ଜଗତେ କେବଳ ଜନେ ହସିବେ - ଓଡିଆ ପଦ୍ୟ | Jagate Kebala Jane Hasibe Odia Poem Lyrics

@_ustad
0

 ଜଗତେ କେବଳ ଜନେ ହସିବେ
 କଣ୍ଠ : ନମିତା ଅଗ୍ରୱାଲ
ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ (୧୭୮୯-୧୮୪୫)
ଲେବେଲ : ସାର୍ଥକ ମ୍ୟୁଜିକ 
ମସିହା : ୨୦୦୩

ଜଗତେ କେବଳ
        ଜନେ ହସିବେ ଏହି ତହୁଁ ଫଳ 

ଜଟିଳ କରି ସ୍କନ୍ଧରୋମରାଜି 
        ଶିଖରୀ ଦରୀରେ ମରୁ ଗରଜି
କୁଟିଳ କରି ଭ୍ରୁକୁଟିକୁ ଚାହୁଁ 
       ସରମା କଣ୍ଠୀରବ ହେବ କାହୁଁ ॥୧॥ 
  
ଅଲକତ ଦ୍ରବ ନୟନେ ବୋଳି 
       ରସାଳ ଗହଳ ଶାଖାରେ ଖେଳି
କବଳ କରୁ ତା କଳିକଳାପ 
       କାକ କି କରିବ ପଞ୍ଜମାଳାପ ॥୨॥ 
  
ବରଜୀବ ରସେ ଦେଇ ମାନସ 
       ବରଜି ବରଷେ ଅମେଧ୍ୟ ଗ୍ରାସ
ଦେହେ ମନ୍ଦାକିନୀ ରଜ ଲଗାଇ
       ଗ୍ରାମ ଶୂକରୀ କି ହୋଇବ ଗାଈ ॥୩॥ 
  
ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ 
       ନିଜ ତୁଣ୍ଡେ ମଣ୍ଡି ଖଣ୍ଡ-ମୃଣାଳ
ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ 
       ତେବେ ସେ ମରାଳୀ ବୋଲାଇବ କି ॥୪॥   

ରଞ୍ଜି ନାୟକ ରଙ୍ଗେ ଚୋପଦାର 
       ଖଞ୍ଜିଲେ ହେଲେ ଚାବୁକ ସବାର
ଖିଲାଇଲେ ହେଲେ ନାନା ମସଲା 
       ତୁରଙ୍ଗ ହୁଏ କି ରାସଭ ପିଲା ॥୫॥ 
  
ବଦରିକା ବନେ ନିତ୍ୟ ନିବାସ 
       କରି ଆଚରି ବ୍ରତ ଉପବାସ
ପ୍ରଯତ୍ନ କଲେ ହେଁ ନାନା ପ୍ରକାର 
       ଖଦ୍ୟୋତ ହୋଇବ କି ପ୍ରଭାକର ॥୬॥   

ଯାହାକୁ ଯାହା କରିଚି ଦଇବ
       ତହୁଁ ନିକି ସେ ଅନ୍ୟଥା ହୋଇବ
ଘେନିଲେ ହେଲେ ଯତ୍ନେ କୋଟି ପୁଟ
       ପିତ୍ତଳଟି କାହିଁ ହେବ ପୁରଟ ॥୭॥ 
  
ଦେବ ଉପବନେ ହୋଇ ଜନିତା 
       ସ୍ଵବାସ ମଦରୁ ଜବସ ଲତା
ତୁଳସୀ ତୁଲେ ହେଲେ ମିଶାମିଶି 
       ତାହାକୁ ଯେବେ ବୋଲିବା ତୁଳସୀ ॥୮॥   

ସମଜଇ ନାହିଁ ସ୍ଵଜାତି ଭାଷା
       କହିଲେ ହେଁ ହୁଅଇ ଲୋକହସା
ଜଡ଼ ମୁଁ ବୋଲି ନ ଜନ୍ମି ନିର୍ବେଦ 
       ଷଡ଼ଦର୍ଶୀ ତୁଲେ କଲେ ବିବାଦ ॥୯॥ 

ଦେହରେ ବାଜିଲେ ପର ନିଃଶ୍ଵାସ 
       ସମ୍ଭାଳିବାକୁ ନ ଥାଇ ବିଶ୍ଵାସ
ନିର୍ଲ୍ଲଜ ଅଭିମାନେ ଡେରି ଛାତି 
       ହାତୀ ଲଢ଼ାଇକି ବାନ୍ଧିଲେ କାତି ॥୧୦॥ 

