soyabean farming in odisha, soyabean farming seeds, soyabean balasore, soyabean in odia, soyabean farming in odia, soyabean farming in odia, odia pathshala, odiapathshala
ସୋୟାବିନ ଏକ ସୁଷମ ଖାଦ୍ୟ ସହ ସୋୟାବିନରୁ ମିଳୁଥିବା ତେଲ ଶରୀର ପାଇଁ ବେଶ ଉପଯୋଗୀ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ସୋୟାବିନ ଚାଷ ଏବେ ଓଡ଼ିଶାରେ ସମ୍ଭବ ହୋଇପାରୁଛି । ସୋୟାବିନ ଏକ ଦୈତ୍ୟ ଲାଭଦାୟକ ଫସଲ ଅର୍ଥାତ ଏଥିରୁ ଉଭୟ ତେଲ ଓ ଫସଲ ଉତ୍ପନ୍ନ ହୁଏ । ସୋୟାବିନ ମଞ୍ଜିରେ ଶତକଡ଼ା ୪୦-୪୨ ଭାଗ ପ୍ରୋଟିନ ଓ ୧୬-୨୦ ଭାଗ ପର୍ଯ୍ୟନ୍ତ ତୈଳ ଅଂଶ ଥାଏ । ତେବେ ଆସନ୍ତୁ ଜାଣିବା ସୋୟାବିନ ଚାଷ ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ।
ମୃତ୍ତିକା:-
ସୋୟାବିନ ଫସଲ ଉଭୟ ମରୁଡ଼ି ଓ ଅଧିକ ବର୍ଷା ସହିପାରେ । ସୋୟାବିନ ପାଇଁ ନିଗିଡ଼ା ଦୋରସା ଓ ପଟୁ ମାଟି ଖୁବ ଭଲ । କ୍ଷାରୀ , ଅମ୍ଳ , ଓ ପାଣି ଜମୁଥିବା ସ୍ଥାନରେ ଏହା ହୁଏ ନାହିଁ । ମାଟିରେ ଅମ୍ଳ ଅଂଶ ଥିଲେ ବୁଣିବାର ଏକ ମାସ ପୂର୍ବରୁ ଅନୁମୋଦିତ ପରିମାଣର ଚୂନ କିମ୍ବା କାଗଜ କଳ ମଣ୍ଡ ମାଟିରେ ପ୍ରୟୋଗ କରିବା ଆବଶ୍ୟକ । ଉଚ୍ଚା ଓ ମଧ୍ୟମ କିସମ ଜମି ସୋୟାବିନ ଚାଷ ପାଇଁ ଉପଯୋଗୀ ଅଟେ ।
କିସମ:-
ଅଙ୍କୁର , ଗୌରବ , ପି.କେ.୭୩-୧୬୩, ଟି-୪୯
ବୁଣିବା ସମୟ:-
ଏହା ଉଭୟ ବର୍ଷା ଓ ଶୀତ ୠତୁରେ ଚାଷ କରାଯାଇଥାଏ । ଆମ ଓଡ଼ିଶାର ଜଳବାୟୁରେ ଖରିଫ୍ ଫସଲରୁ ଅଧିକ ଅମଳ ମିଳେ । ଖରିଫ୍ ୠତୁରେ ଏହା ଜୁନ୍ ମାସ ମଧ୍ୟ ଭାଗରୁ ଜୁଲାଇ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଓ ରବି ୠତୁରେ ଡିସେମ୍ବର ଓ ଜାନୁୟାରୀ ମାସରେ ବୁଣାଯାଏ । ଏକ ଏକର ପାଇଁ ୩୦ କି.ଗ୍ରା. ବିହନ ଦରକାର ପଡ଼େ । ବିହନକୁ ବୁଣିବାର ୭ଦିନ ଆଗରୁ କ୍ୟାପଟାନ୍ (୧କି.ଗ୍ରା. ମଞ୍ଜି ପାଇଁ ୩ ଗ୍ରାମ୍) ସହିତ ମିଶାଇ ବିଶୋଧନ କରାଯାଏ । ବୁଣିବା ଦିନ ମଞ୍ଜିକୁ ବୀଜାଣୁ କଲଚର ସହିତ ଗୋଳାଇ ବୁଣିବା ଉଚିତ୍ ।
ବୁଣିବା ପ୍ରଣାଳୀ :-
