ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ସାହିତ୍ୟ ପ୍ରତି ଉପଯୁକ୍ତ ରୁଚି ଅଭାବରୁ ଜନମାନସରେ ପୋଷକତା ହରାଉଛି ଆମ ଓଡ଼ିଶାର ପାଲା । ଏବେ ଲୋକେ ଯାତ୍ରା, ସିନେମା ଆଡ଼କୁ ଅଧିକ ଆକୃଷ୍ଟ । ଲୋକପ୍ରିୟତା ଓ ପୋଷକତାର ଅଭାବ ଏବେ ପରିଦୃଷ୍ଟ ଓଡ଼ିଶାର ପାଲା କ୍ଷେତ୍ରରେ । ତେବେ ଅଳ୍ପ ବହୁତେ ଏବେ ବି ପାଲା ଦେଖିବାକୁ ମିଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ, ଅଥଚ ଅନେକଙ୍କ ମନରେ ଥିବା ପାଲାର ଉଦ୍ଭବ ହୋଇଥିବା ଦୁଇ ରାଜ୍ୟରେ (ବଙ୍ଗଳା ଓ ଆସାମ) ଏହା ଲୁପ୍ତ !! ଏହାର ତର୍ଜମା କେବଳ ଏଇଥିପାଇଁ ଯେ କିଛି ଗବେଷକ ଏହା ସେହି ଦୁଇଟି ରାଜ୍ୟରୁ ଆସିଥିବା ମତ ଦିଅନ୍ତି ! କେତେକ ସମାଲୋଚକ କହନ୍ତି, ସତ୍ୟପୀର ପାଲା ହିଁ ଓଡ଼ିଶାର ପାଲାର ଜନ୍ମଦାତା । ପ୍ରଶ୍ନ ଆସେ ସେହି ଯଦି ଏହାର ଉତ୍ପତ୍ତି ସ୍ଥଳ ବଙ୍ଗଳା ବା ଆସାମ ହୁଏ, ତେବେ ସେହି ସଂସ୍କୃତିର ଧାରଟି ହଠାତ୍ କିମିତି ଉଭେଇ ଗଲା ? ଦ୍ବିତୀୟତଃ ଯଦି ସତ୍ୟପୀର ପାଲା ଦୁଇ ସମ୍ପ୍ରଦାୟର, ତେବେ କେତେ ମୁସଲମାନ ପରିବାରରେ ଏହିପରି ପାଲା ଅନୁଷ୍ଠିତ ହେଉଛି ? ଏମିତି ଅନେକ ଅସମାହିତ ପ୍ରଶ୍ନ ଓ ମନ୍ତବ୍ୟ ! ଓଡ଼ିଶାରେ ଏ ସମ୍ପର୍କରେ କୌଣସି ଗବେଷକ ଯଥେଷ୍ଟ ଖୋରାକ ନ ଯୋଗାଇ, ଗୁରୁତ୍ଵ ନ ଦେଇ, ଯୁକ୍ତିନିଷ୍ଠ ଗବେଷଣା ନ କରି ବୋଧହୁଏ ଏଭଳି ମତାମତ ଦେଇଅଛନ୍ତି ! ମନେହୁଏ ୨୦୧୮ ମସିହା ପର୍ଯ୍ୟନ୍ତ ଉଚିତ ଗବେଷଣା ନାହିଁ ଏ ଦିଗରେ। ତେବେ ଆମ ସମୟର ବିଶିଷ୍ଟ ଆଲୋଚକ ଓ ଗବେଷକ ଡ. ସନ୍ତୋଷ କୁମାର ମହାପାତ୍ର ତାଙ୍କର ଦଶବର୍ଷ ବ୍ୟାପୀ ଗବେଷଣା ମାଧ୍ୟମରେ ଘୋଷଣା କରିଛନ୍ତି ଯେ, #ପାଲା ଓଡ଼ିଶାର ନିଜସ୍ଵ କଳା ଓ ଏହା ଶାସ୍ତ୍ରୀୟ ନାଟକ !!