କରମରେ ତ ହୋଇଅଛି ଲେଖା 
       କରମର୍ଦ୍ଦକ ଯୋଗ୍ୟ ତୋର ଶିଖା
ହର ମଉଳି ଯୋଗ୍ୟ ଚମ୍ପକକୁ
       ଭରମରେ ବୃଥା ପଡ଼ିଯା'ଟାକୁ ॥୧୧॥  

ଚାରୁ ଚନ୍ଦ୍ରୋଦୟା ମଶାଲ ପାଖେ 
       ବହ୍ନି ଜଳିବ ଯେବେ ଦିଶା ମୁଖେ
ଧାତା ତ କରିନାହିଁ ତା ନିକାଶ
       କି ରୂପେ ହେବ ସେପରି ପ୍ରକାଶ ॥୧୨॥  

ବୋଳିହୋଇ ଭୂତି ଧରି ପରଶୁ 
       ବଳୀବର୍ଦ୍ଦବର ଚରମେ ବସୁ
ଗଉରୀ-ପ୍ରାଣନାଥ ଅନୁଭାବ 
       ଠଉରି ପାରିବନାହିଁ ତ ଲବ ॥୧୩॥ 

ସର ପର୍ପଟି ଯାହାକୁ ମିଳଇ
       ସେ ସୁଖେ ତା ଭୋଜନେ ପ୍ରଚଳଇ
ସଢ଼ାଇବାକୁ ତା ବଡ଼ାଇ ବସି 
       ଦୁର୍ମତି ଯେବେ ଚୋବାଇବ ଘଷି ॥୧୪॥ 

ଚିର ତପବଳୁ କେଉଁ ପୁରୁଷ 
       ସମ୍ପାଦି ଯୋଗ୍ୟ ଗୁଣ ପଉରୁଷ
କରିଷେ ସଞ୍ଚରିବା ନ ସହିବ 
       କରୀଷକଟେ ଯେବେ ଆରୋହିବ ॥୧୫॥   

ଗଙ୍ଗାର ପ୍ରବାହେ ଅଳପେ ବୁଡ଼ି 
       ଅଙ୍ଗାର ନିକି ନିଜ ବର୍ଣ୍ଣ ଛାଡ଼ି
ବଳାହିତ ରତ୍ନ ପରି ଦିଶିବ 
       ବାଳା ପୟୋଧର ହାରେ ମିଶିବ ॥୧୬॥ 
  
ସତରବୟସୀ ସତତ ମନ 
       କରଇ ଯାହାକୁ ଅନୁଗମନ
ଛବି-ଶୂନ୍ୟ; ଷଣ୍ଡ ବୃଦ୍ଧ ତା ତୁଲେ
       ଅବିବେକଦଶୁ ବିବାଦୀ ହେଲେ ॥୧୭॥  

ଗୁଞ୍ଜର କେଉଁ ପୁଣ୍ୟବଳୁ ସିନା 
       ସଙ୍ଗକୁ ଅଙ୍ଗୀକାର କଲା ସୁନା
ହୋଇଲି ତ ବୋଲି କନକ ତୁଲ୍ୟ 
       ଲୋଡ଼ିବ ଯେବେ ତାହା ତୁଲ୍ୟ ମୂଲ୍ୟ ॥୧୮॥ 

ଗଜପତି କୁମ୍ଭସ୍ଥଳେ ବିଦାରି 
       ସଜ ପଲକ ଭୁଞ୍ଜିବାରୁ ହରି
ଦୃଷ୍ଟି ନ ଦେଲା ବୋଲି ଅନ୍ୟ ଶବେ
       ଜମ୍ବୁକେ ଯଶସ୍ଵୀ ବୋଲିବା ଯେବେ ॥୧୯॥  

ମାନୋଦ୍ଧାରଣ ଶରଣପଞ୍ଜର
       ବଘେଇ ବାଦଶା ନୃପକୁଞ୍ଜର
ରାଜା ଜଗଦ୍ଦେବ ହରିଚନ୍ଦନ
       ଲଙ୍ଘିଲେ ତାକୁ ନ କରି ଚନ୍ଦନ ॥୨୦॥ 

ତାଙ୍କ ସୁଧର୍ମା ତୁଲ୍ୟ ସଭା କବି
       ଭଣିଲେ ରାୟଗୁରୁ କବିରବି
ଶ୍ରବଣ-ସର୍ବାବୟବୀ ମାନବ 
       ସହସ୍ରାକ୍ଷ ସାମ୍ୟ ଯେବେ ଲୋଡ଼ିବ ॥୨୧॥ 

ଜଗତେ କେବଳ
       ଜନେ ହସିବେ ଏହି ତହୁଁ ଫଳ ॥

==ଶବ୍ଦାର୍ଥ==




ସ୍କନ୍ଧ - ମସ୍ତକ ଧାରକ, କାନ୍ଧ
ଶିଖରୀ ଦରୀ - ପର୍ବତ ଗୁମ୍ଫା
ସରମା - କୁକୁର
ଭୃକୁଟି - ଭ୍ରୂକୁଞ୍ଚନ
କଣ୍ଠୀରବ - ସିଂହ, ମତ୍ତହସ୍ତୀ, ପାରା 

