୱୈତ ସାମାଜିକ-ଧର୍ମଧାରା। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଏକେଶ୍ୱର ଧର୍ମ ବା ମନୋଥେଇଜମ ଭାବରେ ମହିମା ଧର୍ମର ବ୍ୟାପକ ପ୍ରତିଷ୍ଠା ରହିଛି। ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ ଜୀବନାଦର୍ଶ କେବଳ ମହିମାବଲମ୍ବୀଙ୍କ ଭିତରେ ସୀମିତ ନୁହେଁ, ଏହା ଏକ ସାର୍ବଜନୀନ ଆଦର୍ଶ। ଏହି ଧର୍ମ ଏକ ସଂସ୍କାରବାଦୀ ଧର୍ମ।
କହିବା ବାହୁଲ୍ୟ ଯେ ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ମହିମା ଗୋସେଇଁ (୧୮୨୬-୧୮୭୬) ଓ ଏହାର ମୁଖ୍ୟ ପ୍ରଚାରକ ଭୀମଭୋଇ (୧୮୪୬-୧୮୯୫)। ଏହା ଉନବିଂଶ ଶତାବ୍ଦୀରେ ସମାଜର ନିମ୍ନ ଜାତି ଭାବେ ଜଣା ଜାତିର ଲୋକଙ୍କଦ୍ୱାରା ବ୍ରାହ୍ମଣବାଦର ବିରୋଧରେ ଏକ ନୂତନ ଆନ୍ଦୋଳନ ଭାବେ ଆରମ୍ଭ ହୋଇଥିଲା । ଏଥିରେ ମୂର୍ତ୍ତି ପୂଜାକୁ ବିରୋଧ କରି ଶୂନ୍ୟ ନିରାକାର ବ୍ରହ୍ମବାଦରେ ବିଶ୍ୱାସ କରାଯାଏ । ଏହା ପୃଥିବୀର କନିଷ୍ଟତମ ଧର୍ମ ଭାବେ ଜଣା। ଏଥିରେ ବୌଦ୍ଧ ଓ ଜୈନ ଧର୍ମ ତଥା ଅଦ୍ୱେତ ବେଦାନ୍ତର ପ୍ରଭାବ ପଡ଼ିଛି । ଏହା ହିନ୍ଦୁ ସମାଜର ପୌତଳିକତା, ଜାତିବାଦ ଓ ବାହ୍ୟ ଉପଚାର ଆଦି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲା ।
ମହିମା ଧର୍ମର ସଂସ୍କାର, ନୀତିନିୟମ ଧୀରେ ଧୀରେ ଜନାଦୃତ ହେବାରେ ଲାଗିଛି । ଯେତେବେଳେ ଅନ୍ଧବିଶ୍ୱାସ, କୁସଂସ୍କାର, ଜଟିଳ କର୍ମକାଣ୍ଡ ଓ ଜାତିପ୍ରଥାର ପ୍ରାବଲ୍ୟ ସମାଜରେ ପ୍ରାଧାନ୍ୟ ବିସ୍ତାର କରିଥିଲା ସେତେବେଳେ ମହିମା ଧର୍ମର ସଂସ୍ଥାପକ ପ୍ରବୃଦ୍ଧଗୁରୁ ମହିମାସ୍ୱାମୀ ସମାଜ ସଂସ୍କାର ଉଦ୍ଦେଶ୍ୟରେ ଏକ ଆଧ୍ୟାତ୍ମିକ ଜାଗରଣ ଆରମ୍ଭ କରିଥିଲେ । ଯାହାକି ପରବର୍ତ୍ତୀ ସମୟରେ ମହିମା ଧର୍ମ ଭାବରେ ରୂପାନ୍ତରିତ ହୋଇଥିଲା ।
ନାମକରଣ
"ମହିମା" ଓଡ଼ିଆ ଶବ୍ଦ ମହିମ, ମୂଳ ପାଳି ମଝିମରୁ ଆହରିତ ଯାହାର ଅର୍ଥ "ମଝି" ବା "ମଧ୍ୟ"।
ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି ନାହିଁ- ଏହା ହିଁ ହେଉଛି ମହିମା ଧର୍ମର ସାରକଥା ।
