
Biography of Fakirmohan Senapati in Odia: ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।
ପ୍ରାଥମିକ ଜୀବନୀ (Early Life Of Fakir Mohan Senapati)
ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
୧୩ ଜାନୁଆରୀ ୧୮୪୩ରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗାଆଁର ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀ ସେନାପତିଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଏକ ବର୍ଷ ପାଞ୍ଚ ମାସ ବୟସ ବେଳେ ତାଙ୍କ ପିତା ଲକ୍ଷ୍ମଣ ଚରଣ ସେନାପତିଙ୍କର ମୃତ୍ୟୁ ଘଟିଲା । ଏହାର ମାତ୍ର ୧୪ ମାସ ପରେ ତାଙ୍କ ମାତା ତୁଳସୀ ଦେବୀ ସେନାପତି ମଧ୍ୟ ଈହଧାମ ତ୍ୟାଗ କରିଥିଲେ । ବାଲ୍ୟକାଳରୁ ତାଙ୍କର ଲାଳନପାଳନ ଭାର ତାଙ୍କର ଜେଜେମା ସମ୍ଭାଳିଥିଲେ ।
ଫକୀରମୋହନଙ୍କ ପ୍ରକୃତ ନାମ ଥିଲା ବ୍ରଜମୋହନ । ବାଲ୍ୟକାଳରେ ସେ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ତାଙ୍କ ଜେଜେ ତାଙ୍କୁ ଫକୀରମାନଙ୍କ ପାଖକୁ ନେଇଯାଉଥିଲେ । ସେହି ଫକୀରମାନଙ୍କ ସମ୍ମାନାର୍ଥେ ତାଙ୍କ ଜେଜେମା’ ତାଙ୍କ ନାଁ ବଦଳାଇ କରିଦେଲେ ଫକୀରମୋହନ ।
ଫକୀରମୋହନଙ୍କର ଦାଦା ପୁରୁଷୋତ୍ତମ ସେନାପତି ଅତ୍ୟନ୍ତ ଇର୍ଷାପରାୟଣୀ ବ୍ୟକ୍ତି ଥିଲେ । ସେ ଫକୀରମୋହନଙ୍କୁ ପାଠ ପଢ଼ିବାର ଅନୁମତି ଦେଉ ନ ଥିଲେ । ଫକୀରମୋହନ ବାଲ୍ୟକାଳରେ ସବୁବେଳେ ଅସୁସ୍ଥ ରହୁଥିବାରୁ, ସେ ୯ବର୍ଷ ବୟସରେ ଫଳା ଶିଖିବା ଆରମ୍ଭ କରିଥିଲେ । ପାଠ ପଢ଼ି ପଇସା ଦେବାର କ୍ଷମତା ନ ଥିବାରୁ ସେ ଶିକ୍ଷକଙ୍କ ଘରେ କାମ କରି ପଢ଼ୁଥିଲେ । ବିଦ୍ୟା ଆହରାଣ କରିବାରେ ସେ କେବେ ସନ୍ତୁଷ୍ଟ ନ ଥିଲେ । ଯେତେ ବିଦ୍ୟା ଅଧ୍ୟୟନ କଲେ ବି ସେ ଆହୁରି ଆଧିକ ଜ୍ଞାନ ପ୍ରାପ୍ତ କରିବାରେ ଲାଗୁଥିଲେ । ନିଜ ମାତୃଭାଷାରେ ଜ୍ଞାନକୋଷ ଭରିବା ସହିତ ସେ ପାର୍ସୀ ଭାଷା ମଧ୍ୟ ଶିକ୍ଷା କରିଥିଲେ । ପିଲାଦିନେ ସେ ଶ୍ରମିକ ଭାବରେ ବାଲେଶ୍ୱରରେ ଥିବା ବନ୍ଦରରେ ମଧ୍ୟ କାର୍ଯ୍ୟ କରୁଥିଲେ ଏବଂ ସେଠାରେ ସେ ବଙ୍ଗାଳୀ ଓ ସଂସ୍କୃତ ଭାଷା ମଧ୍ୟ ଶିକ୍ଷା କରିଥିଲେ ।
ମାଇନର ପାଶ୍ କଲା ପରେ ସେ ବାଲେଶ୍ୱରର ବାରବାଟୀ ସ୍କୁଲରେ ବିଦ୍ୟାଧ୍ୟୟନ ଜାରି ରଖିଥିଲେ । ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତ ଶିକ୍ଷା କରୁଥିଲେ । ସେ ନିଜର ପାରଦର୍ଶିତା ଯୋଗୁଁ ଶିକ୍ଷକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଆର୍ଥିକ ଦୁରବସ୍ଥା ଯୋଗୁଁ ବିଦ୍ୟାଳୟର ମାସିକ ଖର୍ଚ୍ଚ ୨୫ ପଇସା ଦେଇ ନ ପାରି ତାଙ୍କୁ ପାଠପଢ଼ା ତ୍ୟାଗ କରିବାକୁ ପଡ଼ିଥିଲା ଏବଂ ସେହି ବାରବାଟୀ ସ୍କୁଲରେ ତାଙ୍କୁ ମାସିକ ୨.୫୦ ଟଙ୍କା ଦରମାରେ ଶିକ୍ଷକ ଚାକିରୀ କରିବାକୁ ହୋଇଥିଲା ।ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତରେ ଶିକ୍ଷାଦାନ ଆରମ୍ଭ କରିଦେଲେ । ଏହି ସବୁ ବିଷୟରେ ସେ ନିଜେ ନିଜର ଜ୍ଞାନକୁ ପ୍ରଗାଢ଼ କରିପାରିଥିଲେ । ବାଲେଶ୍ୱର କଲେକ୍ଟରେଟ୍ରେ କିଛି କାଳ ପାଇଁ ସେ କିରାଣୀ ଚାକିରି କରିଥିଲେ । ପରବର୍ତ୍ତୀ କାଳରେ ସେ ବାଲେଶ୍ୱର ମିଶନ ସ୍କୁଲରେ ୧୮୭୧ ଯାଏଁ ଶିକ୍ଷକତା କରିଥିଲେ ।
ଫକୀରମୋହନ ନିଜ ପରିଶ୍ରମ ବଳରେ ଇଂରାଜୀ ଶିକ୍ଷା କରିଥିଲେ । ଆରବିଆନ ନାଇଟସ୍, ରବିନସନ କୃଷେ, ଇଂରାଜୀ ବାଇବେଳ ଭଳି କିଛି ଇଂରାଜୀ ବହି ପଢ଼ିବା ବେଳେ ସେ ଇଂରାଜୀ ଅଭିଧାନର ସାହାଯ୍ୟ ନେଇଥିଲେ । ଯଦିଓ ଫକୀରମୋହନ ୨୩ ବର୍ଷ ବୟସରେ ଇଂରାଜୀ ଶିକ୍ଷା ଆରମ୍ଭ କରିଥିଲେ, କିନ୍ତୁ ତାଙ୍କର ପ୍ରକୃତିଦତ୍ତ ଦକ୍ଷତା ପାଇଁ ସେ ବିଦେଶୀମାନଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।
ଉତ୍ତର ଜୀବନ (Later Life of Fakirmohan Senapati)
ଶିକ୍ଷକତା କରିବା ସଙ୍ଗେ ସଙ୍ଗେ ସେ ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ବଙ୍ଗାଳୀ ଆଦି ଭାଷାରେ ଦକ୍ଷତା ହାସଲ କରିଥିଲେ ଓ ବିଭିନ୍ନ ଆଲୋଚନାମାନଙ୍କରେ ଭାଗ ନେଇ ବାଲେଶ୍ୱରର ବୁଦ୍ଧିଜୀବି ମହଲରେ ନିଜର ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଥିଲେ ।
ବାରବାଟୀ ସ୍କୁଲରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିବା ଫକୀରମୋହନ ପରବର୍ତ୍ତୀ ସମୟରେ ଖ୍ରୀଷ୍ଟୀଆନ ମିଶନ ସ୍କୁଲର ପ୍ରଧାନଶିକ୍ଷକ ରୂପେ ନିଜୁକ୍ତି ପାଇଥିଲେ । ସେହି ସମୟରେ ଓଡ଼ିଆ ଛାତ୍ରମାନେ ସମସ୍ତ ପାଠ ବଙ୍ଗଳାରେ ପଢ଼ୁଥିଲେ, ତେଣୁ ସେ ଓଡ଼ିଆରେ ବିଭିନ୍ନ ବିଷୟରେ ପାଠ୍ୟପୁସ୍ତକମାନ ରଚନା କରଥିଲେ । ଜଣେ ଗର୍ବିତ ଓଡ଼ିଆ ଭାବରେ ସେ ଓଡ଼ିଆରେ ପାଠ୍ୟପୁସ୍ତକ ସବୁକୁ ଅନୁବାଦ କରି ଓଡ଼ିଶାର ଏବଂ ଓଡ଼ିଆ ଭାଷାର ସମ୍ମାନ ବହୁତ ଉପରକୁ କରିଦେଇଥିଲେ ।ଖ୍ରୀଷ୍ଟୀଆନ ମିଶନ ସ୍କୁଲରେ ସେ ୧୮୭୧ ଯାଏ କାର୍ଯ୍ୟ କରିଆସିଥିଲେ ।