ପ୍ରଥମେ ପାଲା ଉପରେ ଆଧାରିତ ବିଭିନ୍ନ ଆଲୋଚକ ମାନଙ୍କର ମନ୍ତବ୍ୟଗୁଡି଼କ ଦୃଷ୍ଟିକୁ ନେବା ବିଧେୟ:
ଡ. କୁଞ୍ଜବିହାରୀ ଦାଶ କହନ୍ତି – “ମୁସଲମାନମାନେ ଓଡ଼ିଶା ଅଧିକାର କରିବାର ବହୁ ପୂର୍ବରୁ ଏଠାକୁ ମୁସଲମାନ ସାଧକମାନେ ଆସିଥିଲେ। ସେମାନେ ହିନ୍ଦୁଙ୍କର ଧର୍ମ ସାଧନା ସହିତ ନିଜର ଧର୍ମୀୟ ଚିନ୍ତାଧାରାକୁ ମିଶାଇ ଦେଇଥିଲେ । ବଲ୍ଲଭାଚାର୍ଯ୍ୟ ସମ୍ପ୍ରଦାୟର ବୈଷ୍ଣବ ମାନଙ୍କ ମଧ୍ୟରେ ଇସଲାମୀ ଗୁରୁ ମାନେ ଧର୍ମ ପ୍ରଚାର କରୁଥିଲେ । ” (ଏଠାରେ କିନ୍ତୁ ଡ. ଦାଶ କେଉଁ ମୁସଲମାନ ସନ୍ଥ ଆସିଥିଲେ ଲେଖି ନାହାଁନ୍ତି । ସମସ୍ତ ଲେଖାରେ ଯୁକ୍ତି ମୂଳକ ଆଲୋଚନା ନାହିଁ, ବରଂ ଏହା ଏକ ଅନୁମାନ ମୂଳକ ତଥ୍ୟ)
ଗବେଷକ ଡ. ରଶ୍ମି ରଞ୍ଜନ ମହାନ୍ତିଙ୍କ ମତରେ – “ଆକବରଙ୍କ ଶାସନ କାଳରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଐକ୍ୟଭାବ ଓ ମୈତ୍ରୀ ବନ୍ଧନକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଥିଲା । ଏହି ପଦକ୍ଷେପ ସ୍ୱରୂପ ପାଲାର ଜନ୍ମ ହୋଇଥିବା ଜଣାଯାଏ ।”
ଡ. ରତ୍ନାକର ଚଇନି କହିଛନ୍ତି – “ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ପରସ୍ପର ଅସହିଷ୍ଣୁତା ଦେଖାଦେଇଥିବା କାଳରେ ଦାସକାଠିଆ ଜନ୍ମ ହୋଇଥିବା ସ୍ଥଳେ ସେମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଆସିବା ସମୟରେ ପାଲାର ଜନ୍ମ ।”
ପାଲାର ଜନ୍ମ ଜାତକ ନେଇ ଅନେକ ମଧ୍ୟ ସନ୍ଦିହାନ !
ସର୍ବେଶ୍ଵର ଦାସ କହନ୍ତି – “ପାଲାରେ ମୂଖ୍ୟ ଗାୟକ ପ୍ରଥମେ ଗାଆନ୍ତି ଏବଂ ପରେ ଅନ୍ୟ ସହଯୋଗୀ ବା ପାଳିଆମାନେ ପାଳିଧରି ଉକ୍ତ ଗୀତର ପୁନରାବୃତ୍ତି କରନ୍ତି । ଏହି କାରଣରୁ ଏହାର ନାମ ପାଲା । ପାଲା ମୁସଲମାନ ପ୍ରଭାବର ଫଳ, ହିନ୍ଦୁ ମୁସଲମାନ ଏକତାର ପ୍ରତୀକ ସତ୍ୟପୀର ବା ସତ୍ୟନାରାୟଣ ପୂଜାରୁ ଏହାର ସୃଷ୍ଟି ।” (ତେଣୁ ଗୋଟିଏ ପଟେ ଏହା ସଂସ୍କୃତରୁ ଜନ୍ମ ଏବଂ ଅନ୍ୟତ୍ର ହିନ୍ଦୁ ମୁସଲମାନ ସଂସ୍କୃତିରୁ ସୃଷ୍ଟ — ଏହାହିଁ ଗବେଷକ ମାନଙ୍କ ମୂଖ୍ୟ ସମସ୍ୟା । ସତ୍ୟନାରାୟଣ ପୂଜାରୁ ଯାହାର ଜନ୍ମ ତାହା ହିନ୍ଦୁ ମୁସଲମାନ ସୌହାର୍ଦ୍ଦ୍ୟର ପରିଚୟ ହେବ କିପରି ? ଯାହା ସତ୍ୟନାରାୟଣ ବ୍ରତର ଏକ ଅଂଶ, ତାହା ସତ୍ୟପୀର ପାଲାରୁ ଜନ୍ମ ହେବ ବା କିପରି !!)
ଗାୟକ ସୁବାଷ ଚନ୍ଦ୍ର ମଲ୍ଲିକ କହନ୍ତି – “ଇତିହାସରୁ ପ୍ରମାଣ ମିଳେ ଯେ ୧୭୧୨ ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ନିଯୁକ୍ତ ମୋଗଲ ସୁବାଦାର ସୁଜାଉଦ୍ଦିନ ମହମ୍ମଦ ଖାଁ କଟକରେ ସୁପ୍ରସିଦ୍ଧ ମସଜିଦ୍ କଦମ ରସୁଲ ପ୍ରତିଷ୍ଠା କରି ହିନ୍ଦୁ ଓ ମୁସଲମାନ ଉଭୟଙ୍କ ପାଇଁ ଏହାର ଦ୍ବାର ଉନ୍ମୁକ୍ତ ରଖିଥିଲେ ଓ ଉଭୟ ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ରକ୍ଷା ନିମିତ୍ତ ସତ୍ୟପୀର ପାଲା ବା ତାଙ୍କର ପାଲାକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଯୋଗାଇ ଥିଲେ ।” (ପ୍ରଶ୍ନ ଆସେ, କ’ଣ ମୁସଲମାନ ମାନେ ଏହି ପାଲାକୁ ଗ୍ରହଣ କରିଥିଲେ ? ଯଦି ହଁ ତେବେ କେତେ ଜଣଙ୍କ ଘରେ ଏ ପାଲା ଅନୁଷ୍ଠିତ ହୁଏ ? ଏମିତି ପ୍ରାୟ ଉଦାହରଣ ନିଶ୍ଚିତ ଭାବେ ନାହିଁ !)