ଏହି ଧର୍ମର ମୁଖ୍ୟ ପର୍ବ ହେଉଛି ମାଘମେଳା ବା ଯୋରନ୍ଦା ମେଳା । ସ୍ୱୟଂ ମହିମାସ୍ୱାମୀ ଯୋରନ୍ଦାଠାରେ ୧୮୭୪ ମସିହାରେ ଯୋରନ୍ଦା ମେଳାକୁ ଆରମ୍ଭ କରିଥିଲେ ।
|
ମହିମା ଧର୍ମ ବାବା/ଆଧାର-Mohan baba fb blog |
ଧର୍ମ ଦର୍ଶନଏହି ଧର୍ମ ଏକ ଧାର୍ମିକ ସଂସ୍ଥା ଅପେକ୍ଷା ଓଡ଼ିଆଙ୍କ ମୌଳିକ ବିଚାର ବହନ କରୁଥିବା ଏକ ସାଂସ୍କୃତିକ ସଂସ୍ଥା ସ୍ଥାପନ ଉପରେ ଅଧିକ ଦୃଷ୍ଟି ଦେଇଥିଲା । ମହିମା ଧର୍ମର ମୂଳ ଆଧାର "ନିରାକାର ବାଦ" ବା "ଶୂନ୍ୟ ପୁରୁଷ ପୂଜନ" ଉପରେ ଆଧାରିତ । ଏହା ବ୍ରାହ୍ମଣ ପ୍ରାଧାନ୍ୟ ମୂର୍ତ୍ତି ପୂଜାର ପରିପନ୍ଥୀ । ଏଥିରେ ଓଡ଼ିଶାର ମୌଳିକ ଆରାଧନା ସୂର୍ଯ୍ୟପୂଜା "ଅଲେଖ" ଭାବେ ସାଙ୍କେତିକ ରୂପରେ ପୂଜିତ । ଭୀମଭୋଇଙ୍କ ରଚନାରେ ଏହି ଦର୍ଶନ ଫୁଟି ଉଠିଥିବା ପରିଲକ୍ଷିତ ହୁଏ ।
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।।”
—ଭୀମଭୋଇ
- ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ମହିମା ଧର୍ମର ପବିତ୍ର କ୍ଷେତ୍ର ମହିମାଗାଦି ବିଦ୍ୟମାନ ।
- ଏହାକୁ ମହିମା ଧର୍ମର ଲୋକମାନେ ପବିତ୍ର ଗୁରୁଗାଦି ଭାବରେ ବିବେଚନା କରିଥାନ୍ତି ।
- ମହିମା ଧର୍ମର ସଂସ୍ଥାପକ ପ୍ରବୃଦ୍ଧ ଗୁରୁ ଯୋଗେଶ୍ୱର ମହିମାସ୍ୱାମୀ ଛତିଶ ବର୍ଷ କାଳ ଆତ୍ମଯୋଗ ସମାଧିରେ ବିନିଷ୍ଟ ହୋଇ ଏହି ଧର୍ମକୁ ପ୍ରଚାର କରିଥିଲେ ।
- ୧୮୨୬ ମସିହାରେ ସେ ପ୍ରଥମେ ପୁରୀଠାରେ ଆବିର୍ଭାବ ହୋଇଥିଲେ । ତାଙ୍କୁ ପ୍ରଥମେ ସମସ୍ତେ ଧୂଳିଆ ବାବା ନାମରେ ସମ୍ବୋଧନ କରୁଥିଲେ ।
- ତାଙ୍କର ନିଜସ୍ୱ ପିତୃମାତୃର ପରିଚୟ ସଂପର୍କରେ ମହିମାଧର୍ମ ଦର୍ଶନ ଓ ଇତିହାସ ଆଜିଯାଏଁ ନିରବ ରହିଛି ।
- ମହିମା ଧର୍ମର ପ୍ରଚାରକ ସନ୍ଥକବି ଭୀମଭୋଇଙ୍କ ସ୍ମୃତି ଚିନ୍ତାମଣି ଗ୍ରନ୍ଥରେ ମହିମା ସ୍ୱାମୀଙ୍କ ଜନ୍ମବୃତ୍ତାନ୍ତ ସଂପର୍କରେ ଯାହା ଉଲ୍ଲେଖ ରହିଛି ସେଥିରୁ ଜଣାଯାଏ ଯେ ମହିମାସ୍ୱାମୀ ହେଉଛନ୍ତି ଅଯୋନୀ ଶମ୍ଭୁତା ।