ଅଲକତ ଦ୍ରବ୍ୟ - ତରଳ ଅଳତା 
ରସାଳ - ଆମ୍ବ 
ଗହଳ - ବହୁଜନସମାଗମ
କାକ - କୁଆ
ପଞ୍ଜମାଳାପ - ପଞ୍ଚମ ଆଳାପ, ଉଚ୍ଚ ସ୍ଵରରେ ଗାଇବା

ବରଜୀବ - ଶ୍ରେଷ୍ଠ ଜୀବ, ଗାଈ
ବରଜୀବ ରସେ - ଶ୍ରେଷ୍ଠ ଜୀବର ଦୁଧ ଅର୍ଥାତ୍ ଗାଈର ଦୁଧ
ଅମେଧ୍ୟ - ଅପବିତ୍ର, ଅଯଜ୍ଞୀୟ
ମନ୍ଦାକିନୀ - ସ୍ଵର୍ଗଗଙ୍ଗା
ଶୂକର - ଘୁଷୁରି,  (ଶୂକରୀ - ସ୍ତ୍ରୀ ଲିଙ୍ଗରେ ବ୍ୟବହାର କରାଯାଏ)

ଚଞ୍ଚୁ - ଥଣ୍ଟ
ହିଙ୍ଗୁଳ - ପାରଦ ବହୁଳ ଘୋର ଲୋହିତ ବର୍ଣ୍ଣ ଖନିଜ ପଦାର୍ଥ 
ମୃଣାଳ - ପଦ୍ମ ବା କଇଁ ର ନାଡ଼ 
ମରାଳ - ରାଜହଂସ, ମେଘ (ମରାଳୀ - ସ୍ତ୍ରୀ ଲିଙ୍ଗରେ ବ୍ୟବହାର କରାଯାଏ)

ଚେପଦାର - ଦଣ୍ଡଧାରୀ ଆଗୁଆ ସିପାହୀ
ସବାର - ଅରୋହଣକାରୀ 
ଖଞ୍ଜିଲେ - ନିୟମିତ ରୂପେ ପାଇବା ବା ଦେବା
ତୁରଙ୍ଗ - ଦେଖ




ରାସଭ -
 ଗଧ, ଗର୍ଦ୍ଦଭ

ବଦରିକା - ବ୍ୟାସଦେବଙ୍କ ଆଶ୍ରମ, ଏହା ଏକ ଅତି ପବିତ୍ର ସ୍ଥାନ  
ପ୍ରଯତ୍ନ - ବିଶେଷ ଯତ୍ନ,  ବିଶେଷ ଚେଷ୍ଟା, ଅଧ୍ୟବସାୟ
ଖଦ୍ୟୋତ - ଜୁଳୁଜୁଳିଆ ପୋକ 
ପ୍ରଭାକର - ସୂର୍ଯ୍ୟ

ପୁଟ - ଭାଙ୍ଗ ବା ସ୍ତର
ପୁରଟ - ସୁନା

ଜନିତା - ଉତ୍ପାଦକ
ସ୍ଵବାସ - ନିଜର ବାସ୍ନା 
ମଦ - ଆନନ୍ଦରେ ବିହ୍ଵଳ
ଜବସଲତା - ଦୁବ ଘାସ 

ସମଜ - ପଶୁର ଦଳ
ସ୍ଵଜାତି - ନିଜର ଜାତି ବା ଶ୍ରେଣୀ
ଜଡ଼ - ଶୀତଳ, ନିଶ୍ଚେଷ୍ଟ, ଅଚେତନ
ନିର୍ବେଦ - ଖେଦ, ଆତ୍ମଗ୍ଳାନି, ଅନୁତାପ, ବୈରାଗ୍ୟ
ଷଡ଼ଦର୍ଶୀ - ଅତି ବିଦ୍ୱାନ

ନିର୍ଲ୍ଲଜ୍ଜ - ଲଜ୍ଜାହୀନ, ଅଲାଜୁକ
କାତି - ଛୋଟ ଛୁରୀ, ମାଛ ଆଦିର ଦେହ ଉପରିସ୍ଥ ଛୋଟ ଛୋଟ ଆବରଣ, ସାପଦେହର ଖୋଳ