ଗାୟକ କେଶବ ଚନ୍ଦ୍ର ଦାସଙ୍କ ମତରେ – “ଆକବର ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଭ୍ରାତୃଭାବ ସୃଷ୍ଟି କରିବା ପାଇଁ ଏକ ନୂତନ ଶାସନ ପଦ୍ଧତି ପ୍ରଚଳନ କଲେ ଏବଂ ଏହି ପାଲା ତହିଁର ଏକ ଅଂଶ ବିଶେଷ । ଏହି ନୂତନ ପଦ୍ଧତି ପାଇଁ ଭାରତର ଏକତା ଅଖଣ୍ଡତା ରକ୍ଷା ହେବା ସଙ୍ଗେ ସଙ୍ଗେ ଭାରତ ଇତିହାସରେ ଆକବର ଚିର ସ୍ମରଣୀୟ । କାଳକ୍ରମେ ନବାବ ହୁସେନଙ୍କ ସଭା ପଣ୍ଡିତ ବଙ୍ଗୀୟ କବି କବିକର୍ଣ୍ଣ ଷୋଳପାଲା ରଚନା କଲେ । (ତେବେ ଷୋଳପାଲାରୁ କ’ଣ ପାଲା ଉଦ୍ଭବ ?)
ଗାୟକ କାର୍ତ୍ତିକେଶ୍ଵର ଲେଙ୍କାଙ୍କ ମତରେ – “ଓଡ଼ିଶାର ଏହି ଲୋକନାଟ୍ୟ ପାଲାର ସୃଷ୍ଟି ଓ ବିକାଶ ସମ୍ପର୍କରେ ବହୁ ମତାମତ ସୃଷ୍ଟି ହୋଇଛି । ମାତ୍ର ଏହାକୁ ସତ୍ୟପୀରଙ୍କ ସହ ସଂଲଗ୍ନ କରାଯାଇଥିବାରୁ ଏହାକୁ ମୁସଲମାନ ସଂସ୍କୃତିର ଭିନ୍ନ ରୂପ ଭାବିବା ଭୁଲ୍ ।”
ଗବେଷକ ପ୍ରଫୁଲ୍ଲ କୁମାର ପାଇକରାୟ: “ପାଲା ଓଡ଼ିଶାର ଏକ ନିଜସ୍ୱ କଳା । ଏହା ଯୁଗ ଯୁଗ ଧରି ଉତ୍କଳୀୟ ମାନଙ୍କୁ ଆନନ୍ଦ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସାହିତ୍ୟ ସଂସ୍କୃତିର ଉନ୍ନତିରେ ସହାୟକ ହୋଇ ଆସୁଛି ।”
ଆଲୋଚକ ସୁରେନ୍ଦ୍ର କୁମାର ସ୍ୱାଇଁ: “ଆଜି ପାଲା କହିଲେ ଆମେ ଯାହା ବୁଝୁ ବିଗତ ଅତୀତରେ ଏହା ସେହି ଅର୍ଥକୁ ପ୍ରକାଶ ନକରି ଭିନ୍ନ ଅର୍ଥକୁ ପ୍ରକାଶ କରୁଥିଲା । ଏଣୁ ସତ୍ୟନାରାୟଣ ପୂଜାରୁ କାଳକ୍ରମେ ପୂଜା ଶବ୍ଦଟି ବାଦ୍ ପଡ଼ି ତା’ ସ୍ଥାନରେ ପାଲା ଶବ୍ଦଟି ଯୁକ୍ତ ହୋଇଛି ଏବଂ ପାଲା ଶବ୍ଦ ତା’ର ମୂଳ ଅର୍ଥକୁ ବାଦ୍ ଦେଇ ଆଜିର ଏପ୍ରକାର ଅର୍ଥରେ ସୀମାବଦ୍ଧ ରହିଛି ଏବଂ ପାଲାବାଲାମାନଙ୍କୁ ପୂଜାବାଲା ବୋଲି ଲୋକେ ଏଯାବତ୍ କହିଥାଆନ୍ତି ।”
ସମାଲୋଚକ ଡ. ବୈଷ୍ଣବ ଚରଣ ସାମଲ: “ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସଂପ୍ରୀତି ଓ ସଂହତି ସ୍ଥାପନ ଉଦ୍ଦେଶ୍ୟରେ ପାଲାର ଉଦ୍ଭବ ହୋଇଥିଲା । ହିନ୍ଦୁମାନଙ୍କର ସତ୍ୟ ଓ ମୁସଲମାନଙ୍କର ପୀର ଏହି ଦୁଇ ଶବ୍ଦର ମିଳନରୁ ସତ୍ୟପୀରଙ୍କ ଜନ୍ମ ।”
