Ratha Yatra History In Odia
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ ।ରଥଯାତ୍ରା ସହିତ ଓଡିଶାର ଜନଜୀବନ ଓ ସାଂସ୍କୃତିକ ଭାବ ପ୍ରବଣତାର ଏକ ଦୀର୍ଘକାଲୀନ ଇତିହାସ ରହିଛି । କେବଳ ଧାର୍ମିକ ବା ସାଂସ୍କୃତିକ ଜୀବନବୋଧ ନୁହଁ, ବରଂ ଓଡିଶାର ରାଜନୀତି ଓ ଅର୍ଥନୀତି ସହ ରଥଯାତ୍ରା ର ନିବିଡ ସମ୍ପର୍କ ରହିଛି।
ରଥଯାତ୍ରା ର ବିଭିନ୍ନ ନାମ ଗୁଡିକ ହେଲା-
- ଘୋଷଯାତ୍ରା: ବିଶ୍ୱର ମଙ୍ଗଳ ଘୋଷଣା କରୁଥିବାରୁ ବା ନନ୍ଦିଘୋଷ ରଥରେ ବସି ଯାତ୍ରା କରୁଥିବାରୁ ଘୋଷଯାତ୍ରା।
ଆଡ଼ପମଣ୍ଡପ ଯାତ୍ରା: ଗୁଣ୍ଡିଚା ମଣ୍ଡପରେ ଥିବା ଆଡ଼ପମଣ୍ଡପରେ ବିଜେ କରୁଥିବାରୁ ଆଡ଼ପମଣ୍ଡପ ଯାତ୍ରା ।
ଜନ୍ମବେଦୀ ବା ଅନ୍ତର୍ବେଦୀ ଯାତ୍ରା: ପ୍ରଭୁଙ୍କର ଜନ୍ମ ବେଦୀ ଆଡ଼ପମଣ୍ଡପଠାରେ ହୋଇଥିବାରୁ ଜନ୍ମବେଦୀ ବା ଅନ୍ତର୍ବେଦୀ ଯାତ୍ରା ।
ଦଶାବତାର ଯାତ୍ରା: ଗୁଣ୍ଡିଚା ଘରେ ଦଶ ଅବତାର ବେଶ ହେଉଥିବାରୁ ଦଶାବତାର ଯାତ୍ରା ।
ପତିତପାବନ ଯାତ୍ରା: ପତିତମାନଙ୍କୁ ଉଦ୍ଧାର କରିବାକୁ ଏହି ଯାତ୍ରା ହେଉଥିବାରୁ ପତିତପାବନ ଯାତ୍ରା ।
ନବଦିନାତ୍ମକ ଯାତ୍ରା: ଏହି ଯାତ୍ରା ଯିବା ଆସିବା ଓ ରହଣୀକୁ ମିଶେଇ ୯ ଦିନ ହେଉଥିବାରୁ ନବଦିନାତ୍ମକ ଯାତ୍ରା ।
ଗୁଣ୍ଡିଚା ଯାତ୍ରା: ଗୁଣ୍ଡିଚା ଘରକୁ ଯାତ୍ରା କରୁଥିବାରୁ ଏହା ଗୁଣ୍ଡିଚା ଯାତ୍ରା ।
ରଥଯାତ୍ରାର ଇତିହାସ
ହରିହର କାନୁନଗୋଙ୍କ ମତରେ ଜଗନ୍ନାଥଙ୍କ ରଥଯାତ୍ରା ଏକ ବୌଦ୍ଧ ଅନୁଷ୍ଠାନ । ସିଂହଳରେ ଯେଉଁ ରଥଯାତ୍ରା ପାଳିତ ହୁଏ, ସେଥିରେ ବୁଦ୍ଧଙ୍କ ଦନ୍ତକୁ ବୈଶାଖ ଶୁକ୍ଳ ତ୍ରୟୋଦଶୀ ଦିନ ବାହାର କରି ହାତୀ ଉପରେ ଥୋଇ ମହା ସମାରୋହରେ ଶୋଭାଯାତ୍ରାରେ ନିଆଯାଏ ଓ ନଗରର ରାଜମାର୍ଗ ମାନ ବୁଲାଇ ସେହି ଦନ୍ତକୁ ଶେଷରେ ଏକ ମଣ୍ଡପରେ ସ୍ଥାପନ କରାହୁଏ। ସେଠାରେ ଛଅଦିନ ରହିବା ପରେ ପୁଣି ଦନ୍ତ ମନ୍ଦିରକୁ ଫେରି ଆସେ । ପୁରୀରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଜଗନ୍ନାଥ ମହାପ୍ରଭୁ କାଷ୍ଠ ନିର୍ମିତ ରଥରେ ବାହାରି ଶୀକ୍ଷେତ୍ରର ବଡ଼ଦାଣ୍ଡ ଅତିକ୍ରମ କରି ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚନ୍ତି ଏବଂ ସେଠାରେ ୭ଦିନ ରହି ପୁଣି ଶୁକ୍ଳ ଦଶମୀ ଦିନ ଶ୍ରୀମନ୍ଦିରରକୁ ବାହୁଡା ବିଜେରେ ଫେରିଥାନ୍ତି ।