- ସେ ୧୮୨୬ ରୁ ୧୮୩୮ ପର୍ଯ୍ୟନ୍ତ ଖଣ୍ଡଗିରି ପାହାଡ଼ରେ ତପସ୍ୟାରତ ଥିଲେ । ୧୮୩୮ରୁ ୧୮୫୦ ମସିହା ପର୍ଯ୍ୟନ୍ତ କପିଳାସ ପର୍ବତରେ ତପସ୍ୟାରତ ଥିଲେ ।
- ଏହି ସମୟରେ ଦେଓଗାଁର ସଦାନନ୍ଦ ନାମକ ଜନୈକ ଶବର ଜନଜାତି ସଂପ୍ରଦାୟର ବ୍ୟକ୍ତି ତାଙ୍କୁ ଧୂନିକାଠ ଓ ଫଳମୂଳ ଯୋଗାଇବାର ଲୋକସୃତି ରହିଛି ।
- କପିଳାସରେ ଦ୍ୱିତୀୟ ବାରବର୍ଷ ୧୮୫୦ମସିହାରୁ ୧୮୬୨ ମସିହା ପର୍ଯ୍ୟନ୍ତ ସେ ତପସ୍ୟାରତ ଥିଲେ ।
- ତାଙ୍କୁ ଢେଙ୍କାନାଳର ତତ୍କାଳୀନ ରାଜା ଭ୍ରମରବର ମହୀନ୍ଦ୍ର ବାହାଦୂର ବାରବର୍ଷ ପର୍ଯ୍ୟନ୍ତ ଗୋରସ ଯୋଗାଣ କରିଥିଲେ ।
- ଏହାପରେ ମହିମାସ୍ୱାମୀ ମହିମା ଧର୍ମକୁ ପ୍ରଚାର ପ୍ରସାର ପାଇଁ ଉକ୍ରଳର ବିଭିନ୍ନ ଅଞ୍ଚଳକୁ ଗସ୍ତ କରିଥିଲେ ।
- ସେତେବେଳେ ସମାଜରେ ରାଜା ମହାରାଜା, ଜମିଦାର, ସାହୁକାର, ମହାଜନ ଓ ସର୍ବୋପରି ଇଂରେଜମାନଙ୍କର ଶୋଷଣ, କଷଣ, ଅନ୍ୟାୟ, ଅତ୍ୟାଚାର, ବେଠି, ବେଗାରୀ ଆଦି ଚରମସୀମାରେ ପହଞ୍ଚିଥିଲା ।
- ମହିମା ଧର୍ମ ସାମାଜିକ କଳୂଷତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲା । ଫଳରେ ଏହି ଧର୍ମ ପ୍ରତି ଧୀରେ ଧୀରେ ସମାଜର ତଳସ୍ତରର ଲୋକମାନେ ଆକର୍ଷିତ ହେବାକୁ ଲାଗିଲେ ।
ଧର୍ମ ଓ ଭୀମଭୋଇ :
|
Bhima bhoi |
ରେଢ଼ାଖୋଲର କଙ୍କଣ ଗ୍ରାମରେ ଏକ କୂପ ଭିତରୁ ଅନ୍ଧ ଭୀମଭୋଇଙ୍କୁ ଉଦ୍ଧାର କରି ତାଙ୍କୁ ଆଶୀର୍ବାଦ ପୂର୍ବକ କବିତ୍ୱ ପ୍ରଦାନ କରିଥିଲେ ମହିମାସ୍ୱାମୀ ।
ସେହିଦିନଠାରୁ ଅନ୍ଧ ଭୀମଭୋଇ ସନ୍ଥକବି ଭାବରେ ପରିଚିତ ହେବା ସହିତ ମହିମା ଧର୍ମର ପ୍ରଚାର ଓ ପ୍ରସାର ପାଇଁ ଅନେକ ଗ୍ରନ୍ଥ, ଜଣାଣ, ଭଜନ ଓ ଚୌତିଶା ଆଦି ରଚନା କରି ମହିମାଧର୍ମକୁ ରୁଚିମନ୍ତ ଓ ରୁଦ୍ଧିମନ୍ତ କରିଯାଇଛନ୍ତି ।
ତାଙ୍କ ରଚିତ ସ୍ତୁତିଚିନ୍ତାମଣୀ ନିର୍ବେଦ ସାଧନା, ଆଦିଅନ୍ତ ଗୀତା ଆଦିରେ ମହିମାସ୍ୱାମୀଙ୍କର ବିଭିନ୍ନ ବାଣୀ ସ୍ଥାନ ପାଇଛି ।
ମହିମା ସ୍ୱାମୀଙ୍କ ଧର୍ମପ୍ରଚାର ଓ ମହିମାଟୁଙ୍ଗୀ ସ୍ଥାପନ :
ମହିମାସ୍ୱାମୀ ପ୍ରଥମେ ଗୋବିନ୍ଦ ବାବାଙ୍କୁ ତାଙ୍କର ଶିଷ୍ୟତ୍ୱ ପ୍ରଦାନ କରିଥିଲେ ।