ଜମିକୁ ଭଲଭାବେ ଗୁଣ୍ଡ ଚାଷ କରି ଏକର ପ୍ରତି ୫ ଗାଡି ଖତ କିମ୍ବା କମ୍ପୋଷ୍ଟ ମାଟିରେ ମିଶାଇ ଦିଅନ୍ତୁ । ଏକ ଏକର ଜମି ପାଇଁ ଯବକ୍ଷାରଜାନ୍ ୧୬ କି.ଗ୍ରା. ,ଫସଫରସ୍ ୧୨ କି.ଗ୍ରା. ଓ ପଟାସ୍ ୧୨ କି.ଗ୍ରା. ଖାଦ୍ୟସାର ଆବଶ୍ୟକ ପଡ଼ିଥାଏ । ସମୁଦାୟ ଯବକ୍ଷାରଯାନ , ଫସଫରସ୍ ଓ ପଟାସ୍ ସାରକୁ ମୂଳସାର ରୂପେ ବିହନ ଲଗାଇବା ପୂର୍ବରୁ ମାଟିରେ ମିଶାଇ ଦିଅନ୍ତୁ । ସୋୟାବିନକୁ ଧାଡ଼ିରେ ବୁଣିବା ଉଚିତ୍ । ଧାଡ଼ିରେ ବୁଣିଲେ ଅନ୍ତଃଚାଷ , କୋଡାଖୁସା , ଘାସବଛା ଓ ଔଷଧ ପକାଇବା ସହଜ ହୋଇଥାଏ , ଅମଳ ମଧ୍ୟ ବେଶୀ ମିଳିଥାଏ । ଧାଡ଼ିକୁ ଧାଡି ବ୍ୟବଧାନ ୩୦ ସେ.ମି. ଓ ମଞ୍ଜିକୁ ମଞ୍ଜି ଅନ୍ତର ୧୦ ସେ.ମି ରହିବା ଆବଶ୍ୟକ । ସିଆରରେ ମଞ୍ଜି ବୁଣିସାରି ହାଲୁକା ଭାବରେ ମଇ ଦେଇ ଦିଅନ୍ତୁ । ମାଟିରେ ବତର ଥାଇ ମଞ୍ଜି ବୁଣନ୍ତୁ ।
ପରବର୍ତ୍ତୀ ଯତ୍ନ:-
ଗଛ ଉଠିବାର ୩-୪ ସପ୍ତାହ ପରେ ମାଟିକୁ କୋଡାଖୁସା ଓ ଘାସବଛା କରି ଗଛ ମୂଳକୁ ହୁଡ଼ା ଟେକି ଦିଅନ୍ତୁ । ରାସାୟନିକ ଘାସ ନାଶକ ଯଥା:- ପେଣ୍ଡିମଥାଲିନ୍ ବା ଆଲାକ୍ଲୋର୍ ବା ମେଟୋଲାକ୍ଲୋର ହେକ୍ଟର ପ୍ରତି ୧ କି.ଗ୍ରା. ହିସାବରେ କ୍ରିୟାଶୀଳ ଉପାଦାନ ପ୍ରୟୋଗ କରାଯାଇପାରିବ ।
ଜଳସେଚନ:-
ସାଧାରଣତଃ ବର୍ଷା ଋତୁରେ ସୋୟାବିନ୍ ଫସଲ ପାଇଁ ଜଳସେଚନ ଆବଶ୍ୟକ ହୁଏ ନାହିଁ । କିନ୍ତୁ ରବି ୠତୁରେ ୧୨-୧୫ ଦିନ ଅନ୍ତରରେ ୫-୬ଟି ଜଳସେଚନ ଆବଶ୍ୟକ ହୁଏ । ହରଡ଼ , କପା , ମକା, ମାଣ୍ଡିଆ , ଲଘୁଧାନ ଓ ଅଳସୀ ସହିତ ସୋୟାବିନକୁ ମିଶ୍ରିତ ଫସଲ ରୂପେ ଚାଷ କଲେ ଅଧିକ ଲାଭ ମିଳିଥାଏ ।
ଫସଲ ସୁରକ୍ଷା:-
ସୋୟାବିନରେ ପତ୍ରଖିଆ ପୋକ ଲାଗିବା ଦେଖାଗଲେ ଏକର ପ୍ରତି ୪୦୦ ମି.ଲି. ହିସାବରେ ଟ୍ରାଏଜୋଫସ୍ କୀଟନାଶକକୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରି ଏହି ପୋକ ଦମନ କରାଯାଇପାରିବ ।
ଅମଳ:-
ଗଛରେ ଶତକଡ଼ା ୯୦ ଭାଗ ଛୁଇଁ ପାଚିଗଲେ ସୋୟାବିନ୍ ଗଛକୁ ଉପାଡି ଅମଳ କରିବା ଉଚିତ୍ । ଅମଳ ଡେରି ହେଲେ ଛୁଇଁ ଫାଟି ମଞ୍ଜି ଝଡ଼ି ପଡିବ । ୧ ଏକରରୁ ୮-୧୨ କ୍ୱିଣ୍ଟାଲ ପର୍ଯ୍ୟନ୍ତ ମଞ୍ଜି ଆଦାୟ ହୋଇଥାଏ ।