ପୁରାତତ୍ତ୍ୱବିତ ରାଜେନ୍ଦ୍ର ଲାଲ ମିତ୍ରଙ୍କ ମତନୁଯାୟୀ ପୁରୀର ରଥଯାତ୍ରା ବୁଦ୍ଧଦେବଙ୍କ ଜନ୍ମୋତ୍ସବ ପାଳନର ସ୍ମୃତି ମାତ୍ର। ଷୋଡ଼ଶ ଶତାଦ୍ଦୀରେ ରଚିତ ମାଦଳା ପାଞ୍ଜିରେ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ଦେଖିବାକୁ ମିଳେ । ଏଥିରେ ଉଲ୍ଲେଖ ଅଛି ଯେ, ବୀର ନରସିଂହ ଦେବ ରାଜା ରାଜ୍ୟ କଲେ। ଏ ରାଜା ବାଙ୍କୀ ମୁହାଣ ପୋତାଇଲେ । ଛଅ ରଥ ହେଉଥିଲା, ରାଜା ତାହା ପୋତାଇ ତିନି ରଥ କରାଇଲେ । ଗୁଣ୍ଡିଚା ଘର ଦେଉଳ କାଠ ମଣ୍ଡପ ହୋଇଥିଲା, ତାହା ପଥର ମଣ୍ଡପ କଲେ । ଏ ଦୁଇ ପାଖେ ବଳଗଣ୍ଡି କଲେ ।
ଆହୁରି ପଢ଼ନ୍ତୁ: Unknown Fact Of Ratha Yatra Odisha
କେହି ଜଣେ ଗବେଷକ ଲାଙ୍ଗୁଳା ନରସିଂହ ଦେବଙ୍କ ପରବର୍ତ୍ତୀ ରାଜା ଭାନୁଦେବଙ୍କ (ଖ୍ରୀ.ଅ ୧୨୬୪-୧୨୭୮)ଙ୍କ ସମୟରେ ଛଅ ରଥ ପରିବର୍ତ୍ତେ ତିନି ରଥ ହେବାର ବ୍ୟବସ୍ଥା ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି । ଏହି ଛଅ ରଥ କେବେ ଠାରୁ ଶ୍ରୀକ୍ଷେତ୍ରରେ ପ୍ରଚଳିତ ହେଲା, ସେ ସମ୍ପର୍କରେ ମାଦଳା ପାଞ୍ଜିରୁ କୈଣସି ତଥ୍ୟ ମିଳୁନାହିଁ । କିନ୍ତୁ ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ପୁରୀରେ ରଥ ଯାତ୍ରା ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳୁଛି। ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ରଚିତ ସ୍କନ୍ଧ ପୁରାଣ ଉତ୍କଳ ଖଣ୍ଡର ପୁରୁଷୋତ୍ତମ ମାହାତ୍ମ୍ୟରେ ରଥଯାତ୍ରାର ସବିଶେଷ ବିବରଣୀ ବର୍ଣ୍ଣନା ରହିଛି।
ଖ୍ରୀ.ଅ ଅଷ୍ଟମ ବା ନବମ ଶତାଦ୍ଦୀରେ ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବିଷୟ ଭିକାରୀ ପଟ୍ଟନାୟକଙ୍କ ୧୮୫୯ ସାଲରେ ରଚିତ ରଥ ଚକଡା ପୋଥିରୁ ଉଦ୍ଧାର କରି ଗବେଷକ ସଦାଶିବ ରଥଶର୍ମା ପ୍ରକାଶ କରିଛନ୍ତି । ଏହି ରଥ ଚକଡା ପାଣ୍ଡୁଲିପିଟି ପୁରୀ ବାସେଳି ସାହିର ତତକାଳୀନ ରଥ ଅମୀନ ଓ ରଥକାର ଫକୀର ମହାପାତ୍ରଙ୍କ ଠାରୁ ପ୍ରାପ୍ତ ଓ ପୁରୀ ବଡ଼ ଓଡ଼ିଆ ମଠରେ ତାହା ସୁରକ୍ଷିତ ଥିଲା ବୋଲି ରଥଶର୍ମା ଉଲ୍ଲେଖ କରିଛନ୍ତି। ଯଯାତିଙ୍କ ବେଳେ ଜଗନ୍ନାଥ ମନ୍ଦିରର ଉଚ୍ଚତା ମାତ୍ର ୪୮ ହାତ ଥିଲା। ଠାକୁରେ ୨ହାତ ୧୦ଆଙ୍ଗୁଳର ଥିଲେ ଓ ରଥମାନ ୧୮ ହାତ ଉଚ୍ଚ ଥିଲା । ତିନି ରଥ ବୋଧେ ସମାନ ଥିଲା। ରଥ ଛଅ ଗୋଟି ହେଉଥିଲା । ବଳଗଣ୍ଡି ପର୍ଯ୍ୟନ୍ତ ତିନିରଥ ଯାଉଥିଲା । ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିନିରଥ ନିର୍ମାଣ କରାଯାଉଥିଲା। ଏହା ଚାରି ଚକିଆ ଶଗଡି ସଦୃଶ୍ୟ ହେଉଥିଲା । ଏହି ତିନିଗୋଟି ରଥ ମାଳିନୀ ବା ବଡ଼ ନଈର ଉତ୍ତର ଭୂମିରେ ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ଘରକୁ ଯାଉଥିଲା । ସିଂହଦ୍ୱାର ଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ରଥ ଷୋହଳ ଚକିଆ , ଚଉଦ ଚକିଆ ଓ ବାର ଚକିଆ। ରଥ ଉପରେ ସୁନାର ତିନିବେଣ୍ଟିଆ ଧ୍ୱଜ କଳସ ଲାଗୁଥିଲା। କନକ ମୁଣ୍ଡାଇରେ ରତ୍ନ ଚାନ୍ଦୁଆ ଟଣା ହେଉଥିଲା। ଅନ୍ୟ ଗୋଟିଏ ଛୋଟ ରଥରେ ବଜନ୍ତରି, ରଥ ଘଣ୍ଟୁଆ, ବାଦ୍ୟକାରମାନେ ଯାଉଥିଲେ ଆଗେ ଆଗେ। ପଛରେ ତିନି ରଥକୁ ଟାଣୁଥିଲେ ଭକତମାନେ । ରଥରେ ଚାଉଳ, ନଡିଆ ଖଣ୍ଡ ପଡି ଭୋଗ ଲାଗୁଥିଲା । ତାହା ଅଳ୍ପ ସଂଖ୍ୟକ ସମବେତ ଭକ୍ତଗଣଙ୍କୁ ବଣ୍ଟନ କରାଯାଉଥିଲା । ବଳଗଣ୍ଡିଠାରେ ରଥ ପହଞ୍ଚିଲେ ଦୋଳଚାପରେ ନଈ ପାରି ହୋଇ ଅର ପଟକୁ ଠାକୁରମାନେ ବିଜେ କରି ଚାରି ଚକିଆ ଶଗଡି ରଥରେ ବସି ଗୁଣ୍ଡିଚା ମନ୍ଦିର ବେଢାକୁ ଯାଆନ୍ତି । ସାତ ଦିନ ପରେ ନବଦିନ ଯାତ୍ରା ସମାପ୍ତ କରି ବାହୁଡା ଯାତ୍ରା ହେଉଥିଲା।
ପ୍ରାବନ୍ଧକ ଡକ୍ଟର ହରିହର କାନୁନଗୋଙ୍କ ମତରେ ଯଯାତିଙ୍କ ସମୟରେ ହୋଇଥିବା ଘଟଣାଟି ବିଶ୍ୱାସଯୋଗ୍ୟ ମନେହୁଏ। ସମ୍ଭବତଃ ଜଗନ୍ନାଥଙ୍କୁ ୩୮ହାତର ଏକ ପଟୋଳରେ ସ୍ଥାପନା କଲା ବେଳେ ପୂର୍ବରୁ ଅନୁସୃତ ରଥଯାତ୍ରା ପରମ୍ପରାର ପ୍ରଭାବରେ ଯଯାତି ଏହି ରଥଯାତ୍ରାର ପ୍ରଚଳନ କରିଥିଲେ । ପରବର୍ତ୍ତୀ ଦ୍ୱାଦଶ ଶତାଦ୍ଦୀରେ ୧୦୦ ହାତର କିମ୍ବା ୧୨୫ ହାତର ବଡ଼ ଦେଉଳ ନିର୍ମାଣ ସମାପ୍ତି ଓ ଠାକୁରମାନଙ୍କ ବିଜେ ତୃତୀୟ ଅନଙ୍ଗଭୀମ ଦେବ (ଖ୍ରୀ.ଅ.୧୨୧୧-୧୨୩୮)ଙ୍କ ସମୟ ହୋଇଥିବାରୁ ସେହି ବର୍ଷଠାରୁ ପୂର୍ବ ସ୍ମୃତିକୁ ମନେ ରଖିବା ପାଇଁ ବଡ଼ ଦେଉଳରୁ ଗୁଣ୍ଡିଚା ଘରକୁ ଦିଅଁଙ୍କର ରଥଯାତ୍ରା ଦକ୍ଷିଣାଭିମୁଖୀରେ ହୋଇଥିବା ସମ୍ଭବପର । ଯଯାତିଙ୍କ ସମୟରେ ବଡ଼ ଦାଣ୍ଡର ବଳଗଣ୍ଡିଠାରେ ମାଳିନୀ ନଦୀ ପ୍ରବାହିତ ହେଉଥିବାରୁ ଛଅ ରଥ ନିର୍ମାଣ କରାଯାଉଥିଲା ଏବଂ ବୀର ନରସିଂହ ଦେବ ଓରଫ ପ୍ରଥମ ଭାନୁଦେବ (ଖ୍ରୀ.ଅ.୧୨୬୪-୧୨୭୮) କିମ୍ବା ଦ୍ୱିତୀୟ ନରସିଂହ ଦେବ (ଖ୍ରୀ.ଅ ୧୨୭୮-୧୩୦୭)ଙ୍କ ସମୟରେ ଏହି ମାଳିନୀ ନଦୀ (ଶରଧାବାଲି)କୁ ପୋତି ଦେବା ଫଳରେ ଛଅ ରଥ ପରିବର୍ତ୍ତେ ତିନି ରଥ ତିନି ରଥ ନିର୍ମିତ ହୋଇ ଆସୁଅଛି।