ମହିମାସ୍ୱାମୀ କଟକ ଜିଲ୍ଲାର ମାଳବିହାରପୁର, ଖୁଣ୍ଟୁଣୀ, ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ, ଅଙ୍ଗାରବନ୍ଧ, ଜକା, ମଢି (କାମାକ୍ଷାନଗର) ଓ ଯୋରନ୍ଦାଠାରେ ଟୁଙ୍ଗୀ ପ୍ରତିଷ୍ଠା କରି ମହିମା ଧର୍ମକୁ ଲୋକାଭିମୁଖୀ କରିଥିଲେ ।
ମହିମା ଧର୍ମରେ ଶୁକ୍ଳ ଚତୁର୍ଦ୍ଦଶୀରେ ବିଭିନ୍ନ ଟୁଙ୍ଗୀ ଏବଂ ଆଶ୍ରମଗୁଡ଼ିକରେ ଧୂନି ସ୍ଥାପନ ଓ ମହିମା ମେଳା ଆୟୋଜିତ ହେବା ନଜିର ରହିଛି ।
୧୮୭୪ ମସିହାରେ ନିଜେ ମହିମାସ୍ୱାମୀ ଯୋରନ୍ଦାଠାରେ ଏକୋଇଶହାତିଆ ଟୁଙ୍ଗୀ ପ୍ରତିଷ୍ଠା କରି ବ୍ରହ୍ମଧୂନୀ ସ୍ଥାପନ କରିଥିଲେ । ସେହିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀରେ ମେଳା ଆରମ୍ଭ କରିଥିଲେ ।
ନିଜେ ମହିମା ସ୍ୱାମୀ ଏହି ମେଳା ଆରମ୍ଭ କରିଥିବାରୁ ମହିମା ଧର୍ମର ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ଏହାକୁ ଗୁରୁପୂର୍ଣ୍ଣମୀ ଭାବରେବିବେଚନା କରିଥାନ୍ତି । ଧୀରେ ଧୀରେ ଏହା ଯୋରନ୍ଦା ମେଳା ନାମରେ ବିଶ୍ୱବିଖ୍ୟାତ ହେବାରେ ଲାଗିଲା ।
ମେଳା ସମୟରେ ଯୋରନ୍ଦାକୁ ରାଜ୍ୟ ତଥା ରାଜ୍ୟ ବାହାର ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଆସାମ, ନାଗାଲାଣ୍ଡ ଏବଂ ଦେଶ ବାହାର ନେପାଳ, ଭୁଟାନ ଓ ତିବ୍ଦତ୍ ଆଦି ସ୍ଥାନରେ ମହିମା ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି ।
ଏବେ ବିଦେଶର ପର୍ଯ୍ୟଟକମାନଙ୍କ ସଂଖ୍ୟା ମହିମାଗାଦିକୁ ବଢ଼ିବାରେ ଲାଗିଛି ।
ଯୋରନ୍ଦାମେଳାର ନୀତିକାନ୍ତି : ମାଘ ଶୁକ୍ଲ ତ୍ରୟୋଦଶୀ ରାତ୍ରିରୁ ଗାଦିମନ୍ଦିରରେ ନୀତି ମନ୍ଦିରରୁ ସାମଗ୍ରୀମାନଙ୍କୁ ନିଆଯାଇ ମନ୍ଦିରରେ ଗଚ୍ଛିତ ରଖାଯାଏ ।
ଚତୁର୍ଦ୍ଦଶୀ ପ୍ରାତଃ ବ୍ରାହ୍ମ ମୂହୂର୍ତ୍ତରୁ ମନ୍ଦିରର ଚାରିଦ୍ୱାର ଖୋଲାଯାଇ ଛେରାପହଁରା, ଚନ୍ଦନପାଣି, କର୍ପୂର, ଅଗୁର ଆଦି ମନ୍ଦିର ଚତୁଃପାଶ୍ୱର୍ରେ ସିଞ୍ଚନ କରାଯାଇଥାଏ । ଏହାପରେ ନୀତିସେବକ ସନ୍ନ୍ୟାସୀମାନଙ୍କ ଦ୍ୱାରା ଶରଣ ଦର୍ଶନରେ ଶୂନ୍ୟପ୍ରଭୁଙ୍କୁ ଆରାଧନା କରାଯାଇଥାଏ ।