ଏହି ସୂତ୍ରରେ ତାଙ୍କର ପରିଚୟ ହୁଏ ବାଲେଶ୍ୱରର ତତ୍କାଳୀନ କଲେକ୍ଟର ଜନ୍ ବିମ୍ସଙ୍କ ସହ । ’ସୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ’ ପରି ବିମ୍ସ ସାହେବ ଯିଏ ନିଜେ ଜଣେ ପଣ୍ଡିତ ଥିଲେ, ଫକୀରମୋହନଙ୍କ ଅନ୍ତର୍ନିହିତ ପାଣ୍ଡିତ୍ୟକୁ ଚିହ୍ନିପାରିଥିଲେ । ଏହି କାଳରେ ବିମ୍ସ ସାହେବ ବିଭିନ୍ନ ଭାରତୀୟ ଭାଷାର ତୁଳନାତ୍ମକ ବ୍ୟାକରଣ ଉପରେ ଗୋଟିଏ ପୁସ୍ତକ ରଚନା କରୁଥିଲେ । ସେ ଫକୀରମୋହନଙ୍କଠାରୁ ଏଥିଲାଗି ଓଡ଼ିଆ ଶିକ୍ଷା କରିଥିଲେ । ଫକୀରମୋହନଙ୍କ ପାଣ୍ଡିତ୍ୟରେ ପ୍ରଭାବିତ ବିମ୍ସ ସାହେବ ତାଙ୍କୁ ନୀଳଗିରିର ଦେୱାନ ପଦ ଗ୍ରହଣ କରିବା ଲାଗି ଆଗ୍ରହ କଲେ । ଫକୀରମୋହନ ମଧ୍ୟ ଏହି ପ୍ରସ୍ତାବ ଗ୍ରହଣ କଲେ । ତାଙ୍କର ମାସିକ ଦରମା ରହିଲା ୧୦୦୦ ଟଙ୍କା । ଏହା ପରେ ସେ ଓଡ଼ିଶାର ବିଭିନ୍ନ ସ୍ଥାନମାନଙ୍କରେ ଦେୱାନ ଦାୟିତ୍ୱ ତୁଲାଇଥିଲେ । ୧୮୭୧ରୁ ୧୮୭୫ ଯାଏଁ ନୀଳଗିରିରେ, ୧୮୭୬-୭୭ ଯାଏଁ ଡମପଡାରେ, ୧୮୭୭-୮୩ ଯାଏଁ ଢେଙ୍କାନାଳରେ, ୧୮୮୪-୮୬ ଯାଏଁ ଦଶପଲ୍ଲାରେ, ୧୮୮୬-୮୭ ଯାଏଁ ପାଲଲହଡ଼ାରେ, ୧୮୮୭-୯୨ ଯାଏଁ କେଉଁଝରରେ ଓ ୧୮୮୪-୮୬ ଯାଏଁ ପୁନର୍ବାର ଡମପଡାରେ ସେ ଏହି ଦାୟିତ୍ୱ ତୁଲାଇଥିଲେ ।
୧୮୯୬ରୁ ୧୯୦୫ ଯାଏଁ ସେ କଟକରେ ଅବସ୍ଥାନ କରିଥିଲେ ଓ ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନମାନଙ୍କରେ ଅଂଶଗ୍ରହଣ କରିଥିଲେ । ଏତଦ୍ ପରେ ସେ ମୃତ୍ୟୁ ପର୍ଯ୍ୟନ୍ତ ବାଲେଶ୍ୱରରେ ଅବସ୍ଥାନ କରିଥିଲେ।
ସାହିତ୍ୟ କ୍ଷେତ୍ରରେ ଅବଦାନ
ଗତାନୁଗତିକ ପ୍ରବନ୍ଧ ଲେଖାରେ ଗୋଟିଏ ବ୍ୟତିକ୍ରମର ଉଦ୍ଦ୍ରେକ ହେଲା ଉତ୍କଳ ସାହିତ୍ୟ ପତ୍ରିକାରେ ୧୯୦୪ ମସିହାର ପ୍ରଥମ ସଂଖ୍ୟାରେ । ପ୍ରାବନ୍ଧିକଙ୍କର ହେତୁବାଦୀ ଚିତ୍ତ ଧର୍ମର ଆବରଣ ଭେଦ କରି ନାସ୍ତିକତାରେ ଉପନୀତ ହୋଇଥିଲା ଗୋଟିଏ ପ୍ରବନ୍ଧ । ସାରା ପାଠକ ମହଲରେ ତଡ଼ିତ୍ ବେଗରେ ପ୍ରସାରିତ ହୋଇଗଲା ପ୍ରବନ୍ଧର ବିଷୟବସ୍ତୁ । ଏ ପ୍ରବନ୍ଧ ଥିଲା ଜଣେ ୨୩ ବର୍ଷୀୟ ଯୁବକଙ୍କର । ଯୁବକ ଥିଲେ ଦର୍ଶନ ଶାସ୍ତ୍ରର ଛାତ୍ର । ପ୍ରବନ୍ଧଟିର ରଚନାରେ ନିଜେ ସ୍ଵୀକାର କରିଥିଲେ , "ମୋର ମନେହୁଏ ଉତ୍କଳ ସାହିତ୍ୟ କ୍ଷେତ୍ରରେ ମୋ ପୂର୍ବେ ଏପରି ସାହସର କର୍ମ କେହି କରିନଥିଲା । ମୁଁ ଉତ୍କଳକୁ ପ୍ରଥମେ ବିପ୍ଳବର ବାଣୀ ଶୁଣାଇଅଛି ।"
ଜାତୀୟ ଜୀବନର ସଂସ୍କାର ଓ ଲୋକାଚାରକୁ ସମାଲୋଚନା କରି ତା'ର ଅନ୍ତର୍ଲୋକରେ ନିଜ ବାଣୀ ପ୍ରତିଷ୍ଠା କରିବା ଓ କୁଶାଗ୍ରତୀକ୍ଷ୍ମ ଯୁକ୍ତିର ଆଘାତରେ ବହୁ ଶତାବ୍ଦୀ ଲାଳିତ ଜାତିର ଜଡ଼ତା ଗ୍ରନ୍ଥିକୁ ଛିନ୍ନ କରିବା ଅତ୍ୟନ୍ତ ସାହସିକ କର୍ମ ଥିଲା ସେ ସମୟରେ। ଉତ୍କଳ ସାହିତ୍ୟରେ ସେହି ପ୍ରବନ୍ଧର ପ୍ରକାଶନ ପରେ ବହୁ ଆଘାତ ପାଇଥିଲେ ପ୍ରାବନ୍ଧିକଙ୍କ ଶୁଭାକାଙକ୍ଷୀ ଭକ୍ତକବି ମଧୁସୂଦନ ରାଓ , କିନ୍ତୁ ପ୍ରଶଂସା କରିଥିଲେ କବିବର ରାଧାନାଥ ରାୟ । ତାଙ୍କର ଉକ୍ତି ଥିଲା , " ପ୍ରାବନ୍ଧିକ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଧର୍ମବିଜ୍ଞାନମାନ ପାଠ କରିଅଛନ୍ତି ଏବଂ ଦେଖିଛନ୍ତି ଯେ ଈଶ୍ଵର ଓ ପରକାଳ ସମ୍ବନ୍ଧୀୟ ତର୍କମାନ ଭ୍ରାନ୍ତ ।" ଅପରପକ୍ଷରେ ଉତ୍କଳ ସାହିତ୍ୟର ସୁଯୋଗ୍ୟ ସମ୍ପାଦକ ବାଗ୍ମୀ ବିଶ୍ଵନାଥ କର ଶତମୁଖରେ ପ୍ରଶଂସା କରିଥିଲେ ଏଭଳି ତର୍କ ସମ୍ବଳିତ ପ୍ରବନ୍ଧଟିକୁ । ଓଡ଼ିଶାର ଅଗଣିତ ପାଠକ ମାନେ ହେତୁବାଦୀ ତର୍କବିତର୍କର ଆଶା ଓ ସମ୍ଭାବନାରେ ଅପେକ୍ଷା ରଖିଥିଲେ ଗତାନୁଗତିକତା ଲଂଘନ କରିଥିବା ପ୍ରବନ୍ଧର ଏକ ନୂତନ ଦିଗନ୍ତ ।
ଗତାନୁଗତିକ ପ୍ରବନ୍ଧ ସୃଷ୍ଟିର ଜରାୟୁକୁ ମଥିତ କରି ଏକ ସ୍ଵାଧୀନ ବିପ୍ଳବାତ୍ମକ ପ୍ରବନ୍ଧର ପ୍ରଥମ ଅବତାରଣା କରିଥିବା ସେଦିନର ପ୍ରାବନ୍ଧିକ ମୋହିନୀ ମୋହନ ସେନାପତି । ଓଡ଼ିଆ ସାହିତ୍ୟ ଜଗତର କୁଳବୃଦ୍ଧ ସାହିତ୍ୟ ରଥି ଫକୀରମୋହନ ସେନାପତିଙ୍କ ତଦୀୟ ସୁପୁତ୍ର ମୋହିନୀ ମୋହନ । ମାତା କୃଷ୍ଣା କୁମାରୀଙ୍କ ଗର୍ଭରୁ ଜାତ ହେଲେ ୧୮୮୧ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଢେଙ୍କାନାଳ ଗଡ଼ଜାତରେ । ବାଲ୍ୟକାଳ ବାଲେଶ୍ଵର ସହର । ତେର ପର୍ବ ବେଳେ ମାତୃ ବିୟୋଗ ହେତୁ ମାଁ ଛେଉଣ୍ଡ ହୋଇଥିଲେ ମୋହିନୀ। ବାପା ସେତେବେଳେ ଡୋମପଡ଼ା ଦେଵାନ । ତେଣୁ ବାପ ପୁଅ ଷ୍ଟିମର ଯୋଗେ ଚାଲି ଆସିଲେ କଟକ । ରେଭେନ୍ସା କଲିଜିଏଟ୍ ସ୍କୁଲ ହେଲା ମାଧ୍ୟମିକ ଓ ଏଣ୍ଟ୍ରାନସ ଶିକ୍ଷା ମନ୍ଦିର ତାଙ୍କ ପାଇଁ , ତା'ପରେ ରେଭେନ୍ସା କଲେଜରେ ଆଇ .ଏ . ଓ ବି .ଏ .ପାଶ୍ ୧୯୦୨ ସାଲରେ । ଏହା ପରେ ଏକଶତ ଟଙ୍କା ବେତନରେ ସବ୍ ଡେପୁଟି ଚାକିରୀ , ୧୯୧୧ ସାଲରେ ଏମ୍ .ଏ . ପାଶ୍ ପରେ ରେଭେନ୍ସା କଲେଜରେ ଦର୍ଶନ ବିଭାଗ ଅଧ୍ୟାପକ ଏବଂ ସେଇଠୁ ୧୯୩୬ ସାଲରେ ଅବସର ଗ୍ରହଣ ।
ବ୍ୟାସକବି ଥିଲେ ସାହିତ୍ୟାନୁରାଗୀ ଏବଂ ଦୁଃସାହସୀ । ଉତ୍ତରାଧିକାର ସୂତ୍ରରେ ବାପାଙ୍କର ସାହିତ୍ୟାନୁରାଗ ଅଳ୍ପ ବହୁତେ ପାଇଥିବା ଏବଂ ଦୁଃସାହସ ସମ୍ପୂର୍ଣ୍ଣ ରୂପେ ପାଇଥିବା ମୋହିନୀ ମୋହନଙ୍କ ଦ୍ଵାରା ସ୍ଵୀକୃତ । ତେଣୁ ଚିରଜୀବନ ସମାଜ ସହ ସଂଗ୍ରାମ କରିବା ହୋଇଥିଲା ତାଙ୍କ ଧମନୀରେ ପ୍ରବାହିତ । ତେବେ ନିଜେ ମୋହିନୀ ମୋହନ ସ୍ଵୀକାର କରନ୍ତି ଯେ , " ପିତାଙ୍କ ସହିତ ଅନେକ ବିଷୟରେ ସାମ୍ୟ ଥିଲେ ମଧ୍ୟ ପାଠକମାନେ ନାନା ବିଷୟରେ ପ୍ରଭେଦ ଖୋଜି ପାଇବେ । ସେ ପରମ ଭକ୍ତ ଥିଲେ । ଈଶ୍ଵର , ପରକାଳ ଓ ଆତ୍ମା ବିଷୟରେ ତାଙ୍କର ଅଟଳ ବିଶ୍ଵାସ ଥିଲା । ପ୍ରତିଦିନ ସେ ନିୟମିତ ଭାବେ ଉପାସନା କରୁଥିଲେ । ଯେତେବେଳେ ତାଙ୍କର ମୃତ୍ୟୁ ଆସନ୍ନ ହୋଇ ଆସିଲା , ସେ ମୋତେ ଡାକି କହିଲେ ଯେ ସେ ମୋର ମାତାଙ୍କ ସହ ମିଳିତ ହେବାକୁ ଯାଉଛନ୍ତି ଏବଂ ମୋତେ ମୋର ମାତାଙ୍କ ସମାଧି ଠାରେ ପ୍ରଣାମ କରିବାକୁ ଆଦେଶ କଲେ । ସେତେବେଳେ ତାଙ୍କର ମନେ ପଡ଼ିଲା ଯେ ମୁଁ ନାସ୍ତିକ । ମୋତେ ପୁଣି କହିଲେ , " ତୁ ବର୍ତ୍ତମାନ ତୋର ବିଚାର ବୁଦ୍ଧି ତ୍ୟାଗ କରି ତୋର ପରଲୋକଗତ ମାତାଙ୍କର ଚରଣ ତଳେ ପ୍ରଣାମ କର ।"। ( ବିବିଧ ପ୍ରବନ୍ଧ , ଅବତରଣିକା )
* ମତବାଦ କୁମେରୁ ଓ ସୁମେରୁ !!