ପଣ୍ଡିତ ନୀଳକଣ୍ଠ ଦାସ: “ଯେଉଁ ପାଲା କଥା କୁହାଯାଉଥିଲା ସେ ଆସିଛି – ଏଇ ମୁସଲମାନମାନଙ୍କ ଠାରୁ ପରାଧିନ ଓଡ଼ିଶାକୁ । ପାଲାର ଭାଷା ପୁରା ଓଡ଼ିଆ ନୁହେଁ । ଏହା ପୁରୁଣା ବଙ୍ଗଳା ବା ବଙ୍ଗଳା ମିଶା ପାରସିକ ଓ ଆରବୀ ଉପନ୍ୟାସର ଅଦ୍ଭୁତ କଳ୍ପନା ସଙ୍ଗେ ଶାବରୀ ବିଦ୍ୟା ମିଶି ଏଇ ପାଲାର ନିରଙ୍କୁଶ ଯୌନପ୍ରୀତି ମୂଳକ କ୍ଷୁଦ୍ରକାବ୍ୟ ସବୁ ତିଆରି ହୋଇଛି ।”
ଆଲୋଚକ ହୃଷୀକେଶ ପଣ୍ଡାଙ୍କ ମତ: “୧୫୧୦ ଖ୍ରୀଷ୍ଟାବ୍ଦରେ ଶ୍ରୀଚୈତନ୍ୟ ଓଡ଼ିଶାକୁ ଆସିଥିଲେ । ତାଙ୍କ ସହିତ ବଙ୍ଗଳାରୁ ପାଲା ଓଡ଼ିଶାକୁ ଆସିଥିବା ଅନେକ ମତ ଦିଅନ୍ତି । ପାଳିଆ ପାଳି ଧରୁଥିବାରୁ ପାଲା କୁହାଯାଏ । ପଞ୍ଚଦେବତାଙ୍କ ପ୍ରତୀକାତ୍ମକ ଭାବରେ ପାଲାରେ ପାଞ୍ଚଜଣ ଗାୟକ ପାଲା ପରିବେଷଣ କରିବା ଓ ପ୍ରାରମ୍ଭରେ ପଞ୍ଚଦେବତାଙ୍କ ପ୍ରମୁଖ ଗଣେଶ, ଭାସ୍କର, ଶିବ ଓ ଦୁର୍ଗାଙ୍କ ବନ୍ଦନା ଗାନ କରିବାର ପରମ୍ପରା ପ୍ରଚଳିତ ହେଲା । ନାରାୟଣଙ୍କ ଶ୍ରେଷ୍ଠତ୍ଵ ପ୍ରତିପାଦନ କରାଇବା ପାଇଁ ପାଳିଆ, ଶ୍ରୀପାଳିଆ ମାନଙ୍କ ଠାରୁ ଅଲଗା ଜରିର ପୋଷାକ ଓ ମୁଣ୍ଡରେ ମୁକୁଟ ପରିଧାନ କରି, ଗାହାଣ ନାରାୟଣଙ୍କ ପ୍ରତୀକ ଭାବେ ଲୋକ ବିଶ୍ଵାସରେ ତାଙ୍କର ଶ୍ରେଷ୍ଠତ୍ଵକୁ ପ୍ରତିପାଦନ କରିବାର ପ୍ରୟାସ କରନ୍ତି । ଗାୟକଙ୍କ ଚାମରକୁ ବିଷ୍ଣୁଙ୍କ ଚକ୍ର, ମୃଦଙ୍ଗକୁ ଶିବଙ୍କ ଡମ୍ବରୁ, ନୂପୁରକୁ ଦେବୀଙ୍କ ପାଦଭୂଷଣ, ରାମକାଠିକୁ ସୂର୍ଯ୍ୟଙ୍କ ରଥର ବଲଗା, କରତାଳକୁ ଗଣେଶଙ୍କ ଅଙ୍କୁଶ ଭାବରେ ବିଚାର କରାଯାଏ । ମୋଗଲ ଶାସନ କାଳରେ ବିଶେଷତଃ ଆକବରଙ୍କ ରାଜତ୍ଵ କାଳରେ ତାଙ୍କ ଉଦାରବାଦୀ ଧର୍ମ ଦୀନ-ଇ-ଲାହୀ ପ୍ରଭାବରେ ବଙ୍ଗଳା ଓ ଓଡ଼ିଶାରେ ମୁସଲମାନ ଓ ହିନ୍ଦୁମାନଙ୍କ ମଧ୍ୟରେ ପାଲା ହିଁ ମିଳନର ପ୍ରତୀକ ହୋଇଥିଲା ।” (ଏ ବିଚାର କେଉଁଠୁ ଆସିଲା ? ଏ ବାବଦରେ କୌଣସି ସୂଚନା ନାହିଁ !)