ସେହିପରି ମଧ୍ୟାହ୍ନ ଓ ଅପରାହ୍ନରେ ନୀତି କରାଯାଇ ସାଢେ ୫ଟାରେ ଝାଡ଼ଦୀପ ପ୍ରଜ୍ୱଳନ କରାଯାଇଥାଏ । ବଡ଼ବଡ଼ ଝାଡ଼ବତୀ ମନ୍ଦିରର ଚାରିଦ୍ୱାରରେ ସ୍ଥାପନ କରାଯାଇ ବକ୍କଳଧାରୀ ସନ୍ନ୍ୟାସୀମାନେ ଘୃତାହୁତି ପ୍ରଦାନ କରିଥାନ୍ତି ।
ଏହି ସମୟରେ ମାନସିକ ଧାରୀ ଓ ସନ୍ନ୍ୟାସୀମାନେ ଝାଡ଼ବୃକ୍ଷରେ ଘିଅ ଢାଳି ଜଗତ ଭକତର କଲ୍ୟାଣ କରିଥାନ୍ତି । ଏ ସଂପର୍କରେ ମହିମା ସନ୍ନ୍ୟାସୀ ଶ୍ରୀମଦ୍ ଅବିନାଶୀ ବାବା କୁହନ୍ତି, ମହିମା ଧର୍ମରେ ଯୋରନ୍ଦା ମେଳାର ସ୍ୱତନ୍ତ୍ରତା ରହିଛି ।
ମାଘଶୁକ୍ଳ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀ ଦୁଇଦିନ ଝାଡ଼ଦୀପ ଜଳାଯାଇଥାଏ । ବିଶ୍ୱକଲ୍ୟାଣ ଉଦ୍ଦେଶ୍ୟରେ ଏହା ମହିମା ସ୍ୱାମୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ।
ଏହି ଦୁଇଦିନ ପରେ ମହିମାଗାଦିରେ ଧର୍ମସଭା, ଗୋଷ୍ଠୀଭିକ୍ଷା, କୌପୀନ ଭେକ ପ୍ରଦାନ ଓ ଆଗାମୀ ବର୍ଷ ପାଇଁ ବିଭିନ୍ନ ଉପାସନା ପୀଠଗୁଡଡ଼କରେ ନୀତି ସେବକ, ସନ୍ନ୍ୟାସୀ ନିଯୋଗ କାର୍ଯ୍ୟକ୍ରମ କରାଯାଇଥାଏ । ମହିମାସ୍ୱାମୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ମେଳାକୁ ପ୍ରଥମେ ମହିମା ଧର୍ମାବଲମ୍ବୀ ବ୍ୟକ୍ତିମାନେ ହିଁ ଆୟୋଜନ କରୁଥିଲେ ।
ଧୀରେ ଧୀରେ ଏହା ବ୍ୟାପକ ହେବାରୁ ଢେଙ୍କାନାଳ ରାଜା ଏହି ମେଳାକୁ ଆୟୋଜନ କରିଆସୁଥିଲେ । ପରବର୍ତ୍ତୀ ଇଂରେଜ ଶାସନ ସମୟରେ ମଧ୍ୟ ସେମାନେ ମେଳାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଆଗେଇ ଆସିଥିଲେ ।
ସ୍ୱାଧୀନତା ପରେ ଜିଲ୍ଲା ପ୍ରଶାସନ ମେଳାକୁ ସରସ ସୁନ୍ଦର ଓ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ବ୍ୟାପକ ଆୟୋଜନ କରିଆସୁଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ମାସେ ପୂର୍ବରୁ ପ୍ରସ୍ତୁତି ବୈଠକ କରାଯାଇ ବିଭିନ୍ନ ନିଷ୍ପତ୍ତି ନିଆଯାଇଥାଏ ।
ପୁଲିସ୍ ବାହିନୀ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୁଲିସ୍ ବନ୍ଦୋବସ୍ତ ହୋଇଥାଏ ।