ମୋହିନୀ ମୋହନଙ୍କ ଉପରୋକ୍ତ ଉକ୍ତିରୁ ଅନୁମାନ କରିହୁଏ , ପିତା ଓ ପୁତ୍ରର ଧର୍ମ ସମ୍ବନ୍ଧୀୟ ମତବାଦ କୁମେରୁ ଓ ସୁମେରୁ ସଦୃଶ । ଫକୀରମୋହନ ଅତ୍ୟନ୍ତ ଧର୍ମ ପରାୟଣ ଥିବା ବେଳେ , ପୁତ୍ର ମୋହିନୀ ମୋହନ ଥିଲେ ହେତୁବାଦୀ । ଏବଟ୍ ଲିଖିତ ନେପୋଲିଅନ୍ ବୋନାପାର୍ଟଙ୍କ ଜୀବନୀ ଥିଲା ତାଙ୍କର ପ୍ରିୟ ସଙ୍ଗୀ । ଏହି ପୁସ୍ତକ ଦ୍ୱାରା ସେ ପ୍ରଭାବିତ ଆଦ୍ୟକାଳରୁ । ପରବର୍ତ୍ତୀ ସମୟରେ ବହୁ ଇଂରେଜୀ ସାହିତ୍ୟ , ଫରାସୀ ବିପ୍ଳବର ଗାଥା , ଭାରତୀୟ ଶାସ୍ତ୍ର ଏବଂ ଓଡ଼ିଆ ସାହିତ୍ୟର ବିଭିନ୍ନ ପୁସ୍ତକ ପଠନର ସ୍ପୃହା ତାଙ୍କୁ ଜଣେ ବିଦ୍ୱାନ ଭାବେ ପରିଚିତ କରାଇଥିଲା । ସେ ଥିଲେ ସ୍ଵାଧୀନଚେତା , ସାମ୍ୟ ମୈତ୍ରୀର ଉପାସକ ଏବଂ ଶତାବ୍ଦୀ ଶତାବ୍ଦୀ ଧରି ରହିଥିବା ଧାର୍ମିକ ଜଡ଼ତାର ବିରୋଧରେ ଅଗ୍ରଗାମୀ ବିପ୍ଳବୀ ଦାର୍ଶନିକ !
* ଧର୍ମୀୟ ଭାବନା , ଦର୍ଶନର ବିରୋଧାଭାଷ ---
ଭକ୍ତକବି ମଧୁସୂଦନଙ୍କ ସଂସ୍ପର୍ଶରେ ଆସି ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ ମୋହିନୀ ବାବୁ। ଉପାସନା ସମୟରେ ମଧୁସୂଦନଙ୍କ ଭାଷାର ଗାମ୍ଭୀର୍ଯ୍ୟ ଓ ମାଧୁରୀ କଟକ ସହରର ଶିକ୍ଷିତ ମଣ୍ଡଳୀଙ୍କୁ କରିଥିଲା ବହୁ ଭାବରେ ଆକର୍ଷିତ । ଈଶ୍ଵର ଓ ପରକାଳ ବିଶ୍ଵାସର ଦାର୍ଶନିକ ଭିତ୍ତି ଜାଣିବା ସକାଶେ , ଦର୍ଶନ ବିଦ୍ୟାରେ ବି .ଏ . ପଢି଼ଲେ ମୋହିନୀ ମୋହନ । ସେତେବେଳେ ବଙ୍ଗଳାର ବ୍ରାହ୍ମଧର୍ମୀ ସାହିତ୍ୟିକ ନଗେନ୍ଦ୍ର ନାଥ ଚଟୋପାଧ୍ୟାୟଙ୍କ ' ଧର୍ମ ଜିଜ୍ଞାସା ' ପୁସ୍ତକ ଓ ହିନ୍ଦୁ ଧର୍ମର ଜଣେ ପୃଷ୍ଠପୋଷକ ରାୟବାହାଦୂର ଯତୀନ୍ଦ୍ର ମୋହନ ସିଂହଙ୍କ ' ସାକାର ଓ ନିରାକାର ତତ୍ତ୍ଵ ବିଚାର ' ପୁସ୍ତକ ଦ୍ଵୟ ସାକାର ଉପାସନାର ଯୁକ୍ତି ଯୁକ୍ତତା ଏବଂ ନିରାକାର ଉପାସନାର ଭ୍ରାନ୍ତି ପ୍ରତିପାଦନ କରିବାକୁ ବ୍ୟଗ୍ର । ଏହି ତର୍କବିତର୍କ ଦ୍ଵାରା ମୋହିନୀ ମୋହନଙ୍କ ଧର୍ମ ବିଶ୍ଵାସ ହେଲା ଶିଥିଳ । ତାଙ୍କର ବିଶ୍ବାସ ଥିଲା , ବ୍ରହ୍ମବାଦୀମାନେ ମିଛ କହନ୍ତି ନାହିଁ ଏବଂ ଯେତେବେଳେ ସେମାନେ ଈଶ୍ଵର ଦର୍ଶନ କରିଛନ୍ତି , ସେମାନେ ଜଣେ ଜଣେ କ୍ଷୁଦ୍ର ଈଶ୍ଵର ! କିନ୍ତୁ ତଥାକଥିତ ବ୍ରହ୍ମବାଦୀ ମାନଙ୍କ ଆଚରଣ ଦେଖି ସେ ହେଲେ କ୍ଷୁବ୍ଧ ଏବଂ ଧର୍ମର ଆବରଣ ଭେଦ କରି ଉପନୀତ ହେଲେ ନାସ୍ତିକତାରେ । ସମସ୍ତ ଧର୍ମୀୟ ଚେତନା ବିରୁଦ୍ଧରେ ବିଷୋଦଗାର କରି ତରୁଣ ମୋହିନୀ ମୋହନ ୧୯୦୪ ମସିହାରେ ଲେଖିଲେ ପ୍ରବନ୍ଧ ନାସ୍ତିକତାକୁ ସମର୍ଥନ କରି ଯାହା ଉତ୍କଳ ସାହିତ୍ୟରେ ପ୍ରକାଶିତ -- ଓଡ଼ିଆ ସାହିତ୍ୟରେ ନାସ୍ତିକତା ସପକ୍ଷରେ ପ୍ରଥମ ଉପୋଦଘାତ !