ଗାୟକ ରାଧେଶ୍ୟାମ ପଣ୍ଡା: “ସଂସ୍କୃତ ପାଳକ ଶବ୍ଦରୁ ପାଲାର ସୃଷ୍ଟି ବୋଲି ଅନୁଭୂତ ହୁଏ । ପାଳଃ ଶବ୍ଦର ଅର୍ଥ ପାଳନ କରିବା । ଗାଈ ପାଳନ କରୁଥିବା ବ୍ୟକ୍ତି ଗୋପାଳ, ରାଜ୍ୟ ପାଳନ କରୁଥିବା ବ୍ୟକ୍ତି ରାଜ୍ୟପାଳ ଓ ଉଦ୍ୟାନ ପାଳନ କରୁଥିବା ବ୍ୟକ୍ତି ଉଦ୍ୟାନପାଳ ବୋଲି କୁହାଯାଏ । ପାଳଃର ବହୁବଚନ ପାଳାଃ ବା ପାଲାଃ ଅର୍ଥାତ୍ ପାଳନକାରୀଗଣ । ସତ୍ୟନାରାୟଣ ପାଲା — ସତ୍ୟନାରାୟଣଙ୍କର ପାଳନକାରୀଗଣ ।” ( ସତ୍ୟନାରାୟଣଙ୍କୁ କିଏ ପାଳନ କରେ କି !!)
ଗାୟକ କମଳାକାନ୍ତ ନାୟକ: “ପା – ପାଳନ କରିବା, ଲା – ବିତରଣ କରିବା, ଶ୍ରୀମନନାରାୟଣଙ୍କ ଲୀଳା ହିଁ ପାଲା । ସର୍ବପ୍ରଥମେ ଭଗବାନଙ୍କ ଆଦେଶ କ୍ରମେ ବହୁ ପୁରାତନ କାଳରେ ପାଞ୍ଚଜଣ ପାଲା ଆରମ୍ଭ କଲେ, ହିନ୍ଦୁ ତିନି ଜଣ ଓ ମୁସଲମାନ ଦୁଇ ଜଣ ମିଶି ଯେଉଁ ପାଲା ଆରମ୍ଭ କଲେ ସତ୍ୟପୀର ବା ସତ୍ୟନାରାୟଣ ବୋଲି ନାମକରଣ ହେଲା । ହିନ୍ଦୁର ଚିହ୍ନ ମୟୂର ପୁଚ୍ଛ ଓ ମୁସଲମାନର ଚିହ୍ନ ତୀର ରଖି ନାରାୟଣଙ୍କ ଗୁଣ ଗାଇଲେ ।”
ଗାୟକ ହରିବଂଶ ମହାନ୍ତି: ଭାରତରେ ମୁସଲମାନ ଶାସନ କାଳରେ ହିନ୍ଦୁ ଓ ମୁସଲମାନ ଉଭୟେ ଧର୍ମଯାଜକ ଓ ଜ୍ଞାନୀ ବ୍ୟକ୍ତିମାନେ ମିଳିତ ଭାବେ ଉଭୟ ଦେବତା ଓ ପୂଜା ଏକତ୍ରିତ ଭାବେ କିପରି ହେବ ଓ କେଉଁ ପୂଜା ହେବ ଏହା ବିଚାର କରି ଏକ ନୂତନ ପୂଜାର ଆରମ୍ଭ କରିଥିଲେ । ତାହା ହେଲା — ପିଆର ଆଲ୍ଲା ପାଲା ।” (ଗବେଷଣା କରିବା ସମୟରେ ଡଃ ସନ୍ତୋଷ କୁମାର ମହାପାତ୍ର ଏ ତଥ୍ୟ କେଉଁଠୁ ଆସିଲା ବୋଲି ପଚାରିବାରେ ସେ ସଠିକ୍ ଉତ୍ତର ପାଇଲେ ନାହିଁ !)