ମହିମାଗାଦିରେ ପାଳନ ହେଉଥିବା ପର୍ବପର୍ବାଣୀ :
|
Joranda gaadi |
ଯୋରନ୍ଦା ମେଳା ମାଘ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀ ବ୍ୟତୀତ କାର୍ତ୍ତିକ ଶୁକ୍ଲ ଚତୁର୍ଦ୍ଦଶୀ ଓ ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀରେ ଗାଦିମନ୍ଦିରରେ ଝାଡ଼ଦୀପ ପ୍ରଜ୍ୱଳନ ହୋଇଥାଏ । ମାଘ ଶୁକ୍ଲ ଚତୁର୍ଦ୍ଦଶୀରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ଲାଗିଥାଏ । କାର୍ତ୍ତିକ ଏବଂ ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀରେ କେବଳ ଗାଦିମନ୍ଦିରର ପଶ୍ଚିମ ଦ୍ୱାରରେ ଝାଡ଼ଦୀପ ଲାଗିଥାଏ ।
ଏତଦ୍ବ୍ୟତୀତ ଭାଦ୍ରବ ଶୁକ୍ଲ ଦ୍ୱିତୀୟା ତିଥିରେ ମହିମାଗାଦିରେ ନବାନ୍ନ ଲାଗି କରାଯାଇଥାଏ । ନୂଆଧାନର ଚୂଡ଼ା ପରଂବ୍ରହ୍ମ ମହିମା ଅଲେଖଙ୍କ ନିକଟରେ ସମର୍ପଣ କରିବା ପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ । ମହିମାଧର୍ମରେ ଅହ୍ମୋଣିଆ ମଣ୍ଡପରେ ପ୍ରଭୁଙ୍କୁ ପ୍ରସାଦ ଲାଗି କରାଯାଏ ।
ବୁନ୍ଦିକୁ ଶୁଦ୍ଧ ଘିଅ ଏବଂ ଗୁଡ଼ରେ ପ୍ରସ୍ତୁତ କରାଯାଇ ପ୍ରସାଦ ଭାବେ ଚଢ଼ାଯାଇଥାଏ ।
ମହିମା ସନ୍ନ୍ୟାସର ପନ୍ଥା : ମହିମା ଧର୍ମରେ ଦୀକ୍ଷିତ ହେବାପାଇଁ ସଂସାରରୁ ବୈରାଗ୍ୟ ଆସିଥିବା ବ୍ୟକ୍ତିମାନେ ପ୍ରଥମେ ମହିମା ସନ୍ନ୍ୟାସୀଙ୍କ ସହ ସଂପର୍କ ରଖି ସେମାନଙ୍କ ସହ ବୁଲାବୁଲି କରିଥାନ୍ତି ।
ତାଙ୍କୁ ତ୍ୟାଗୀ ବା ଫକଡ଼ିଆ ଭାବରେ ଗ୍ରହଣ କରାଯାଇଥାଏ । ଏହାପରେ ତାଙ୍କୁ କୌପିନ ଭେକ ପ୍ରଦାନ କରାଯାଏ । କୌପିନଧାରୀ ସନ୍ନ୍ୟାସୀ ଭାବରେ କିଛିବର୍ଷ ଧର୍ମ ପ୍ରଚାର କରିବାପରେ ତାଙ୍କୁ ବକ୍କଳ ଭେକ ପ୍ରଦାନ କରାଯାଇଥାଏ ।
ମହିମା ସମାଜରେ କୌପିନଧାରୀ ଏବଂ ବକ୍କଳଧାରୀ ଦୁଇପ୍ରକାର ସନ୍ନ୍ୟାସୀ ରହିଛନ୍ତି । ସେମାନେ ସମସ୍ତେ ଗାଁ ଗାଁ ବୁଲି ଧର୍ମ ପ୍ରଚାର କରନ୍ତି । ସେମାନଙ୍କ ମଧ୍ୟରୁ ୩୦୦ ରୁ ୩୫୦ ପାଖାପାଖି ସନ୍ନ୍ୟାସୀ ମହିମାଗାଦିରେ ପରିଚାଳନା ଓ ନୀତି ସେବାପାଇଁ ବର୍ଷସାରା ରୁହନ୍ତି । ଅନ୍ୟ ସମୟରେ ସେମାନେ ଧର୍ମପ୍ରଚାରରେ ନିୟୋଜିତ ହୋଇଥାନ୍ତି ।