* ଅରୂପର ସ୍ଵରୂପ ? --
୧୯୩୫ ମସିହା ଡିସେମ୍ବର ମାସ ଏକ ତାରିଖ । #ନବଯୁଗ #ସାହିତ୍ୟ #ସଂସଦର ଏକ ଆଲୋଚନା ଚକ୍ର କଟକରେ ଆୟୋଜିତ । ସଭାପତି ମୋହିନୀ ମୋହନ ସେନାପତି । ଅଭିଭାଷଣ ପ୍ରଦାନ କରିବାକୁ ଯାଇ କହିଲେ --
" କେତେକ ଧାର୍ମିକ ଅଛନ୍ତି ଯେଉଁମାନେ କହନ୍ତି ଯେ ସେମାନେ ଭଗବାନଙ୍କୁ ଦେଖି ଅଛନ୍ତି । ଯାହାଙ୍କର ଅସ୍ତିତ୍ବ ନାହିଁ ଲୋକେ ତାହାଙ୍କୁ ଦେଖନ୍ତି କିପରି ? ପ୍ରାଚୀନ କାଳରେ ଆର୍ଯ୍ୟ ଋଷିମାନେ ଭଗବାନଙ୍କୁ ଦେଖିବା ପାଇଁ ସୋମରସ ପାନ କରୁଥିଲେ , ଆଜିକାଲି ମଧ୍ୟ ଅନେକ ସନ୍ୟାସୀ ସେହି ଉଦ୍ଦେଶ୍ୟରେ ଗଞ୍ଜା ସେବନ କରି ଥାଆନ୍ତି । ଯେ ପର୍ଯ୍ୟନ୍ତ ମସ୍ତିଷ୍କ ପ୍ରକୃତିସ୍ଥ ଥାଏ ସେ ପର୍ଯ୍ୟନ୍ତ ସେ ପର୍ଯ୍ୟନ୍ତ ସେ ଅଳୀକ ବସ୍ତୁ ଦର୍ଶନ କରି ପାରେ ନାହିଁ। ଏଥିପାଇଁ ଧାର୍ମିକ ମାନେ ପ୍ରକୃତିସ୍ଥ ନ ହୋଇ ଅପ୍ରକୃତିସ୍ଥ ହେବା ଅଧିକ ବାଞ୍ଛନୀୟ ମନେ କରନ୍ତି । ଧାର୍ମିକ ଓ ପାଗଳ ଏକ - ଶ୍ରେଣୀଭୁକ୍ତ । ସଭ୍ୟ ଯୁଗରେ ଧାର୍ମିକ ମାନେ ଗଞ୍ଜା ଓ ସୋମରସ ପରିତ୍ୟାଗ କରି ଅଛନ୍ତି ସତ୍ୟ , ସେମାନେ ବାତୁଳତାର ଅନ୍ୟ ଗୋଟିଏ ପନ୍ଥା ଅବଲମ୍ବନ କରନ୍ତି। ଯୋଗ ଦ୍ୱାରା ଆମ୍ଭେମାନେ କୌଣସି ଗୋଟିଏ ବିଷୟରେ ଅଧିକ କାଳ ମନଃସଂଯୋଗ କଲେ ତାହା ପ୍ରତ୍ୟକ୍ଷ - ଜ୍ଞାନ ବୋଲି ପ୍ରତୀତି ହୁଏ । ଏହି ଚିତ୍ତଭ୍ରାନ୍ତି ( Hallucination ) ଯୋଗର ଅବଶ୍ୟମ୍ଭାବୀ ଫଳ । ଏତଦ୍ଦାରା ଭଗବାନ , ମୃତଲୋକ ଏବଂ ନାନାରୂପ ଅଳୀକ ବସ୍ତୁ ପ୍ରତ୍ୟକ୍ଷୀଭୂତ ହୋଇଥାଏ । ଆଜିକାଲି ଭଗବାନଙ୍କୁ ଦର୍ଶନ କରିବାର ଏହା ଗୋଟିଏ ପ୍ରଶସ୍ତ ପନ୍ଥା । ଧାର୍ମିକ ମାନେ ଉପବାସ ପ୍ରଭୃତି ଯେତେ ପ୍ରକାର କୁଚ୍ଛ୍ର ସାଧନା କରି ଥାଆନ୍ତି ତଦ୍ଦ୍ଵାରା ମସ୍ତିଷ୍କ ଅବଶ ହୋଇଯାଏ । ସେ ଅବସ୍ଥାରେ ଅସତ୍ୟ ସତ୍ୟ ରୂପେ ପ୍ରତ୍ୟକ୍ଷୀଭୂତ ହୁଏ । ଅନେକ ବିଶ୍ୱାସ କରନ୍ତି ଯେ ଭଗବାନଙ୍କୁ ଦର୍ଶନ କଲେ ସ୍ଵର୍ଗପ୍ରାପ୍ତି ହୁଏ । ପ୍ରକୃତିସ୍ଥ ହେବା ପର୍ଯ୍ୟନ୍ତ ମାନବ ଭଗବାନଙ୍କୁ ଦର୍ଶନ କରେ ନାହିଁ । ସେଥିପାଇଁ ଅପ୍ରକୃତିସ୍ଥ ହେବା ଧାର୍ମିକ ମାନଙ୍କର ଇପ୍ସିତ ଅଟେ ।
ଆଉ ଗୋଟାଏ କାରଣରୁ ଧର୍ମ ପ୍ରତି ଲୋକମାନଙ୍କର ଆସକ୍ତି ଜାତ ହୋଇଥାଏ । ଧର୍ମ ମନ୍ଦିରରେ , ଗିର୍ଜା ଓ ମସଜିଦରେ ଆମ୍ଭେମାନେ ଆମ୍ଭମାନଙ୍କର ସଙ୍ଗୀ ମାନଙ୍କ ସହ ମିଳିତ ହେଉଁ । ସେଠାରେ ପୁଷ୍ପର ସୌରଭ ଓ ସଙ୍ଗୀତର ମଧୁର ଧ୍ଵନି ଉପଭୋଗ କରୁଁ । ଏହିସବୁ ଆନୁସଙ୍ଗିକ ବ୍ୟାପାର ଯୋଗୁଁ ଆମ୍ଭମାନଙ୍କର ଧର୍ମ ପ୍ରତି ଅନୁରାଗ ଜାତ ହୁଏ। ନାସ୍ତିକ-ସମାଜର ସୌଧ ଶିଖର ଯଦି ପୁରୀ ମନ୍ଦିର ପରି ଗଗନ ଭେଦ କରେ , ପ୍ରକୃତିର ବିରାଟ ଓ ରମ୍ୟ ଦୃଶ୍ୟ ସମ୍ମୁଖରେ ଯଦି ନାସ୍ତିକ-ସୌଧ ସ୍ଥାପିତ ହୁଏ , ଯଦି ପୁଷ୍ପ ଏବଂ ସୁଗନ୍ଧି ଦ୍ରବ୍ୟ ଦ୍ଵାରା ନାସ୍ତିକ-ଅଟ୍ଟାଳିକା ଆମୋଦିତ କରାହୁଏ ଏବଂ ସଙ୍ଗୀତ ଓ ବାଦ୍ୟର ମଧୁର ଧ୍ଵନି ଦ୍ଵାରା ନାସ୍ତିକ-ମନ୍ଦିର ଝଙ୍କୃତ ହୁଏ , ତେବେ ପୃଥିବୀର ଯାବତୀୟ ତୀର୍ଥ ଯାତ୍ରୀମାନେ ଆମ୍ଭମାନଙ୍କର ନାସ୍ତିକ ମନ୍ଦିରରେ ପଦାର୍ପଣ କରି କହିବେ -- ନାସ୍ତିକ ଧର୍ମ କି ଉଦାର କି ମହତ୍ ! ଧର୍ମର ମହତ୍ତ୍ଵ ଧର୍ମରେ ନାହିଁ , ତାହା ଆନୁସଙ୍ଗିକ ବ୍ୟାପାରରେ ବର୍ତ୍ତମାନ ଅଛି । "
* ଓଡ଼ିଶାର ଚାର୍ବାକ୍ (!)---
ମୋହିନୀ ମୋହନ ଜଡ଼ବାଦୀ । ଆତ୍ମଶୁଦ୍ଧିର ଶ୍ରେଷ୍ଫତ୍ଵ , ବୈଜ୍ଞାନିକ ଯୁକ୍ତିବାଦର ପ୍ରାଧାନ୍ୟ ଏବଂ ଏହାଦ୍ଵାରା ଜୀବନ ଓ ଜଗତର ସମସ୍ୟାବଳି ବିଚାର ଥିଲା ତାଙ୍କର ମନୋଧର୍ମ । ପାରମ୍ପାରିକ ବିଶ୍ୱାସ ଓ ଶାସ୍ତ୍ରନିଷ୍ଠା ପ୍ରଣୋଦିତ ହୋଇ ଯେ କୌଣସି ବିଷୟକୁ ଗତାନୁଗତିକ ଧାରାରେ ବିଚାର ଥିଲା ତାଙ୍କର ପ୍ରକୃତି ବିରୁଦ୍ଧ । ବହୁ ପାଶ୍ଚାତ୍ୟ ଦର୍ଶନ , ଆଲୋଚନା , ଜଡ଼ବାଦୀ ଲେଖକମାନଙ୍କ ଗ୍ରନ୍ଥରାଜି ଅଧ୍ୟୟନ ହେତୁ ଜଡ଼ବାଦ ସମ୍ପର୍କରେ ସେ ବହୁ ପ୍ରଭାବିତ । ତେଣୁ ମନୁଷ୍ୟ ଜୀବନରେ ନୀତି ଅପେକ୍ଷା ପ୍ରକୃତି ଉପରେ ଗୁରୁତ୍ବ ତାଙ୍କର ଅଧିକ । ଜର୍ମାନର ପ୍ରସିଦ୍ଧ ଜଡ଼ବାଦୀ ଦାର୍ଶନିକ ଫ୍ରେଡ଼ରିକ୍ ନିଟେଜଙ୍କ ଦର୍ଶନ ସହ ବେଶ୍ ପରିଚିତ ହେତୁ ଭୌତିକ ବିଶ୍ଵାସ ତାଙ୍କର ଦୃଢ଼ୀଭୂତ। ମୋହିନୀ ମୋହନଙ୍କ ଦୃଷ୍ଟିରେ ମନୁଷ୍ୟ ଜଡ଼ ପରମାଣୁର ସମାହାର , ମନୁଷ୍ୟ ମଧ୍ୟରେ ଆତ୍ମା ବା ଜଗତ୍ ମଧ୍ୟରେ ପରମାତ୍ମା ନାହିଁ । ନୀତିର ମାନଦଣ୍ଡ ଆପେକ୍ଷିକ । ତେଣୁ ସମାଜର ଧର୍ମବିଧାନ ଓ ଧର୍ମ ପ୍ରବୃତ୍ତି ଉଭୟର ପ୍ରତିକୂଳରେ ତାଙ୍କର ଯୁକ୍ତି ଉତ୍ଥାପିତ । ଧର୍ମ ଅଧ୍ରୁବ ଓ ଅନିଶ୍ଚିତ । ଜଡ଼ ବିଜ୍ଞାନ ବଳରେ ଶକ୍ତି ଆହରଣ କରି ଜୀବନ ସଂଗ୍ରାମରେ ଜୟୀ ହେବା ହିଁ ବର୍ତ୍ତମାନ ଯୁଗର ଆକାଙକ୍ଷା । ଓଡ଼ିଆ ସାହିତ୍ୟରେ ଏହି ବୈପ୍ଳବିକ ଚିନ୍ତାଧାରା ପାଇଁ ସେ ଅନେକଙ୍କ ଦ୍ଵାରା ସମାଲୋଚିତ ।
