
kalijai re sandhya poem lyrics
କବିତା: କାଳିଜାଈରେ ସନ୍ଧ୍ୟା
ଗୀତିକାର : ଗୋଦାବରୀଶ ମିଶ୍ର
କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି,
ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥
ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ,
ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥
ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ,
ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥
ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ,
ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥
ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ,
ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥
କାତ ରଖି ନାବେ ନାଉରି ନେଲା ଆହୁଲା କରେ,
ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥
ନୀଳ ଊର୍ମିମାଳା ଉଠଇ ବହେ ପବନ ଖର,
ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥
ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥
ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ,
ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥
ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ,
ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥
ଅସ୍ତଗାମୀ ରବି କିରଣ ପଡ଼ି ଚିଲିକା ଜଳେ,
ଦିଶଇ ପ୍ରବାଳ ବରଣ ଶୋଭା ବଚନ ବଳେ ॥
ଚଢେଇଗୁହାର ଶିଖକୁ ଚାହିଁ ଉଡ଼ଇ ଏରା,
ଲୋହିତ ଧବଳ ପକ୍ଷରେ କେଡ଼େ ଦିଶଇ ତୋରା ॥
ଭାଲେରୀ ପାହାଡ଼ ଉହାଡ଼େ ଲୁଚି ଗଲେଣି ରବି,
ପଶ୍ଚିମ ଆକାଶେ ଝଟକେ ପୀତ ଲୋହିତ ଛବି ॥
ଦିଶେ ପାରିକୁଦ ମାଲୁଦ ଦୂରୁ ଛାୟା ପରାୟେ,
ସନ୍ଧ୍ୟାତାରା ନଭେ ହିରନ ସମ କି ଶୋଭା ପାଏ ॥
ଦେଖୁଛି ଚିଲିକା ସପନେ ତୋର ଅତୀତ ଶିରୀ,
ମୁହାଣୁ ତୋହର ବୋଇତ ଯେବେ ଥିବ ବାହାରି ॥
ସିନ୍ଧୁ ପାରେ ଯାଇ ଓଡ଼ିଆ ପୁଏ କରି ବେପାର,
ଆଣୁଥିଲେ ବୋହି ଦେଶକୁ ଧନରତ୍ନ ଅପାର ॥
ଆଜି ଏ ମୁହାଣ ପାଶେ କି ଗଢ଼ା ହେବ ବନ୍ଦର,
ବିପଣି ମାଳାରେ ବିଜନ ବେଳା ହେବ ମୁଖର ॥
ତୋ ଜଳେ ଶରତେ ଭାସନ୍ତି କେତେ ମରାଳ ପନ୍ତି,
ଭାସିବେ କି ସିନ୍ଧୁ ସଲିଳେ ତୋର ପୋତ ପଙ୍କାତି ॥
ବିଦେଶ ବେପାରୀ ଆଣିବେ ଦେଶେ ନାନା ବିଭବ,
ଫେରିବ କି ଶୋଭାମୟୀ ଗୋ ତୋର ଲୁପ୍ତ ଗୌରବ ॥