ଐତିହାସିକ କୃପାସିନ୍ଧୁ ମିଶ୍ର: “ଏଭଳି ଉଭୟ ଧର୍ମର ମୌଳିକ ଏକତ୍ଵ ଭାବ ଜନସାଧାରଣଙ୍କ ମଧ୍ୟରେ କ୍ରମେ ପଶିଲା । କଦମରସୁଲରେ ହିନ୍ଦୁ ଓ ମୁସଲମାନ ମାନେ ଏକତ୍ର ପୂଜା କରନ୍ତି । ହିନ୍ଦୁମାନେ ପିରଙ୍କ ନାମରେ ସତ୍ୟନାରାୟଣ ପାଲା ଅଦ୍ୟାପି କରୁଛନ୍ତି ।”
ଗାୟକ ଚୈତନ୍ୟ ବିଶ୍ଵାଳଙ୍କ ମତରେ: “ପାଲା ଏକ ଶାସ୍ତ୍ରୀୟ କଳା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଭରତ ମୁନିଙ୍କ ଦ୍ଵାରା ନାଟ୍ୟଶାସ୍ତ୍ର ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ଆମ ଓଡ଼ିଶାର ପାଲା ସଂସ୍କୃତ ନାଟ୍ୟ ବେଦର ଅବିଚ୍ଛେଦ୍ୟ ଅଙ୍ଗ, ଏଥିରେ ସନ୍ଦେହ ନାହିଁ ।”
ଗାୟକ ଶରତ ଚନ୍ଦ୍ର ପଣ୍ଡା: ପାଲା ମୂଖ୍ୟତଃ ଏକ ବିଷୟର ନାଟକୀୟ ପରିବେଷଣ । ଏକାଧାରରେ ଏହା ନୃତ୍ୟ ଅଭିନୟ, ସଙ୍ଗୀତ, ବାଦ୍ୟ, ଉପାଖ୍ୟାନ ଓ ଚରିତ୍ର ସଂଳାପ ଆଦିର ସମ୍ମିଳିତ ଅଭିବ୍ୟକ୍ତି । ଏଥିରେ ଅଭିନୟ ସୀମିତ ହେଲେ ମଧ୍ୟ ଏହାକୁ ଅଭିନୟ କଳା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶାର ଏକ ପ୍ରାଚୀନ ମୌଳିକ ଲୋକକଳା ।”
ସମାଲୋଚକ ଡ. ପଠାଣି ପଟ୍ଟନାୟକ: “ଓଡ଼ିଶାର ପାଲା ସଂସ୍କୃତି ଇସଲାମ ଶାସନର ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଷୋଡ଼ଶ ଖ୍ରୀଷ୍ଟାବ୍ଦରେ ବଙ୍ଗ ଦେଶରେ ହୁସେନସାହୀ ରାଜତ୍ଵ କାଳରେ ପାଲାର ଅଭ୍ୟୁଦୟ ହୋଇଥିଲା ବୋଲି ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଶାର ସୁବେଦାର ସୁଜାଉଦ୍ଦିନ୍ ମହମ୍ମଦ ଖାଁଙ୍କ ରାଜତ୍ଵ କାଳରେ ଓଡ଼ିଶାରେ ପାଲାର ପ୍ରବର୍ତ୍ତନ କରାଯାଇଥିଲା । ଉଭୟେ ହିନ୍ଦୁ ଓ ମୁସଲମାନ ଧର୍ମ ଧାରଣାର ସମନ୍ୱୟ ପାଇଁ ଏହି ପାଲାର ପ୍ରଚଳନ କରାଯାଇଥିଲା ବୋଲି କୁହାଯାଏ । ସେଥିପାଇଁ ଓଡ଼ିଶାରେ ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ଅତୁଟ ବୁଝାମଣା ଆଜି ପର୍ଯ୍ୟନ୍ତ ରହିଆସିଛି । ଯାହା ଭାରତର ଅନ୍ୟ ପ୍ରାନ୍ତରେ ଦୁର୍ଲଭ ମନେହୁଏ ।”