ଅପରପକ୍ଷରେ ଗବେଷକ ଡଃ ନୀଳକଣ୍ଠ ମିଶ୍ର ଉଲ୍ଲେଖ କରିଛନ୍ତି ଯେ, ଖ୍ରୀ.ଅ ୧୨୭୦ରେ ମାଧବାଚାର୍ଯ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ କାଳରେ ଏକ ଯାତ୍ରାରେ ଦୁଇ ପ୍ରକାର ରଥ ବ୍ୟବହାର ଶାସ୍ତ୍ର ବିରୋଧୀ ବୋଲି ମତ ଦେଇ ମାଳିନୀ ନଦୀ ପୋତି ବଡ଼ଦାଣ୍ଡରେ ମାତ୍ର ତିନି ଗୋଟି ରଥରେ ରଥଯାତ୍ରା ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ତେଣୁ ଗଙ୍ଗ ସମ୍ରାଟ ଅନଙ୍ଗ ଭୀମ ଦେବଙ୍କ ପୁତ୍ର ପ୍ରଥମ ଭାନୁଦେବ (୧୨୬୪-୧୨୮୭ ଏ ବ୍ୟବସ୍ଥା କରିଥିଲେ । ମାଳିନୀ ବା ଶରଧା ନଦୀ ପୋତା ହେଲା ପରେ ଏହା ବଡ଼ ଦାଣ୍ଡରେ ପରିଣତ ହେଲା ।
ଖ୍ରୀଷ୍ଟୀୟ ନବମ ଶତାଦ୍ଦୀର କବି ମୁରାରୀ ମିଶ୍ର ସ୍ୱୀୟ ସୃଷ୍ଟିରେ ରଥଯାତ୍ରା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ବୋଲି କେତେକ ଅଲୋଚକ ମତପୋଷଣ କରିଛନ୍ତି । ଶ୍ରୀବିଗ୍ରହମାନଙ୍କ ରଥଯାତ୍ରା କାଳରେ ମୁରାରୀ ମିଶ୍ରଙ୍କ ରଚିତ ସୁପ୍ରସିଦ୍ଧ ସଂସ୍କୃତ ନାଟକ ଅନର୍ଘ ରାଘବ ସମେତ ବହୁ ସଂସ୍କୃତ କାବ୍ୟ ଭକ୍ତମାନଙ୍କର ଚିତ୍ତ ବିନୋଦନ ପାଇଁ ଅଭିନୀତ ହେଉଥିବାରୁ ସୂଚନା ତାଙ୍କ ରଚନାରୁ ମିଳିଥାଏ । କବି ମୁରାରୀ ମିଶ୍ରଙ୍କ ରଚନାରୁ ଜଣାଯାଏ ଯେ, ଭାଗବତଃ ପୁରୁଷୋତ୍ତମସ୍ୟ ଯାତ୍ରାୟା ମୁପସ୍ଥାନୀୟା ସଭାସଦଃ। ଏଠାରେ ଶ୍ରୀପୁରୁଷୋତ୍ତମ ବା ଶ୍ରୀଜଗନ୍ନାଥଙ୍କ ଯେଉଁ ଯାତ୍ରାର ନାମ ଉଲ୍ଲେଖ କରିଛନ୍ତି, ତାହା ଆଲୋଚକମାନଙ୍କଦ୍ୱାରା ରଥଯାତ୍ରା ରୂପେ ଗୃହୀତ ହୋଇଛି। ମାତ୍ର ବର୍ଣ୍ଣିତ ଯାତ୍ରାର କାଳ ନିରୂପିତ ହୋଇନଥିବାରୁ ଏହାକୁ ରଥଯାତ୍ରା ଭାବରେ ଗ୍ରହଣ କରିବାରେ ମତଦ୍ୱୈଧ ପରିଲକ୍ଷିତ ହୋଇଥାଏ ।ବିଶିଷ୍ଟ ଐତିହାସିକ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ୧୨୨୩ ଖ୍ରୀଷ୍ଟାବ୍ଦର ପରବର୍ତ୍ତୀ କାଳରେ ରଥଯାତ୍ରା ପ୍ରଚଳନ କଥା ଉଲ୍ଲେଖ କରିଛନ୍ତି । ରାଜଗୁରୁଙ୍କ ମତରେ ୧୨୨୩ ଖ୍ରୀଷ୍ଟାବ୍ଦ ପରେ କୈଣସି ସମୟରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଦାରୁ ନିର୍ମିତ ହେବାରେ ଓ ଆଦିବାସୀ ଦଇତାମାନେ ଶ୍ରୀଜଗନ୍ନାଥଙ୍କ ସେବକ ରୂପେ ନିଯୁକ୍ତି ହେବାର ରଥଯାତ୍ରାର ସୃଷ୍ଟି ହୋଇଅଛି।
ପୌରାଣିକ ମତରେ ରଥଯାତ୍ରା
କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟାୟିକା ଅନୁଯାୟୀ, ଜାରା ଶବର ଶରରେ ପ୍ରାଣ ଛାଡ଼ିଲେ ଦ୍ୱାରକାଧିପତି ଶ୍ରୀକୃଷ୍ଣ । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବଗଣ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ, କାରଣ ଅଗ୍ନିର ଦାହିକା ଶକ୍ତି ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନ ଥିଲା । ଶୂନ୍ୟବାଣୀ ହେଲା- କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ ପାଣ୍ଡବମାନେ ତାହାହିଁ କଲେ।
ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ବାଙ୍କୀ ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ସ୍ୱୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ। ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏ ଦ୍ୱାର ଖୋଲାଯିବ ନାହିଁ । ମାତ୍ର ପନ୍ଦର ଦିନ ପରେ ଦ୍ୱାର ଖୋଲାଗଲା ମୂର୍ତ୍ତିନିର୍ମାଣ କରୁଥିବା ବୃଦ୍ଧ ଉଭାନ ହୋଇଗଲେ । କେବଳ ଅଧାଗଢା ମୂର୍ତ୍ତି ରହିଗଲା ଅଧାଗଢ଼ା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା । ସେହି ସମୟରେ ମହାପ୍ରଭୁ କହିଥିଲେ : ହେ ରାଜା, ବର୍ଷକୁ ଥରେ ଜନ୍ମଭୂମିକୁ ଆଣିବ। ସେଥିପାଇଁ ଶ୍ରୀଜୀଉମାନେ ଗୁଣ୍ଡିଚାଘରକୁ ବୁଲି ଯାଆନ୍ତି ଓ ବାହୁଡ଼ନ୍ତି।
ବିଭିନ୍ନ ପୁରାଣରେ ରଥଯାତ୍ରା
ଶ୍ରୀକ୍ଷେତ୍ର ଧାମରେ ପାଳିତ ହେଉଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ତଥା ପାଳନ ବିଧିର ବିସ୍ତୃତ ବର୍ଣ୍ଣନା ବିଭିନ୍ନ ପୁରାଣ ଓ ଉପପୁରାଣମାନଙ୍କରେ ଉଲ୍ଲେଖ ହୋଇଛି। ବିଶେଷ ଭାବେ ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମ ପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା, ଶାରଦା ପୁରାଣ ପ୍ରଭୃତି ଉଲ୍ଲେଖଯୋଗ୍ୟ। ଶ୍ରୀମନ୍ଦିରରେ ପାଳିତ ମୁଖ୍ୟ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ । ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ସମ୍ବନ୍ଧରେ ଯେଉଁ ଶ୍ଳୋକଟି ସର୍ବ ମୁଖ ନିଃସୃତ, ତାହା ହେଉଛି -
ମଞ୍ଚ ସ୍ନାନଂ ରଥବରଗତିଃ ଶାୟନଂ ଚାୟନେ ଦ୍ୱେ
ପାର୍ଶ୍ୱ ବୃତ୍ତିଃ ଶୟନ ନିବୃତ୍ତି ପାବୃତ୍ତୈ ପୁଷ୍ୟପୂଜା