ସନ୍ନ୍ୟାସୀଙ୍କ ଜୀବନଚର୍ଯ୍ୟା :
ମହିମା ସନ୍ନ୍ୟାସୀ, ତ୍ୟାଗୀ, ଭକ୍ତ ସମସ୍ତେ ପ୍ରାତଃ ବ୍ରାହ୍ମମୁହୂର୍ତ୍ତରୁ ଶଯ୍ୟା ତ୍ୟାଗ କରିଥାନ୍ତି । ସ୍ନାନଶୌଚ ପରେ ଅଲେଖବ୍ରହ୍ମଙ୍କ ନିକଟରେ ଶରଣ ଦର୍ଶନ କରିଥାନ୍ତି । ସୂର୍ଯ୍ୟ ଉଦୟ ପରେ ଜଳଖିଆ କରିଥାନ୍ତି । ଦିନ ୧୦ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ଶେଷ କରି ପୁନଶ୍ଚ ସାଢ଼େ ୧୨ଟାରେ ଶରଣ ଦର୍ଶନ କରିଥାନ୍ତି । ଅପରାହ୍ନ ସାଢ଼େ ୪ଟା ପୂର୍ବରୁ ଅର୍ଥାତ୍ ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରଭୋଜନକୁ ଶେଷ କରିଥାନ୍ତି । ରାତ୍ରିରେ ସେମାନେ ଭୋଜନ ଗ୍ରହଣ କରନ୍ତି ନାହିଁ ।
ମହିମା ଧର୍ମର ବିଶେଷତ୍ୱ :
ମହିମା ଧର୍ମ ବିଶୁଦ୍ଧ ହିନ୍ଦୁ ଧର୍ମ । ବେଦ ବେଦାନ୍ତ ର ସାରକଥା ଏକ ଲକ୍ଷ ମନ୍ତ୍ର, ୮୦ ହଜାର କର୍ମ କାଣ୍ଡ, ୧୬ ଉପାସନା କାଣ୍ଡ, ଓ ବେଦର ଜ୍ଞାନ କାଣ୍ଡରେ ମହିମାଧର୍ମର ଶେଷ ସିଦ୍ଧାନ୍ତ କଥା ରହିଛି । ଏହା ଏକ ନିଷ୍କାମ ଜୀବ ଧର୍ମ । ଏଠି କର୍ମକାଣ୍ଡର ସ୍ଥାନ ନାହିଁ । ଜନ୍ମ, ମୃତ୍ୟୁ, ଜରାବ୍ୟାଧି ଦୁଃଖ ଦାୟକ । ଦୁଃଖରେ ସମସ୍ତ ପ୍ରାଣୀ ହନ୍ତସନ୍ତ ।
ଏଥିରୁ ମୁକ୍ତି ପାଇଁ ପରଂବ୍ରହ୍ମଙ୍କ ଏକାନ୍ତ ଚିନ୍ତନ କଲେ ପରମଗତି ଲାଭକରି ପୁନଃ ଜନ୍ମ ହେବ ନାହିଁ । ଅନ୍ତଃକରଣ ସୁଦ୍ଧି ସହ ବିଶୁଦ୍ଧାଚରଣ ପାଳନ ପୂର୍ବକ ବ୍ରାହ୍ମ ମୂହୂର୍ତ୍ତରେ ସ୍ନାନ ଶୈାଚ ସମାପନ, ପ୍ରାତଃ ସାୟଂକାଳରେ ପରଂବ୍ରହ୍ମଙ୍କ ଉଦ୍ଦେଶ୍ୟରେ ଶରଣ ଦର୍ଶନ, ସାତ୍ତ୍ୱିକ ଆହାର ଗ୍ରହଣ, କାମିନୀ କାଞ୍ଚନ ବର୍ଜନ, ରାତ୍ର ଭୋଜନ ନିଷେଧ ଆଦି ମହିମା ଧର୍ମର ବିଶେଷତ୍ୱ।
https://blog.odiabook.in/2021/07/mahima-dharma-in-odia.html
Tag: Mahima dharma, Mahima dharma upsc, Mahima dharma introduction, Mahima dharma Odia, Mahima dharma itihas, Mahima dharma prabachan, Odia Mahima dharma