* ' ମତ ', ଉଷ୍ଣ ପରିବେଶର ସଞ୍ଚାରକ ----
ପରମ୍ପରା ବିରୁଦ୍ଧ ନିର୍ଭୀକ ମତ ପ୍ରକାଶ , ଜଡ଼ବାଦୀ ଦୃଷ୍ଟିର ସମର୍ଥନ ସେବେଳର ସମାଜ ବ୍ୟବସ୍ଥା ଉପରେ ତୀବ୍ର କୁଠାରାଘାତ ! ଫଳତଃ ମୋହିନୀ ମୋହନ ହେଲେ ଶରବ୍ୟ , ତାଙ୍କ ଲେଖାର ପ୍ରତିବାଦ ମାଧ୍ୟମରେ । ମୋହିନୀ ମୋହନଙ୍କ ଯୁକ୍ତି ବିବର୍ତ୍ତନବାଦୀଙ୍କ ଯୁକ୍ତି ସମର୍ଥନ ମୂଳକ । ସେବେଳର ବ୍ରହ୍ମବାଦୀ ସାହିତ୍ୟିକ ଆନନ୍ଦ ଚନ୍ଦ୍ର ଦତ୍ତ ବିରୋଧ କଲେ ମୋହିନୀ ମୋହନଙ୍କ ଚିନ୍ତାଧାରାକୁ। ତେଣୁ ମୋହିନୀ ମୋହନ ଉତ୍ତର ଦେଇ ଲେଖିଲେ ଉତ୍କଳ ସାହିତ୍ୟ ପତ୍ରିକାରେ । ପ୍ରତ୍ୟୁତ୍ତର ଦ୍ଵାରା ତାହା ହେଲା ଖଣ୍ଡିତ ଆନନ୍ଦ ଚନ୍ଦ୍ରଙ୍କ ଲେଖାରେ । ମସୀ ଚାଳନା ଆହୁରି ହେଲା ତୀବ୍ର ! ' ଆତ୍ମ ସମର୍ଥନ ' ପ୍ରବନ୍ଧ ରଚନା କରି ଆନନ୍ଦ ଚନ୍ଦ୍ର ରଖିଲେ ମତାମତ। ଉଷ୍ମ ପରିବେଶ ସୃଷ୍ଟି ହେଲା ସାହିତ୍ୟିକ ଓ ପାଠକ ମହଲରେ । ମୋହିନୀ ମୋହନଙ୍କ ଯୁକ୍ତି , " ଧର୍ମ ଚାହେଁ ଶ୍ରେଷ୍ଠତମର ଜୟ , ପ୍ରକୃତି ଚାହେଁ ଯୋଗ୍ୟତମର ଜୟ , ଯୋଗ୍ୟତମ ଓ ଶ୍ରେଷ୍ଠତମ ସମାନ ନୁହନ୍ତି ।" ଏ ଯୁକ୍ତିର ଅସାରତା ପ୍ରମାଣ କରି ଧର୍ମର ମହିମାଗାନରେ ଆନନ୍ଦ ଚନ୍ଦ୍ରଙ୍କ ଯୁକ୍ତି , "ଯତୋ ଧର୍ମ ସ୍ତତୋ ଜୟ ।" ପୁଣି ମୋହିନୀ ମୋହନଙ୍କ ପ୍ରତ୍ୟୁତ୍ତର । ଏ ଧରଣର ଉତ୍ତର ଓ ପ୍ରତ୍ୟୁତ୍ତର ମଧ୍ୟରେ ନଥିଲା କିନ୍ତୁ ବ୍ୟକ୍ତିଗତ ଆକ୍ଷେପ ବା ସଙ୍କୀର୍ଣ୍ଣତା । ଏହା ଥିଲା ଦୁଇଟି ପରଷ୍ପର ବିରୋଧୀ ମତବାଦର ଯୁକ୍ତିନିଷ୍ଠ ତର୍ଜମା ଏବଂ ବ୍ୟବଛେଦ ! ( ଆଲୋଚନା ହେବ ତ ଏମିତି !!)
* ସାମାଜିକ ଚିନ୍ତା କ୍ଷେତ୍ରରେ ବିପ୍ଳବ ସଂଚାରକ --
' ପୁରୁଷମାନଙ୍କ ସୁଖ ସ୍ଵାଛନ୍ଦ୍ୟ ନିମନ୍ତେ ସ୍ତ୍ରୀର ଦାସୀତ୍ଵରୁ ବିବାହ ରୂପକ ଅଛେଦ୍ୟ ବନ୍ଧନର ଉତ୍ପତ୍ତି' ହେଉଛି ଚିନ୍ତାନାୟକ , ସଂସ୍କାର ପ୍ରେମୀ ମୋହିନୀ ମୋହନଙ୍କ ଯୁକ୍ତି ଓ ମତ । ସେ ଲକ୍ଷ୍ୟ କରିଛନ୍ତି , ଚିରସ୍ଥାୟୀ ଏକ ବିବାହ ପଶ୍ଚାତରେ କୁସଂସ୍କାର ଓ ସାମାଜିକ ଅତ୍ୟାଚାରର ଭୀଷଣ ରୂପ ! ବିବାହ ବନ୍ଧନର ଦୃଢ଼ତା ଏକ ମୂଷାଧରା ଯନ୍ତ୍ର ତାଙ୍କ ଯୁକ୍ତି ଓ ମତରେ ! ତେବେ ଏସବୁ ପାଠକଙ୍କ ଦୃଷ୍ଟିରେ ବିସ୍ମୟକର ବିବେଚିତ ହୁଏ ! ନାରୀ ସ୍ବାଧିନତାର ପକ୍ଷପାତୀ ଲେଖକଙ୍କର ସମାଧାନ (ସୂତ୍ର ) ସ୍ଵରୂପ
" ସ୍ତ୍ରୀ ମାନଙ୍କର ସ୍ଵାଧୀନ ଜୀବିକା " ଉପରେ ଗୁରୁତ୍ଵାରୋପ । ନାରୀ ସମାଜ ପ୍ରତି ଅସୀମ ସହାନୁଭୂତି ନିହିତ ତାଙ୍କର କେତୋଟି ପ୍ରବନ୍ଧରେ । Atrocities of the Marriage Law (ବିବାହ ବିଧିର ନୃଶଂସତା ) ଏକ ଉଚ୍ଚକୋଟୀର ଆଲୋଚନା , ବକ୍ତୃତା ଲେଖକଙ୍କର । ଏହା ସେତେବେଳର Statesman ଓ Amrita Bazar Patrika ରେ ପ୍ରକାଶିତ , ପରେ ଭାରତବର୍ଷର ଅନ୍ୟାନ୍ୟ ଖବରକାଗଜ ଓ ପତ୍ରିକାରେ ପ୍ରକାଶିତ । ଏହା ସୃଷ୍ଟି କରିଥିଲା ସମଗ୍ର ଦେଶରେ ଗୋଟିଏ ବିପ୍ଳବର ଗାଥା । ଭାରତୀୟ ଦର୍ଶନ , ସଂସ୍କୃତିର ତଥାକଥିତ ବଡ଼ପଣ୍ଡା ମାନେ ଏହାକୁ ସମାଲୋଚନା କରିବା ସ୍ବାଭାବିକ ! କିନ୍ତୁ ଟଳି ନଥିଲେ ମୋହିନୀ ମୋହନ ।
ତାଙ୍କର କଳ୍ପିତ ପ୍ରଥା ଓ ଯୁକ୍ତି ଖଣ୍ଡନ ପାଇଁ ପ୍ରତିପକ୍ଷ ମସୀ ଚାଳନା କରି ପାରନ୍ତି , କିନ୍ତୁ ସେ ଥିଲେ ଦୃଢ଼ମନା । କୁସଂସ୍କାର ମୁକ୍ତ ସ୍ରଷ୍ଟା ଚିତ୍ତର ବିପ୍ଳବ ବାଣୀ , ବାସ୍ତବ ସମସ୍ୟା ସଚେତନ ଦୃଷ୍ଟିଭଙ୍ଗୀ , ଯୁକ୍ତିରେ ଅଟଳ ବିଶ୍ଵାସ , ସ୍ଵାଧୀନ ଚିତ୍ତତାର ଚିହ୍ନ ତାଙ୍କ ରଚନାରେ ସୁସ୍ପଷ୍ଟ ।
" ଜୀବଜନ୍ତୁ ମାନଙ୍କର ଅଧିକାର " ପ୍ରବନ୍ଧ ଓ ଆଲୋଚନା ମାଧ୍ୟମରେ ସେ ଜୀବଜଗତର କଲ୍ୟାଣକାମୀ । ବୁଦ୍ଧଙ୍କ " ଜୀବେ ଦୟା " ନୀତି ଦ୍ଵାରା ସେ ପ୍ରଭାବିତ , ସେ ଦିଗକୁ ଆକୃଷ୍ଟ । ଏକ ଦିଗରେ ସମାଜରୁ ଈଶ୍ଵର ବିଶ୍ଵାସର ନିର୍ବାସନ ପକ୍ଷପାତୀ , ଅପର ଦିଗରେ ବିବାହ ପ୍ରକ୍ରିୟା , ଯୌନ ସ୍ଵାଧୀନତା ସମର୍ଥକ ! କିନ୍ତୁ ପ୍ରତ୍ୟେକ ରଚନା ପଛରେ ଅକାଟ୍ୟ ଯୁକ୍ତି ସହ ନିର୍ଭୀକ ଅଭିମତ ପ୍ରତିଷ୍ଠାର ଦୃଢ଼ ପ୍ରୟାସ !!
ମୋହିନୀ ମୋହନ ଯୁକ୍ତିବାଦୀ ଦାର୍ଶନିକ । ତାଙ୍କ ରଚନାର ବୈଶିଷ୍ଟ୍ୟ ହେଉଛି -- " ସ୍ଵାଧୀନ ଅଭିମତ , ଯୁକ୍ତି ମୂଳକ ଆଲୋଚନା , ପ୍ରକାଶ ଭଙ୍ଗୀରେ ସ୍ଵଛତା , ବିପ୍ଳବାତ୍ମକ ଚିନ୍ତାଧାରା , ଗତାନୁଗତିକ ଠାରୁ ବହୁ ଦୂରରେ ।" ଶିଳ୍ପୀପ୍ରାଣର ଆନ୍ତରିକତା , ରଚନାର ପ୍ରବହମାନତା ପାଠକଙ୍କ ନିକଟରେ ଅଧିକ ମନୋମୁଗ୍ଧକର । ଲେଖକଙ୍କ ଚିତ୍ତ ମୁକ୍ତି ଓ ଚିନ୍ତାର ସ୍ଵାଧୀନତା ଓଡ଼ିଆ ମନନଶୀଳ ରଚନାରେ ଅସାଧାରଣ , ବିସ୍ମୟୋଦ୍ଦୀପକ !!