ଦୋଳଯାତ୍ରା ଦମନକମହୋତାକ୍ଷ ପୂଜା ତୃତୀୟା
ଚୈକଂ ଯାତ୍ରା ବିଧନିଗଦିତା ଦ୍ୱାଦଶୈତା ନରେନ୍ଦ୍ର ।
ମହାପ୍ରଭୁମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ ବୋଲି ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ୱର ଏକ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ତେଣୁ ପୁରାଣମାନଙ୍କରେ କୁହାଯାଇଛି - ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ଲାଭ ହୁଏ।
ସ୍କନ୍ଧ ପୁରାଣ
ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟ ଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣି ରହିଅଛି। ନିମ୍ନରେ ସେହି ବିବରଣୀର ସାରମର୍ମ ଉଲ୍ଲେଖ କରାଯାଇଛି - ବୈଶାଖ ଶୁକ୍ଳ ତୃତୀୟା ରୋହିଣୀ ନକ୍ଷତ୍ର ଦିନ ରାଜା ସଂକଳ୍ପ କରିବେ। ଆଚାର୍ଯ୍ୟ ବରଣ କରିବେ । କାର୍ଯ୍ୟଦକ୍ଷ ଅବିଦିତ ଜଣେ ବା ତିନିଜଣ ସୂତ୍ରଧରଙ୍କୁ ବନକୁ ଯିବାପାଇଁ ବସନ, ଭୂଷଣ ଦେଇ ବରଣ କରିବେ। ଯେଉଁ ବନରେ ଅତ୍ୟୁତ୍ତମ ତରୁ ବିଦ୍ୟାମାନ ସେଠାକୁ ଯାଇ ରାଜା ମନ୍ତ୍ର ଉଚ୍ଚାରଣ କରି ଅଗ୍ନି ସ୍ଥାପନ କରିବେ। ଆଜ୍ୟଧାରଯୁକ୍ତ ଅଷ୍ଟୋତ୍ତର ଶତ ଆହୁତି ଦେବେ। ପ୍ରତି ବୃକ୍ଷ ମୂଳରେ ଆଜ୍ୟଧାରା ଦେବେ। ଦିଗପାଳମାନଙ୍କୁ ଯଥାବିଧି ବଳି ଦେବେ। କ୍ଷେତ୍ରପାଳମାନଙ୍କୁ ପଶୁବଳି ଦେବେ। ବୃକ୍ଷର ପ୍ରୀତି ପାଇଁ ଶ୍ହେ ଦୁଗ୍ଧାନ୍ନ ଆହୁତି ଦେବେ । ଆଚାର୍ଯ୍ୟ ପତଗଧ୍ୱଜ ଭଗବାନଙ୍କୁ ଧ୍ୟାନକରି କୁଠାରଧରି ମନ୍ତ୍ର ଉଚ୍ଚାରଣ କରି ବୃକ୍ଷର ମୂଳକୁ ଅଳ୍ପ ଅଳ୍ପ କରି କାଟିବେ। ସେଠାରେ ମଙ୍ଗଳଧ୍ୱନି କରାଇବେ । ସୂତ୍ରଧରଙ୍କୁ ଗଛକାଟି କାର୍ଯ୍ୟରେ ନିଯୁକ୍ତ କରି ଆଚାର୍ଯ୍ୟ ସ୍ୱଗୃହକୁ ଫେରିବେ । ଯଦି ରଥ ନିର୍ମାଣ ଉପଯୁକ୍ତ ସ୍ୱଗୃହ ନିକଟରେ ମିଳିବ ତାହା ହେଲେ ବିଧାନ ଅନୁସାରେ କାଷ୍ଠ ସଂସ୍କାର କରିବେ ।
ସ୍କନ୍ଧ ପୁରାଣ ଅନୁସାରେ - ଜଗନ୍ନାଥଙ୍କ ରଥ ଚକ ସଂଖ୍ୟା ୧୬ (ଷୋହଳ), ବେଦୀ ଉପରୁ ରଥର ଉଚ୍ଚତା ୨୩ (ତେଇଶି) ହାତ, ଚାରୋଟି ତୋରଣ ହେବ । ଗରୁଡଧ୍ୱଜ ରକ୍ତ ଚନ୍ଦନ କାଠରେ ହେବ। ବଳଦେବଙ୍କ ରଥର ୧୪ (ଚଉଦ)ଟି ଚକ, ବେଦୀ ଉପରୁ ରଥର ଉଚ୍ଚତା ୨୨ (ବାଇଶ) ହାତ। ସୁଭଦ୍ରା ଦେବୀଙ୍କ ରଥର ଚକ ସଂଖ୍ୟା ୧୨(ବାର), ବେଦୀ ଉପରୁ ଉଚ୍ଚତା ୨୧ (ଏକୋଇଶ) ହାତ। ଏହି ରଥଯାତ୍ରାକୁ ନବଦିନାତ୍ମିକା ଯାତ୍ରା କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ୱିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ର।