ଅଧ୍ୟାପକ ବସନ୍ତ ରାଉତଙ୍କ ମନ୍ତବ୍ୟରେ: “ସତ୍ୟନାରାୟଣ ପାଲା ବା ସତ୍ୟପୀର ପାଲା ସାମ୍ପ୍ରଦାୟିକ ସଦଭାବନାର ସାମସଙ୍ଗୀତ ଗାନ କରି ହିନ୍ଦୁ ମୁସଲମାନ ସଂସ୍କୃତିର ସମନ୍ୱୟ ଦିଗରେ ଏକ ଅଭିନବ ପ୍ରେରଣା ସୃଷ୍ଟି କରିଛି । ଓଡ଼ିଶାର ମୁସଲମାନ ଶାସନକାଳୀନ ସାମାଜିକ ଆଧ୍ୟାତ୍ମିକ ସଦଭାବନାର ସୁରକ୍ଷା ପାଇଁ ସତ୍ୟନାରାୟଣଙ୍କୁ ସତ୍ୟପୀର ନାମରେ ଆରାଧନା କରିବାର ପରମ୍ପରା ପାଲା କଳାରେ ସମୃଦ୍ଧ ହୋଇପାରିଛି ।”
ପାଲା ସମ୍ପର୍କରେ କିଛି ଆଲୋଚନା, ମନ୍ତବ୍ୟ, ଉକ୍ତି ପଢ଼ିବା ପରେ ମନେ ହୁଏ, କୌଣସି ଗବେଷକ ବୋଧହୁଏ ଚିନ୍ତା କରି ନାହାଁନ୍ତି ଓଡ଼ିଶାରେ କିଛି ଗୋଟାଏ ନିଜସ୍ଵ କଳା ଥାଇପାରେ ବୋଲି । ମରହଟ୍ଟା, ମୁସଲମାନ ଓ ଇଂରେଜମାନଙ୍କ ଦ୍ଵାରା ବହୁବାର ଲୁଣ୍ଠିତ ହୋଇଛି ଏ ରାଜ୍ୟ । ସମୟର ତାଡ଼ନାରେ ଜଗନ୍ନାଥଙ୍କୁ ଲୁଚାଯାଇଛି, ଗଜପତି ମୁସଲମାନ ହୋଇଛନ୍ତି, ରାଜ୍ୟର ସୀମା ସୀମିତ ହୋଇ ରହି ଯାଇଛି ! ହେଲେ ଓଡ଼ିଆର ଧମନୀରେ ପ୍ରବାହିତ ବୀର ରକ୍ତ ! ତା’ର ସାହିତ୍ୟକୁ ବିଚାର କଲେ ତା’ ଉପରେ ବୈଦେଶିକ ପ୍ରଭାବ ନଗଣ୍ୟ । ସଂସ୍କୃତ ଭାଷାର ପ୍ରତିସ୍ପର୍ଦ୍ଧି ଭାବରେ ଉଭା ହୋଇଛନ୍ତି ଉପେନ୍ଦ୍ର, ଦୀନକୃଷ୍ଣ, ଧନଞ୍ଜୟ, ବ୍ରଜନାଥ ! ଏ ଜାତିର ସାହିତ୍ୟ ଦର୍ପଣ ମଧ୍ୟରେ ଛବି ଉଙ୍କିମାରିଛି ସଂସ୍କୃତି ଓ ସାମାଜିକ ଚିତ୍ର ! ଉଦାରତାର ନିଦର୍ଶନ ତା’ର ହୃଦୟରେ ! ସେ ପୁଣି ଧର୍ମଭୀରୁ !! ଯାହା ହେଲେ ବି ସେ ତା’ର ଜଗନ୍ନାଥଙ୍କୁ ଛାଡ଼ି ନପାରେ !
ବିଶିଷ୍ଟ ବିଦ୍ୱାନ ନୀଳମଣି ମିଶ୍ର କହନ୍ତି – “ଗଙ୍ଗମାନଙ୍କ ସମୟରୁ ପୁରୀ – ବୈଷ୍ଣବ କ୍ଷେତ୍ର, ଭୁବନେଶ୍ୱର – ଶୈବ କ୍ଷେତ୍ର, କୋଣାର୍କ – ସୌର କ୍ଷେତ୍ର, ଯାଜପୁର – ଶାକ୍ତ କ୍ଷେତ୍ର ଓ ମହାବିନାୟକ – ଗଣପତି କ୍ଷେତ୍ର ରୂପେ ପ୍ରସିଦ୍ଧି ଅର୍ଜନ କଲା । ପଞ୍ଚଦେବତାଙ୍କ ଉପାସନା ରାଜଧର୍ମ ରୂପେ ସ୍ଵୀକୃତ ହେବାରୁ ଓଡ଼ିଶାର ପ୍ରତ୍ୟେକ ପୂଜା ପାର୍ବଣରେ ପଞ୍ଚ ଦେବତାଙ୍କ ଉପାସନା ଉପରେ ଗୁରୁତ୍ବ ଆରୋପ କରାଗଲା । ଏହି ପଞ୍ଚୋପସନା ପରିକଳ୍ପନାରୁ ଓଡ଼ିଶାରେ ସତ୍ୟନାରାୟଣ ପାଲାର ସୃଷ୍ଟି ।” ଗଙ୍ଗବଂଶ ପ୍ରତିଷ୍ଠା ହୋଇଥିଲା ୫୦୦ ଖ୍ରୀଷ୍ଟାବ୍ଦରେ । ଅତଏବ ଯଦି ପଣ୍ଡିତ ନୀଳମଣି ମିଶ୍ରଙ୍କ ଉକ୍ତିକୁ ଧରାଯାଏ, ତେବେ ସତ୍ୟନାରାୟଣ ପାଲା ସେବେଳର (ଗଙ୍ଗବଂଶ), ସତ୍ୟପୀର ପାଲାର ବହୁ ପୂର୍ବରୁ ! ପୁଣି ସତ୍ୟନାରାୟଣ ବ୍ରତ ସ୍କନ୍ଦ ପୁରାଣରେ ବର୍ଣ୍ଣିତ, ହିନ୍ଦୁ ଧର୍ମର ଧର୍ମୀୟ ଆଚାର ବ୍ୟବହାରରେ ପ୍ରତିଷ୍ଠିତ ।