*ଋଣୀ ରହିଲି -- ଫକୀରମୋହନ ସେନାପତିଙ୍କ ଆତ୍ମଚରିତ / ମୋହିନୀ ମୋହନଙ୍କ ବିବିଧ ପ୍ରସଙ୍ଗ ପୁସ୍ତକ / ଡଃ ଶ୍ରୀନିବାସ ମିଶ୍ରଙ୍କ ପ୍ରବନ୍ଧ ।
ଦ୍ବିତୀୟ ପର୍ଯ୍ୟାୟ::
ପଞ୍ଚଦଶ ଶତାବ୍ଦୀରେ ୟୁରୋପୀୟ ରେନେସାଁ ପର୍ଯ୍ୟନ୍ତ ଭାରତୀୟ ଭାଷା , ସାହିତ୍ୟ ଥିଲା ଜନଜୀବନର ଦାରିଦ୍ର୍ୟ ଓ ସଙ୍କଟ ମଧ୍ୟରେ । ରେନେସାଁ ସଂସ୍କୃତିର ନବଜନ୍ମ ୟୁରୋପୀୟ ଜୀବନ ତଥା ସାହିତ୍ୟର ଗତିପଥରେ ଏକ ନୂଆ ମୋଡ଼ ଫିଟେଇ ଦେଇଥିଲା । ଏହି ପଞ୍ଚଦଶ ଶତାବ୍ଦୀରେ ୟୁରୋପରେ ସଂସ୍କୃତିର ନବଜନ୍ମ ଫଳରେ ସମାଜ ତଥା ବ୍ୟକ୍ତି ଜୀବନର ସକଳ କ୍ଷେତ୍ରରେ ଏକ ନୂତନ ସୃଜନଶୀଳ ଆଲୋଡ଼ନର ସୂତ୍ରପାତ ହୋଇଥିଲେ ହେଁ ଭାରତରେ ଊନବିଂଶ ଶତାବ୍ଦୀର ଶେଷ ପାଦ ପର୍ଯ୍ୟନ୍ତ ସେପରି ଆଲୋଡ଼ନ ଓ ଅଭ୍ୟୁଦୟ ପରିଲକ୍ଷିତ ହୋଇପାରିନଥିଲା । ୟୁରୋପୀୟ ରେନେସାଁ ଓ ତଥାକଥିତ ଭାରତୀୟ ରେନେସାଁ ମଧ୍ୟରେ ଚାରି ଶତାବ୍ଦୀର ବ୍ୟବଧାନ ! ତତ୍କାଳୀନ ଭାରତବର୍ଷର ସଂସ୍କୃତିର ଆଲୋଡ଼ନ-ହୀନ-ବଦ୍ଧ- ପଲ୍ଵଳ ଏହି ୟୁରୋପୀୟ ସାହିତ୍ୟ , ସଂସ୍କୃତି , ଜୀବନଚର୍ଯ୍ୟା , ବୈଜ୍ଞାନିକ ଦୃଷ୍ଟିକୋଣ ଆଦିର ଅନୁଶୀଳନରେ ହୋଇଉଠିଥିଲା ପ୍ରାଣବନ୍ତ । ଏହାହିଁ ଭାରତବର୍ଷ ଇତିହାସରେ ରେନେସାଁ ବା ପୁନର୍ନବା ବା ସଂସ୍କୃତିର ନବଜନ୍ମ ବା ବିଦ୍ୟାର ପୁନରୁଜ୍ଜୀବନ ବା Revival of Learning ।
ଭାରତୀୟ ସମାଜ ଜୀବନ ଓ ସାହିତ୍ୟ ମଧ୍ୟରେ ଏହି ଜାଗରଣ କିଛି ମାତ୍ରାରେ ପ୍ରବେଶ କରିଥିଲା ଊନବିଂଶ ଶତାବ୍ଦୀର ଅନ୍ତିମ ପର୍ଯ୍ୟାୟରେ ଏବଂ ବିଂଶ ଶତାବ୍ଦୀର ଆରମ୍ଭରେ ଅଗ୍ରସର ଅଭିମୁଖୀ ହେବାର ବେଶ୍ ସୂଚନା ମିଳେ । ତଦ୍ରୁପ ମଧ୍ୟ ଥିଲା ଓଡ଼ିଶା କ୍ଷେତ୍ରରେ । ବିଦ୍ୟା ଚର୍ଚ୍ଚା ହେତୁ ମଣିଷ ମନର ସମ୍ପଦ , ଚିନ୍ତାର ଐଶ୍ୱର୍ଯ୍ୟ , କଳ୍ପନାର ମହତ୍ତ୍ଵ , ମାନବିକ ମୂଲ୍ୟବୋଧ ହୋଇଥିଲା ପ୍ରକାଶିତ । ନବଯୁଗରେ ମୁଦ୍ରା ଯନ୍ତ୍ର ସ୍ଥାପନ , ଅନୁବାଦ , ପାଠ୍ୟ ପୁସ୍ତକ ରଚନା , ମାନବତାବୋଧ ସମ୍ବଳିତ ଚିନ୍ତାଧାରା , ପ୍ରଗତିଶୀଳ ସାହିତ୍ୟ ସର୍ଜନା ଥିଲା ଏକ ସାହସିକ କାର୍ଯ୍ଯ । ଓଡ଼ିଆ ସାହିତ୍ୟରେ ବ୍ୟାସକବି ଭାବେ ବିଦିତ , ଯୁଗସ୍ରଷ୍ଟା ଭାବେ ପରିଚିତ ଫକୀରମୋହନ ସେନାପତିଙ୍କ ସମ୍ପର୍କରେ ଏ ଅବତରଣିକା ଏକ ସ୍ବତନ୍ତ୍ର ତାତ୍ପର୍ଯ୍ୟ ବହନ କରେ। ନବଜାଗରଣ କାଳର ଆଦର୍ଶ ଓ ପ୍ରେରଣା ତାଙ୍କ ଜୀବନରେ ଓଡ଼ିଶାରେ ପ୍ରକୃଷ୍ଟ ଭାବେ ପ୍ରକାଶିତ । ଉପନିଷଦ , ରାମାୟଣ , ମହାଭାରତ ଆଦି ପୁରାଣମାନଙ୍କର ସର୍ବଜନ୍ୟବୋଧ ଭାଷାରେ ଅନୁବାଦ , ରାଜପୁତ୍ର ଇତିହାସ (୧୮୬୬) , ଜୀବନ ଚରିତ , ଭାରତବର୍ଷର ଇତିହାସ (୧୮୬୯ ଓ ୭୦) ସେତେବେଳେ ତାଙ୍କ ଦ୍ଵାରା ରଚିତ ପ୍ରଥମ ପର୍ଯ୍ୟାୟରେ , ଯାହା ସବୁ ପ୍ରଭାବିତ ରଚନା । ତେବେ ୧୮୭୦ ରୁ ୧୮୯୭ ପର୍ଯ୍ୟନ୍ତ ଫକୀରମୋହନଙ୍କ ସୃଷ୍ଟି ଯେମିତି ଥିଲା ସୁପ୍ତ । ଦୀର୍ଘକାଳ ପରେ ୧୮୯୭ ଠାରୁ ୧୯୧୮ ( ଦେହାନ୍ତ) ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟର ସାହିତ୍ୟ ରଚନା ତାଙ୍କ ସୃଷ୍ଟି ମର୍ଯ୍ୟାଦାକୁ ବହୁଗୁଣିତ କରିଥିଲା । ଏହି ଦ୍ଵିତୀୟ ପର୍ଯ୍ୟାୟରେ ଓଡ଼ିଆ ସାହିତ୍ୟ ସମୃଦ୍ଧ ହୋଇଥିଲା ଅମର କୃତି ଗଳ୍ପ , ଉପନ୍ୟାସ , ଆତ୍ମଚରିତ , ସର୍ବଜନ୍ୟବୋଧ କବିତା ଗୁଚ୍ଛ ଇତ୍ୟାଦି ଇତ୍ୟାଦିରେ ।
* ଦ୍ଵିତୀୟ ପର୍ଯ୍ୟାୟ ସୃଷ୍ଟିର ପ୍ରଥମ ପାଦ -----
୧୮୯୬ ମସିହାରେ କଟକର ବାଖରାବାଦ ଧୂଆଁପତରିଆ ସାଇରେ ଗୋଟାଏ ଘର ତିଆରି କରି ସେଠାରେ ବସବାସ କରିବାକୁ ଲାଗିଲେ । ସେହିଠାରୁ ଆରମ୍ଭ ହୁଏ ତାଙ୍କର ଉପନ୍ୟାସ ଓ ଗଳ୍ପ ରଚନା । ଏ ସମ୍ପର୍କରେ ବ୍ୟାସକବି କହନ୍ତି :---
" କଟକ ବାସ ସମୟରେ ମୋର ଉପନ୍ୟାସ ଲେଖା ଆରମ୍ଭ ହୁଏ । ମୁଁ ପ୍ରଥମେ ରେବତୀ ନାମକ ଗୋଟିଏ ଗଳ୍ପ ଲେଖିଲି । " ଉତ୍କଳ ସାହିତ୍ୟ " ରେ ପ୍ରକାଶ କରିବା ପାଇଁ ତାହା ସମ୍ପାଦକଙ୍କୁ ଦେଲି । ମୁଁ ଏହି ସମୟରେ ଯେଉଁ ଗଳ୍ପ ଓ ଉପନ୍ୟାସମାନ ଲେଖୁଥିଲି , ତାହା ମୋହ ନାମରେ ପ୍ରକାଶ ନ କରି ଧୂର୍ଜଟୀ ନାମରେ ପ୍ରକାଶ କରୁଥିଲି । ଏ ନାମଟି ବାଛିଥିଲେ ମୋର ପ୍ରିୟ ବନ୍ଧୁ ମଧୁସୂଦନ ରାଓ । ତତ୍ପରେ " ଛମାଣ ଆଠଗୁଣ୍ଠ " ନାମରେ ଗୋଟିଏ ଗଳ୍ପ ଆରମ୍ଭ କଲି । ତାହା କ୍ରମଶଃ ବଢ଼ି ବଢ଼ି ଗୋଟିଏ ବଡ଼ ଉପନ୍ୟାସରେ ପରିଣତ ହେଲା । ଏହାପରେ " ଅପୂର୍ବ ମିଳନ " ନାମରେ ଗୋଟିଏ ଉପନ୍ୟାସ ଲେଖିବାକୁ ଆରମ୍ଭ କରେ ଏବଂ ଏହି ନାମରେ ତାହା ଉତ୍କଳ-ସାହିତ୍ୟରେ ପ୍ରକାଶିତ ହୋଇଥିଲା । ସ୍ଵତନ୍ତ୍ର ପୁସ୍ତକାରରେ ଯେତେବେଳେ ଛାପା ହେଲା , ତାହାର ନାମ ଦେଲି ' ଲଛମା '। ମୋର ଏହି ଗଳ୍ପ ଓ ଉପନ୍ୟାସମାନ ପଢ଼ି ପାଠକମାନେ ବିଶେଷ ପ୍ରୀତ ହୋଇଥିଲେ ।