ଠାକୁରମାନେ ଗୁଣ୍ଡିଚା ମଣ୍ଡପ ଉପରେ ଥିବା ସମୟରେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ। ଶୁକ୍ଳ ଦ୍ୱିତୀୟା ଦିନ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନକରି ନୃସିଂହଙ୍କଠାରେ ସଂକଳ୍ପ ବ୍ରତ ଆରମ୍ଭ କଲେ ମହାପୂଣ୍ୟ ହୋଇଥାଏ। ଏହାକୁ ମହାବେଦୀ ମହୋତ୍ସବ ବ୍ରତ କୁହାଯାଏ। ଅଷ୍ଟମ ଦିବସରେ ବ୍ରତ ଶେଷ ହୁଏ। ମହାବେଦୀରେ ଶ୍ରୀଜଗନ୍ନାଥଙ୍କ ଅବସ୍ଥିତିକୁ ମହାବେଦୀ ଯୋଗ କୁହାଯାଏ । ଏହା ଅତି ପବିତ୍ର ସମୟ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି, ମଘା ନକ୍ଷତ୍ର, ଜଗନ୍ନାଥଙ୍କ ମହା ସମାଗମ ଏ ତିନି ମହାବେଦୀ ଯୋଗର ତ୍ରିପାଦ ସ୍ୱରୂପ। ଏହା ସହିତ ଇନ୍ଦ୍ରଦ୍ୟୁମ୍ନ ସରୋବର ମିଳିତ ହେଲେ ଚତୁସ୍ପାଦ ଯୋଗ ହୁଏ। ଏହା ପୂର୍ଣ୍ଣଯୋଗ ଏବଂ ପିତୃମାନଙ୍କର ମୁକ୍ତିପଦ।
ଚୈତନ୍ୟ ଚାରିତାମୃତ
ଚୈତନ୍ୟ ଚରିତାମୃତ ଗ୍ରନ୍ଥର ରଚୟିତା କବିରାଜ କୃଷ୍ଣ ଦାସ ଉକ୍ତ ଗ୍ରନ୍ଥରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାର ଯେଉଁ ବିବରଣ ପ୍ରଦାନ କରିଛନ୍ତି, ତାହା ଦୀର୍ଘ ପାଞ୍ଚ ଶହ ବର୍ଷ ପୂର୍ବର ଅଟେ। ସେ ଚୈତନ୍ୟଙ୍କ ଶିଷ୍ୟ ରଘୁନାଥ ଦାସ ଗୋସ୍ୱାମୀଙ୍କ ଶିଷ୍ୟ ଥିଲେ । ଚୈତନ୍ୟ ଚରିତାମୃତ ଗ୍ରନ୍ଥରୁ ଜଣାଯାଏ, ଶ୍ରୀଚୈତନ୍ୟ ତାଙ୍କ ପାର୍ଷଦମାନଙ୍କ ସହିତ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ମାର୍ଜନା କରୁଥିଲେ। ସେମାନେ ଛୋଟ ବଡ଼ ମନ୍ଦିର ମାର୍ଜନା ଓ ଶୋଧନ ତଥା ଶେଷରେ ଜଗମୋହନ ପରିଷ୍କାର କରୁଥିଲେ ।
ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା Akshyaya trutiya In Odia
ଗୁଣ୍ଡିଚା ମନ୍ଦିରରେ ଗେଲ କରିତେ ମାର୍ଜନା ।
ପ୍ରଥମେ ମାର୍ଜନୀ ଲୱା କରିଲ ଶୋଧନ ।
ଛୋଟ ବଡ଼ ମନ୍ଦିର କୈଲ ମାର୍ଜନା ଶୋଧନ।
ପାଛେ ତୈଛେ ଶୋଧିଲ ଶ୍ରୀଜଗମୋହନ ।