ଦ୍ବିତୀୟତଃ ଯଦି ସୌହାର୍ଦ୍ଦ୍ୟ ନିମିତ୍ତ ସତ୍ୟପୀର ପାଲାର ପ୍ରଚଳନ ହୋଇଥିଲା, ତାହା ବୋଧହୁଏ ଯୁକ୍ତିଯୁକ୍ତ ନୁହେଁ । ଲୋକରତ୍ନ ଡ. କୁଞ୍ଜବିହାରୀ ଦାଶ କହନ୍ତି, “ଷୋଡ଼ଶ ଶତାବ୍ଦୀରେ ବଙ୍ଗଳାର କୃତବିଦ୍ୟ ନବାବ୍ ହୋସେନ୍ ସାହା ହିନ୍ଦୁ ମୁସଲମାନ ମିଳନ ଲାଗି ପ୍ରଯତ୍ନ କରିଥିଲେ, ଯାହା ବଙ୍ଗୀୟ ସମାଲୋଚକ ଦିନେଶ ଚନ୍ଦ୍ର ସେନ୍ ତାଙ୍କ ‘ବଙ୍ଗଭାଷା ଓ ସାହିତ୍ୟ’ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି । ଏହି ସମୟରେ ମୁସଲମାନ ଦେବତାଙ୍କୁ ସମ ଆସନରେ, ସମୟ ସମୟରେ ଉର୍ଦ୍ଧ୍ଵାସନରେ ବସେଇବାର ପ୍ରଚେଷ୍ଟା ମଧ୍ୟ ହୋଇଥିଲା । ଏହି ପ୍ରଚେଷ୍ଟାରୁ ସତ୍ୟପୀର ନାମକ ଏକ କୋଠ ଠାକୁର ସୃଷ୍ଟି ହୋଇଛନ୍ତି । ହିନ୍ଦୁ ଧର୍ମ ଶାସ୍ତ୍ରରେ ତାଙ୍କର ମହିମା ବର୍ଣ୍ଣିତ, କିନ୍ତୁ ମୁସଲମାନ ଧର୍ମ ଶାସ୍ତ୍ରରେ ତାଙ୍କର ସଙ୍କେତ ସୁଦ୍ଧା ମିଳେନା !” (ତେବେ ସୌହାର୍ଦ୍ଦ୍ୟର କଥା ଆସିଲା କୁଆଡ଼ୁ ?)
ଓଡ଼ିଶା ପୁଣ୍ୟ ମାଟିର ଦେଶ । ଓଡ଼ିଆଏ ଧର୍ମଭୀରୁ ! ଓଡି଼ଆର ହୃଦୟରେ ଜଗନ୍ନାଥ କେନ୍ଦ୍ରିତ ହୋଇଥିଲେ ମଧ୍ୟ ବହୁ ସମୟରେ ବୋଲବମ୍, ସନ୍ତୋଷୀ ଓଷା, ଧନତରାସ୍ ଆଦି ଧସେଇ ପଶି ଯାଇଛନ୍ତି ଓଡ଼ିଆଙ୍କ କୋମଳ ହୃଦୟରେ । ସେଇମିତି ସତ୍ୟପୀର ପାଲାକୁ ଆପଣେଇ ନେବା କେତେ ସମୟ ବା ଲାଗିଥିବ, ଯେଉଁଠି ପୂଜା ନକଲେ, ଏଇମିତିଆ ଭୋଗ ନୈବେଦ୍ୟ ନଦେଲେ ପୁଅର ଅମଙ୍ଗଳ ହେବ ବୋଲି ଉଲ୍ଲିଖିତ । ତେଣୁ ସତ୍ୟପୀର ପାଲା ଖୁବ୍ ସହଜରେ ପ୍ରବେଶ କଲା ଓଡ଼ିଆ ପରିବାରରେ କିନ୍ତୁ ବିଡ଼ମ୍ବନା ଏହି ଯେ, ସାମ୍ପ୍ରଦାୟିକ ସଦଭାବର ଅନ୍ୟ ଗୋଟିଏ ପକ୍ଷ ମୁସଲମାନ ଭାଇଙ୍କ ପରିବାରରେ ପ୍ରବେଶ କଲା କି ?
ଏହା ହିନ୍ଦୁଧର୍ମର ସତ୍ୟନାରାୟଣ ପୂଜାର ଏକ ସଂସ୍କରଣ ! ଅନୁସୃଜନ ମାତ୍ର ! ଏହା ଓଡ଼ିଶାର ପାଲା ନୁହେଁ । ଓଡ଼ିଆ ପାଲା ତ ଶାସ୍ତ୍ରୀୟ !! ଆମର ପାଲା ତ ବହୁ ପ୍ରାଚୀନ ! ଏହା ତ ଶାସ୍ତ୍ରୀୟ ନାଟକ !!
ଆଧାର: ଡ. ସନ୍ତୋଷ କୁମାର ମହାପାତ୍ରଙ୍କ ଗବେଷଣାତ୍ମକ ଗ୍ରନ୍ଥ ‘ଓଡ଼ିଶାର ଶାସ୍ତ୍ରୀୟ ନାଟକ ପାଲା’ ଲୋକରତ୍ନ ଡଃ କୁଞ୍ଜବିହାରୀ ଦାଶଙ୍କ ଗବେଷଣା ଭିତ୍ତିକ ପୁସ୍ତକ ‘ଓଡ଼ିଶାର ଲୋକଗୀତ’ ଡଃ ନିରଞ୍ଜନ ପଣ୍ଡା ଓ ସାହିତ୍ୟିକ ଧୀରେନ୍ ଦାଶଙ୍କ ପୁସ୍ତକ ‘ଓଡ଼ିଶାର ପାଲା’ ।