' ଛମାଣ ଆଠଗୁଣ୍ଠ ' କୁ ସେମାନେ ବିଶେଷ ଆଗ୍ରହର ସହିତ ପଢ଼ୁଥିଲେ । ଏହି ଉପନ୍ୟାସ ଲିଖିତ ରାମଚନ୍ଦ୍ର ମଙ୍ଗରାଜର ମକଦ୍ଦମାର ବିବରଣ ଯେତେବେଳେ ଉତ୍କଳ ସାହିତ୍ୟରେ ପ୍ରକାଶିତ ହେଉଥିଲା , ସେତେବେଳେ ମଫସଲରୁ କେତେକ ଅଜ୍ଞ ଲୋକ ମକଦ୍ଦମା ବିଚାର ଦେଖିବା ପାଇଁ କଟକ ଆସିଥିଲେ ।
ସନ ୧୯୦୫ ମସିହାରେ ମୋହର ପୁତ୍ର ସବଡେପୁଟି କର୍ମରେ ନିଯୁକ୍ତ ହୋଇ ବାଲେଶ୍ଵର ଚାଲିଗଲା । ମୁଁ ସେହି ସମୟରେ କଟକ ଘର ଛାଡ଼ି ବାଲେଶ୍ଵର ଗଲି । " ( ଆତ୍ମଚରିତ )
* ଉପନ୍ୟାସ ସୃଷ୍ଟିର ଆଦ୍ୟ ଓଁକାର : ---
(୧) ଛମାଣ ଆଠଗୁଣ୍ଠ :-- ଧାରାବାହିକ ଭାବେ ଉତ୍କଳ ସାହିତ୍ୟରେ ଧୂର୍ଜଟୀ ଛଦ୍ମ ନାମରେ ୧୮୯୭ ଅକ୍ଟୋବର ଠାରୁ ୧୮୯୯ ପର୍ଯ୍ୟନ୍ତ ପ୍ରକାଶିତ ଏବଂ ୧୯୦୨ ମସିହାରେ ପୁସ୍ତକ ଆକାରରେ ମୁଦ୍ରିତ । ସୃଷ୍ଟିର ଅଭିନବତ୍ଵ ଓ ରଚନା ଗୌରବ ବିଚାରରେ ଏହାର ପ୍ରକାଶ ସମୟ ଓଡ଼ିଆ ସାହିତ୍ୟରେ ଏକ ଐତିହାସିକ , ମର୍ଯ୍ୟାଦା ଯୁକ୍ତ କାଳ ଭାବେ ବିବେଚିତ। ଇଂରେଜ ଶାସନର ଆରମ୍ଭରେ ଓଡ଼ିଶାର ସାମନ୍ତ ଶକ୍ତିର ବିପର୍ଯ୍ୟୟ , ଭୂ ବ୍ୟବସ୍ଥାରେ ବିଶୃଙ୍ଖଳା ପ୍ରସଙ୍ଗ ଇତିହାସ ସମର୍ଥିତ ଘଟଣା । ଶାସନର ସୁବ୍ୟବସ୍ଥା ଅଭାବ ହେତୁ ରାମଚନ୍ଦ୍ର ମଙ୍ଗରାଜ ପରି ଅଶିକ୍ଷିତ , ଚତୁର ଲୋକ ଅନ୍ୟାୟ ଓ ଛଳନା ଆଶ୍ରୟରେ ସମାଜରେ ବିତ୍ତ ଓ ପ୍ରତିଷ୍ଠା ଅର୍ଜନ କରିବା ଆଦି ସେ ସମୟର ସାମାଜିକ ସ୍ଥିତି । ଭଗିଆ ଓ ସାରିଆ ଏହି ଉପନ୍ୟାସରେ ମଙ୍ଗରାଜ ଓ ଚମ୍ପାର ଏକ ବୈସାଦୃଶ୍ୟ ଯୋଡ଼ି ଯାହା ଉପନ୍ୟାସକୁ ଚତୁରତା - ନିରୀହତା , ଖଳପଣ - ବୋକାପଣ , ଭଲ - ମନ୍ଦର ସଂପାତ ମଧ୍ୟରେ ଭଲପଣ କିପରି ଧ୍ଵଂସ ପାଏ , ତାହା ନାଟକୀୟତା ଆଡ଼କୁ ନେଇଯାଏ। ଚକ୍ରାନ୍ତ , ଠକାମୀ , ପ୍ରବଞ୍ଚନା , ମନର ମଇଳା ମଧ୍ୟରେ ଗୋବିନ୍ଦା ଓ ଚମ୍ପାର ମୃତ୍ୟୁ ହୁଏ , ଚତୁରପଣିଆରେ ଫତେପୁର ସରଷଣ୍ଢ ଜମିଦାରୀ ହାତକୁ ଆସିଯାଏ । ଉପନ୍ୟାସରେ ଗୋଟିଏ ପରେ ଗୋଟିଏ ଚରିତ୍ରର ଜଳସମାଧି ଘଟିଛି । ମଙ୍ଗରାଜଙ୍କ ଲୁଣ୍ଠନ ସଂଗୃହୀତ ଧନ ସଂପତ୍ତି ମଧ୍ୟରେ ମୁଖ୍ୟ ସ୍ଥାନ ନେଇଥିବା ମାଟି ମୁଠାଏ ଅନ୍ୟାୟକୁ ଦଣ୍ଡ ଦେବା ସହ ନିରୀହ ସାରିଆ ଭଗିଆ ବି ବଳି ପଡ଼ିଛନ୍ତି ! ବୋଧେ ମାଟି ମା ସମସ୍ତଙ୍କୁ ଆପଣେଇ ନିଏ !! ତେବେ ମାଟି ମୁଠାଏର କାହାଣୀ ହିଁ ଛମାଣ ଆଠଗୁଣ୍ଠ । ଭାରତୀୟ ସାହିତ୍ୟରେ ଅପ୍ରତିଦ୍ଵନ୍ଦୀ ଉପନ୍ୟାସ !!
(୨)* ଲଛମା :----- ଧୂର୍ଜଟୀ ଛଦ୍ମ ନାମରେ ଫକୀରମୋହନ ସେନାପତିଙ୍କ ଐତିହାସିକ ଉପନ୍ୟାସ ' ଅପୂର୍ବ ମିଳନ ' ଉତ୍କଳ ସାହିତ୍ୟରେ ପଞ୍ଚମ ବର୍ଷ ତୃତୀୟ ସଂଖ୍ୟା (୧୯୦୧ ଜୁନ୍ ) ରେ ପ୍ରଥମ ପ୍ରକାଶିତ ହୋଇ ସପ୍ତମ ବର୍ଷ ଚତୁର୍ଥ ସଂଖ୍ୟା (୧୯୦୩ ଜୁଲାଇ ) ରେ ଶେଷ । ୧୯୧୩ ମସିହାରେ ଅପୂର୍ବ ମିଳନ ପୁସ୍ତକ ଆକାରରେ ମୁଦ୍ରିତ ହେଲା #ଲଛମା ନାମରେ । ଉପନ୍ୟାସରେ ଚିତ୍ରିତ ବର୍ଗୀମାନଙ୍କର ଲୁଣ୍ଠନ, ଅରାଜକତା , ଅତ୍ୟାଚାର , ଆଲିବର୍ଦ୍ଦି ଖାଁ , ଭାସ୍କର ପଣ୍ଡିତ ପ୍ରଭୃତିଙ୍କ ଚରିତ୍ର ମାନଙ୍କ ଠାରେ ଓ ଭାସ୍କର ପଣ୍ଡିତଙ୍କ ହତ୍ୟା ଘଟଣା ସମସ୍ତ ଇତିହାସ ସମର୍ଥିତ । ଓଡ଼ିଶାର ରାଇବଣିଆ ଦୁର୍ଗ ଠାରୁ ଆରମ୍ଭ କରି ବଙ୍ଗଦେଶର ମୁର୍ଶିଦାବାଦ ପର୍ଯ୍ୟନ୍ତ ଐତିହାସିକ ସ୍ଥାନଗୁଡ଼ିକ ଘଟଣା ସଂସ୍ଥାନର ପରିବେଶ ରୂପେ ଗୃହୀତ ହୋଇ ବିଷୟବସ୍ତୁକୁ ଅଧିକ ସତ୍ୟାଶ୍ରୟୀ ଓ ଐତିହାସିକ ଗୁରୁତ୍ଵ ମଣ୍ଡିତ କରିଅଛି । ଓଡ଼ିଶାର ସାମନ୍ତ ଶକ୍ତିର ପତନ , ବର୍ଗୀ ପ୍ରପୀଡ଼ିତ ଉତ୍କଳର ଆଭ୍ୟନ୍ତରୀଣ ବିଶୃଙ୍ଖଳା ଜନିତ ଅଶାନ୍ତ କରୁଣ ଚିତ୍ରରେ ଉପନ୍ୟାସର ପୃଷ୍ଠା ଗୁଡ଼ିକ ପୂର୍ଣ୍ଣ ।
(୩)* ମାମୁଁ : ----- ୧୯୧୩ ମସିହା ଅପ୍ରେଲ - ମେ ମାସରେ ପ୍ରକାଶିତ ହେଲା ଫକୀରମୋହନଙ୍କ ତୃତୀୟ ଉପନ୍ୟାସ ମାମୁଁ । ମୁଖ୍ୟ ନାୟକ ନାଜର ନଟବର ଦାସ ସରକାରୀ କର୍ମରେ ନିଯୁକ୍ତ ଥାଇ ପଦର ସୁଯୋଗରେ ନିଜ ଭଣଜା ନରୁବାବୁଙ୍କର ଜମିଦାରୀ ନିଜସ୍ଵ , ସରକାରୀ ତହବିଲ୍ ତୋସରଫ କରିବାକୁ କୁଣ୍ଠିତ ହୋଇନାହାନ୍ତି । ପାଶ୍ଚାତ୍ୟ ଚଳଣିର ଦୁର୍ଗୁଣ ପ୍ରତି ଅଳ୍ପ ଶିକ୍ଷିତ ମଧ୍ୟବିତ୍ତ ସମ୍ପ୍ରଦାୟର ମୋହ ନଟବର ଦାସଙ୍କ ଚରିତ୍ରରେ ପୂର୍ଣ୍ଣ ରୂପେ ପ୍ରକାଶିତ । ନୀତିବୋଧର ଅଭାବ , ଚରିତ୍ର ହୀନତା , ମଦ୍ୟପାନ , ପାରମ୍ପରିକ ଯୌଥ ପରିବାର ପ୍ରତି ଅଶ୍ରଦ୍ଧା ହେତୁ ନିଜ ଭଗ୍ନୀର କ୍ଷତି ସାଧନ ସବୁକିଛି ତାଙ୍କ ଚରିତ୍ରରେ ପୂର୍ଣ୍ଣ । ବିଶାଖା ଦେବୀଙ୍କୁ ନରିପୁର ରାଣୀ ବନାଇବା ନିମନ୍ତେ ନଟବରଙ୍କ ଉଗ୍ର ଲାଳସା , " ମୁଁ ତୁମକୁ ରାଣୀ ବନାଇବି " -- ଏହି ବ୍ୟକ୍ତି ସ୍ଵାର୍ଥ ସମ୍ବଳିତ ଉଚ୍ଛୃଂଖଳ କାମନାର ନଗ୍ନରୂପ ଔପନ୍ୟାସିକଙ୍କ ତୀକ୍ଷ୍ମ ବାକ୍ୟବାଣ ଦ୍ଵାରା ନିର୍ମମ ଭାବେ ବିଦ୍ଧ ।