କରମର୍ଦ୍ଦକ - କରଞ୍ଜଫୁଲ 
ଶିଖା - ଅଭିଜ୍ଞତା ଲାଭ କରାଯାଇଥିବା, ଅଭ୍ୟାସ କରାଯାଇଥିବା
ହର - ଶିବ, ମହାଦେବ
ମଉଳିବା - ନିସ୍ତେଜ ହେବା
ଚମ୍ପକ - ଚମ୍ପା ଫୁଲ ଓ ଗଛ
ଭରମ - ଭରଣପୋଷଣ କର୍ତ୍ତା

ମଶାଲ - ଦିହୁଡ଼ି, ସ୍ଥୂଳ ବର୍ତ୍ତିକା
ଦିଶା ମୁଖେ - ବିଶିଷ୍ଟ ଦିଗ ଆଡ଼କୁ
ଧାତା - ନିର୍ମାତା, ଧାରକ, ରକ୍ଷକ
ନିକାଶ - ନିଷ୍ପତ୍ତି

ବଳୀବର୍ଦ୍ଦ - ବଳଦ, ଷଣ୍ଢ
ଗଉରୀ - ପାର୍ବତୀ
ଠଉରି - ସ୍ଥିର କରିବା
ଲବ - ବିଭାଜ୍ୟ ଅଙ୍କ, ସାମାନ୍ୟ ଭଗ୍ନାଂଶର ଉପର ରାଶି

ସର - ଦୁଧ ଓ ଦହିର ଘନ ଓ ସାରଭାଗ
ପର୍ପଟ - ପାପଡ଼, ରୁଟି ବିଶେଷ
ଦୁର୍ମତି - ମନ୍ଦ ବୁଦ୍ଧି, ଅସତ୍ ଦିଗରେ ମତି
ଘଷି - ଗୋଲାକୃତି ପିଠାପରି କରାଯାଇଥିବା ଶୁଷ୍କ ଗୋବର

ତପବଳୁ - ତପସ୍ୟା ବଳରୁ
ସଞ୍ଚରିବା - ବିସ୍ତାରିତ କରିବା, ଚାଳିତ କରିବା, ଗତି କରିବା, ଆନ୍ଦୋଳିତ କରିବା, ଉପୁଜିବା, ଭ୍ରମଣ କରିବା
କରୀଷ - ଘଷି

ବଳାହିତ - ଇନ୍ଦ୍ର ନୀଳମଣି
ବାଳା - ଯୁବତୀ ସ୍ତ୍ରୀ, କନ୍ୟା, ବାଳିକା
ପୟୋଧର - ସ୍ତ୍ରୀ ର ସ୍ତନ

ଗୁଞ୍ଜର - ଏକ ପୋକ
ଅଙ୍ଗୀକାର - ସମ୍ମତି, ରାଜି, ସ୍ୱୀକାର, ଚୁକ୍ତି, ପ୍ରତିଜ୍ଞା
କନକ - ସୁବର୍ଣ୍ଣ, ସୁନା

ଗଜପତି - ଶ୍ରେଷ୍ଠହସ୍ତୀ
କୁମ୍ଭ - ଘଟ, ମାଠିଆ, ହସ୍ତି କପାଳର ଭଭୟପାର୍ଶ୍ଵସ୍ଥ ମାଂସପିଣ୍ଡା
ବିଦାରିବା - ଚିରିଦେବା
ଭୁଞ୍ଜିବା - ଖାଇବା, ଉପଭୋଗ କରିବା
ଜମ୍ବୁକ - ଶୃଗାଳ, ବିଲୁଆ
ଯଶସ୍ଵୀ - କୀର୍ତ୍ତିଶାଳୀ, ବିଖ୍ୟାତ

ଶରଣପଞ୍ଜର - ନିରାଶ୍ରୟ ବା ବିପନ୍ନର ଆଶ୍ରୟ ଦାତା 
ବଘେଇ - ବାଘ ମତିଥିବା ସ୍ଥାନ
ବାଦଶା - ରାଜା, ମୁସଲମାନ ସମ୍ରାଟ୍
କୁଞ୍ଜର - ହାତୀ
ଲଙ୍ଘିଲେ - ସୀମା ଟପିଲେ, ଦମନ କଲେ

ସୁଧର୍ମା - ଦେବସଭା, କୁଟୁମ୍ବପାଳକ ଗୃହସ୍ଥ, ଧର୍ମପରାୟଣ
ଭଣିଲେ - ବୋଲିଲେ, କହିଲେ
ସହସ୍ରାକ୍ଷ - ଦେବରାଜ ଇନ୍ଦ୍ର

ଆହୁରି ପଢ଼ନ୍ତୁ: 

Keywords: ଜଗତେ କେବଳ ଜନେ ହସିବେ, ଓଡିଆ ପଦ୍ୟ, Jagate Kebala Jane Hasibe,  Odia Lyrics, Kabi surja Baladev rath 


Post a Comment

0Comments

Post a Comment (0)