ପୁନଶ୍ଚ ଉକ୍ତ ଗ୍ରନ୍ଥରେ ହୋଇଥିବା ବର୍ଣ୍ଣନା ଅନୁଯାୟୀ , ସେ ସମୟରେ ରଥର ସାଜସଜ୍ଜା ଉତ୍ତମମାନର ଥିଲା। ଏହା ଦର୍ଶନ କରି ସମସ୍ତେ ବିସ୍ମୟ ପ୍ରକାଶ କରୁଥିଲେ। ରଥ ସଦ୍ୟ ସୁବର୍ଣ୍ଣ ଛାଉଣୀ ହେବା ଭଳି ପ୍ରତୀୟମାନ ହେଉଥିଲା ଓ ଏହା ସୁମେରୁ ପର୍ବତ ସଦୃଶ ଅତି ଉଚ୍ଚ ଥିଲା। ରଥଗୁଡିକ ଉଜ୍ଜ୍ୱଳ ଦର୍ପଣ ଓ ଶହ ଶହ ଚାମରଦ୍ୱାରା ସଜ୍ଜିତ ହେଉଥିଲା। ରଥ ଉପରେ ସୁନ୍ଦର ଚାନ୍ଦୁଆ ଟଣା ହେଉଥିଲା ଏବଂ ଅଗ୍ର ଭାଗରେ ଅତି ସୁନ୍ଦର ପତକା ଶୋଭା ପାଉଥିଲା। ରଥଗୁଡିକ ମଧ୍ୟ ପାଟବସ୍ତ୍ର ଏବଂ ନାନା ପ୍ରକାର ଚିତ୍ରଦ୍ୱାରା ସୁଜ୍ଜିତ ହେଉଥିଲା। ଘଣ୍ଟା, ଘଣ୍ଟି, କିଙ୍କିଣୀ ପ୍ରଭୃତି ବିବିଧ ବାଦ୍ୟ ମଧ୍ୟ ବାଜୁଥିଲା। ସେତେବେଳେ ଠାକୁରମାନଙ୍କ ପହଣ୍ଡି ଦଇତାମାନଙ୍କଦ୍ୱାରା ହେଉଥିଲା। ଶ୍ରୀଜଗନ୍ନାଥଙ୍କ ବାହକ ଦଇତାମାନେ ମତ୍ତହସ୍ତୀ ତୁଲ୍ୟ ଶକ୍ତିଶାଳୀ ଥିଲେ । ପହଣ୍ଡି ସମୟରେ ପହଣ୍ଡି ସ୍ଥାନଠାରୁ ରଥ ପର୍ଯ୍ୟନ୍ତ ତୁଳା ନିର୍ମିତ ଉଚ୍ଚାଗଦି ବା ତୁଳୀ ବିଛାଇ ଦିଆଯାଉଥିଲା ଏବଂ ଦଇତାମାନେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଗଦିରୁ ଅନ୍ୟ ଏକ ଗଦିକୁ ବହନ କରି ନେଇଯାଉଥିଲେ, ଏହି ସମୟରେ କେତେକ ତୁଳା ଖଣ୍ଡ ଖଣ୍ଡ ହୋଇ ଛିଡି଼ ଯାଉଥିଲା ଏବଂ ତୁଳା ସବୁ ଆକାଶରେ ଉଡୁଥିଲା ଓ ଗଦି ଫାଟିବା ସମୟରେ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହେଉଥିଲା।
ଉଚ୍ଚ ଦୃଢ଼ ତୁଲୀ ସବ ପାତି ସ୍ଥାନେ ସ୍ଥାନେ ।
ଏକ ତୁଲୀ ହୈତେ ତ୍ୱରାୟ ଆର ତୁଲୀତେ ଆନେ ।
ପ୍ରଭୁ ପଦାଘାତେ ତୁଲୀ ହୟ ଖଣ୍ଡ ଖଣ୍ଡ ।
ତୁଲୀ ସବ ଉଡି଼ ଯାୟ ଶବ୍ଦ ହୟ ପ୍ରଚଣ୍ଡ ।
ବର୍ତ୍ତମାନ ଗଜପତି ମହାରାଜ ରଥ ଉପରେ ଛେରାପହଁରା କଲା ପରି ସେତେବେଳେ ହେଉନଥିଲା। ରାଜା ରଥ ତଳେ ପଥରେ ଛେରା ପହଁରା କରୁଥିଲେ । ପ୍ରତାପରୁଦ୍ର ଦେବ ନିଜେ ସୁନା ଛାଉଣୀଦ୍ୱାରା ପଥ ପରିଷ୍କାର କରୁଥିଲେ, ରାଜା ପଥ ମଧ୍ୟରେ ସୁଗନ୍ଧି ଚନ୍ଦନ ଜଳ ସିଞ୍ଚନ କରୁଥିଲେ । ସେ ସମୟରେ ରଥଟଣାରେ ଗୌଡ଼ ନାମକ ସମ୍ପ୍ରଦାୟ ନିଯୁକ୍ତ ହେଉଥିଲେ । ତାଙ୍କ ସହିତ ହସ୍ତୀମାନଙ୍କୁ ମଧ୍ୟ ରଥଟଣା କାର୍ଯ୍ୟରେ ଲଗାଯାଉଥିଲା । ଶ୍ରୀଚୈତନ୍ୟ ସେତେବେଳେ ରଥ ଆଗରେ ଭାବ ବିହ୍ୱଳିତ ନୃତ୍ୟ ଓ ସଂକୀର୍ତ୍ତନ କରୁଥିଲେ । ଶ୍ରୀଚୈତନ୍ୟ ଏକ ସଙ୍ଗେ ସାତଟି ଦଳରେ ନୃତ୍ୟ କରୁଥିଲେ । ତତ୍କାଳୀନ ସମୟରେ ବଳଗଣ୍ଡିଠାରେ ରଥ ଦୀର୍ଘ ସମୟ ରହିବାର ପ୍ରଥା ଥିଲା । ସେହି ସ୍ଥାନରେ ଜଗନ୍ନାଥଙ୍କ ନିକଟରେ ବିପୁଳ ପରିମାଣର ଭୋଗ ଲାଗିବାର ନିୟମ ବା ଚଳଣି ମଧ୍ୟ ଥିଲା ।