(୪) ପ୍ରାୟଶ୍ଚିତ :---- ଶେଷ ଉପନ୍ୟାସ ପ୍ରାୟଶ୍ଚିତର ପ୍ରକାଶ କାଳ ୧୯୧୫ ମସିହା । ଇଂରାଜୀ ସଭ୍ୟତାର ଆଦ୍ୟ ସ୍ରୋତରେ ସମାଜ ଜୀବନରେ ଯୁବସମାଜର ବିଚାରହୀନ ଅନୁଚିକୀର୍ଷା ଜନିତ ବହୁ ପଙ୍କିଳ ଉପାଦାନ ଅବାଧରେ ପ୍ରବେଶ କରିଥିଲା । ଏହି ଉପନ୍ୟାସ ମାଧ୍ୟମରେ ଇଂରେଜୀ ଶିକ୍ଷିତ ସମାଜର ଆଶା-ଆକାଙକ୍ଷା ଚିତ୍ର ପ୍ରଦର୍ଶିତ । ଯୁବ ସମାଜ ସମ୍ମୁଖରେ ବଳିଷ୍ଠ ଆଦର୍ଶର ଅଭାବ , ପ୍ରାଣରେ ସଂଶୟ , ପ୍ରାଚ୍ୟ ପାଶ୍ଚାତ୍ୟ ସଭ୍ୟତାର ଆପାତ ସଂଘର୍ଷରେ ଚିତ୍ତ ଦୋଳାୟିତ , ସମାଜ ସଂସ୍କାର ନାମରେ ଅପରିଣାମଦର୍ଶୀତାର ଚିତ୍ର ପ୍ରାୟଶ୍ଚିତ ଉପନ୍ୟାସରେ ପ୍ରକଟିତ । ମୁଖ୍ୟ ନାୟକ ରାଜୀବ ଲୋଚନ , ସଦାନନ୍ଦ ପ୍ରମୁଖଙ୍କ ଚରିତ୍ର ସୁନ୍ଦର ଭାବେ ଚିତ୍ରିତ । ସମାଜ ଜୀବନରେ ଜାତିଗତ ଆତ୍ମବଡ଼ିମା ଓ ସଂଘର୍ଷର ତୀବ୍ରତା , ନବ ଶିକ୍ଷିତ ଯୁବକ ମାନଙ୍କ ଚିତ୍ତର ସଙ୍କଟ ଏହି ଉପନ୍ୟାସରେ ରୂପାୟିତ । ବୈଷ୍ଣବ ପଟ୍ଟନାୟକ ଓ ସଙ୍କର୍ଷଣ ମହାନ୍ତିଙ୍କ ଜାତିଗତ ବଡ଼ିମା ଓ ମନର ଅହମିକାର ସଂଘର୍ଷ ଅଧିକ ତୀବ୍ର ! ଅପରିମାଣଦର୍ଶୀତା ହେତୁ ଏଠାରେ ଦୁଇ ପରିବାର ଧ୍ଵଂସ ।
ଏହି ଚାରିଗୋଟି ଉପନ୍ୟାସ ଛ ମାଣ ଆଠଗୁଣ୍ଠ , ଲଛମା , ମାମୁଁ , ପ୍ରାୟଶ୍ଚିତ ସ୍ଵ ସ୍ଵ ବିଷୟ , ନାଟକୀୟତା ମଧ୍ୟରେ ପ୍ରତିଷ୍ଠିତ । ଐତିହାସିକ ଉପନ୍ୟାସ #ଲଛମା ଯେପରି ତଥ୍ୟାଶ୍ରୟୀ ଓ ସଂଘର୍ଷ ମଧ୍ୟରେ ଗତିମୁଖର , ସେହିପରି #ଛ #ମାଣ #ଆଠଗୁଣ୍ଠ , #ମାମୁଁ ଓ #ପ୍ରାୟଶ୍ଚିତ୍ତ ଊନବିଂଶ ଶତାବ୍ଦୀ ଓଡ଼ିଶାର ସାମାଜିକ ଚିତ୍ର ଓ ଚରିତ୍ରର ବିଶ୍ଵସ୍ତ ଚିତ୍ରଣ ପୂର୍ବକ ଅତ୍ୟନ୍ତ ପ୍ରାଣସ୍ପର୍ଶୀ ।
(୫) * ବିଷମଞ୍ଜି (?)---
ସମାଜର ଜଟିଳ ସମସ୍ୟା ଉପରେ ଗଭୀର ଚିନ୍ତାର ପରିପ୍ରକାଶ ହେବାକୁ ଯାଉଥିଲା ଗୋଟିଏ ଦୀର୍ଘ ଗଳ୍ପ ମାଧ୍ୟମରେ । ଅର୍ଦ୍ଧାଧିକ ଲେଖା ବି ସରିଥିଲା । ଏହା ଉତ୍କଳ ସାହିତ୍ୟ ପତ୍ରିକାର ସୁଯୋଗ୍ୟ ସମ୍ପାଦକ ବିଶ୍ଵନାଥ କର ମହୋଦୟଙ୍କୁ ପତ୍ର ଜରିଆରେ ଜଣାଇଥିଲେ ଫକୀରମୋହନ । ଏହି ଦୀର୍ଘ ଗଳ୍ପ ଉପନ୍ୟାସ ରୂପେ ପ୍ରକାଶ ପାଉ ବୋଲି ପଲ୍ଲୀକବି ନନ୍ଦ କିଶୋର ଅନୁରୋଧ କରିଥିଲେ । କିନ୍ତୁ ହାୟ ! ଅସମ୍ପୂର୍ଣ୍ଣ #ବିଷମଞ୍ଜି ଆଉ ସମ୍ପୂର୍ଣ୍ଣ ହୋଇପାରି ନଥିଲା । ଚିରକାଳ ପାଇଁ ଓଡ଼ିଆ ପାଠକମାନେ ବଞ୍ଚିତ ହେଲେ ଏହି ଉପନ୍ୟାସ ପଠନରୁ।
( ଫକୀରମୋହନଙ୍କ ସୃଷ୍ଟି ସମୂହ ଦୁଇଟି ପର୍ଯ୍ୟାୟଭୁକ୍ତ । ଦ୍ଵିତୀୟ ପର୍ଯ୍ୟାୟରେ ଅର୍ଥାତ୍ ୧୮୭୦ ଠାରୁ ଦେହାବସାନ ପର୍ଯ୍ୟନ୍ତ କେବଳ ଉପନ୍ୟାସ ନୁହେଁ , ଅନେକ ଗଳ୍ପ , ଆତ୍ମଚରିତ , କାବ୍ୟ ଇତ୍ୟାଦି ତାଙ୍କ ଦ୍ଵାରା ରଚିତ । ରଚନାର ବର୍ଗୀକରଣ କଲେ , ଆମେ ଆହୁରି ଅନେକ ଆଗକୁ ଯାଇପାରିବା । ଏହି ଦୃଷ୍ଟିରୁ ଆଜି ଉପନ୍ୟାସ ସମ୍ବନ୍ଧୀୟ ଆଲୋଚନା ପରେ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା ଅପେକ୍ଷା ରଖେ । ଅତଏବ ଏହି କ୍ରମରେ ତାଙ୍କର ଅନ୍ୟ ସୃଷ୍ଟି ଉପରେ ଆଲୋଚନା କରିବାକୁ ବିନମ୍ରତାର ସହ ପ୍ରସ୍ଥାନ କରି ଆଉ ଗୋଟିଏ ଆଲୋଚନା ପାଇଁ ପ୍ରସ୍ତାବ ରଖିଛୁ । ସହୃଦୟତାର ସହ ଆଗାମୀ ଅଧ୍ୟାୟକୁ ନିମନ୍ତ୍ରଣ ଜଣାଉଛି ) ** କ୍ରମଶଃ
** ଆଧାର -- ଗ୍ରନ୍ଥାବଳୀ /Wikipedia/ବିଭିନ୍ନ ଆଲୋଚକ ମାନଙ୍କର କିଛି ପଠିତ ପ୍ରବନ୍ଧ ।
Keywords: Fakir mohan senapati story in odia pdf, Fakir mohan senapati books, Fakir mohan senapati drawing, Fakir mohan senapati books in odia, Fakir mohan senapati story, Fakir mohan senapati photo, Fakir mohan senapati life story in odia, Fakir mohan senapati autobiography, Fakir mohan senapati awards, Fakir mohan senapati art, Fakir mohan senapati autobiography in odia, Fakir mohan senapati about in odia, Fakir mohan senapati all books, Fakir mohan senapati father and mother name, Fakir mohan senapati biography, Fakir mohan senapati books in odia pdf, Fakir mohan senapati biography in odia language, Fakir mohan senapati born, Fakir mohan senapati books pdf, Fakir mohan senapati book list, Fakir mohan senapati childhood name, Fakir mohan senapati chitra, Fakir mohan senapati chha mana atha guntha pdf, Fakir mohan senapati chha mana atha guntha, Fakir mohan senapati date of birth, Fakir mohan senapati essay in odia language, rebati by Fakir mohan senapati in english pdf download, rebati by Fakir mohan senapati in english, Fakir mohan senapati letter, Fakir mohan senapati university, Fakir mohan senapati stories