Boita bandana history in odia
ଏହି ଦିନ ବ୍ରହ୍ମମୂହୁର୍ତ୍ତରୁ ଉଠି ଲୋକେ ବିଭିନ୍ନ ପ୍ରକାରର ବୋଇତ ସହ ଗୁଆ , ଧୂପ , ଦୀପ ଦେଇ ନଦୀ , ନାଳ କିମ୍ବା ପୋଖରୀ ଅଭିମୁଖେ ବାହାରି ଥାନ୍ତି । ବାସ୍ତବରେ ଏହି ପରମ୍ପରାରୁ ଅନେକ କିଛି କଥା ଜଡିତ ମାତ୍ର ଏଥି ମଧ୍ୟରୁ ଏକ ପ୍ରାମାଣିକ କଥା ହେଲା ଏଥି ସହ ଜଡିତ ଆମର ସାଧବ ପୁଅମାନଙ୍କ ସମୃଦ୍ଧ ବାଣିଜ୍ୟ ।
ସେତେବେଳେ ଉତ୍କଳୀୟ ବାସି କୃଷି ସହିତ ବ୍ୟବସାୟ ବାଣିଜ୍ୟ କରି ପରିବାର ପୋଷଣ କରୁଥିଲେ । ଯେହେତୁ ଆମ ଚାଷ କାର୍ଯ୍ୟ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିଲା, ତେଣୁ କାର୍ତ୍ତିକ ମାସ ଶେଷ ଆଡକୁ ଧାନ ଆଦି ଫସଲ ଅମଳ ହୋଇଯାଉ ଥିଲା ଏବଂ କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ସମୁଦ୍ର ଯାତ୍ରା ପାଇଁ ମଧ୍ୟ ପଥ ସୁଗମ ହୋଇଯାଉଥିଲା । ଏହି ସମୟରୁ ଆକାଶ ମେଘମୁକ୍ତ ହେବା ସାଙ୍ଗକୁ ପଶ୍ଚିମ ପବନ ବୋଇତ କୁ ସମୁଦ୍ର ମଧ୍ୟରେ ବୋହି ନେବାକୁ ସାହାଜ୍ୟ କରୁଥିଲା । ତେଣୁ ଆମ ରାଜ୍ୟର ବଣିକ ସାଧବ ପୁଅ ଏହି ସମଯରୁ ଜାଭା , ସୁମାତ୍ରା , ବାଲି , କାମ୍ବୋଡିଆ , ବର୍ଣ୍ଣିଓ , ମାଲେସିଆ , ଥାଇଲାଣ୍ଡ , ଫିଲିପାଇନ୍ସ , ଏବଂ ଶ୍ରୀଲଙ୍କା ଆଦି ଦେଶକୁ ଅଭିମୁଖେ ବାହାରି ବାଣିଜ୍ୟ ବ୍ୟବସାୟ କରୁଥିଲେ ।
କାର୍ତ୍ତିକ ମାସକୁ ଧର୍ମ ଏବଂ ପୂଣ୍ୟ ମାସ ଭାବେ ଆମ ଧର୍ମରେ ଗ୍ରହଣ କରାଯାଉଥିବାରୁ ଏହି ମାସର ପୂର୍ଣ୍ଣିମା ଦିନ ବାଣିଜ୍ୟ ନିମନ୍ତେ ବୋଇତ ଯାତ୍ରାର ଶୁଭାରମ୍ଭ କରାଯାଉଥିଲା । ସାଧବ ପୁଅ ବ୍ୟବସାୟ କୁ ବାହାରିଲା ବେଳେ ସେମାନଙ୍କ ପ୍ରିୟଜନ ତାଙ୍କ ସମୃଦ୍ଧି ଓ ସଫଳତା ନିମନ୍ତେ ବୋଇତ ବନ୍ଦାଣ କରୁଥିଲେ । ଏହି ସାଧବ ମାନଙ୍କ ଦ୍ଵାରା ଆମ ରାଜ୍ୟ ର କଳା ସଂସ୍କୃତି ବିଦେଶ ର ପ୍ରଚାର ପ୍ରସାର ହବା ସହ ଆମ ରାଇଜ କୁ ସମୃଦ୍ଧ କରିବାରେ ମଧ୍ୟ ବେଶ ସହାୟକ ହୋଇଥିଲା। ଆଜି ଏହି ଗୌରବମୟ ଗାଥା କୁ ସ୍ମରଣୀ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେଉଛି।
ତତ୍କାଳୀନ ସାଧବ ପୁଅ ମାନଙ୍କ ଦ୍ଵାରା କେବଳ ଯେ ବାଣିଜ୍ୟ ବେପାର ହେଉଥିଲା ତା’ନୁହେଁ , ବରଂ ଭାଷା ଓ ସଂସ୍କୃତିର ଆଦାନ ପ୍ରଦାନ ହେଉଥିଲା । ସେଥିପାଇଁ ଶ୍ରୀଲଙ୍କାର ସିଂହଳୀ ଭାଷା ସହ ଆମ ଓଡିଆ ଭାଷାର ଅନେକ ସାମଞ୍ଜସ୍ୟ ରହିଥିବାର ଲକ୍ଷ୍ୟ କରାଯାଏ । ସେହିପରି ମାଲେସିଆ , ଇଣ୍ଡୋନେସିଆ, ବର୍ମା , କମ୍ବୋଡିଆରେ ମଧ୍ୟ ଉତ୍କଳୀୟ ପରମ୍ପରା ଓ ଭାଷାର ଛାପ ଦେଖିବାକୁ ମିଳେ ।
ବର୍ତ୍ତମାନ ସମୟରେ ବଜାରରେ ଭିନ୍ନ ଭିନ୍ନ ରଙ୍ଗବେରଙ୍ଗର ବୋଇତ ଉପଲବ୍ଧ କିନ୍ତୁ ଆଜି ମଧ୍ୟ କଦଳୀ ପାଟୁଙ୍ଗା ବୋଇତର ସ୍ଵତନ୍ତ୍ର ମହତ୍ଵ ରହିଛି ।
ବୋଇତ ବନ୍ଦାଣ ଉତ୍ସବ ସହି ଆରମ୍ଭ ହୋଇଥାଏ କଟକରେ ଐତିହାସିକ ବାଲି ଯାତ୍ରା, ଏହା ଉପରେ ଖୁବ ଶୀଘ୍ର ସ୍ବାଭିମାନି ଓଡିଆ ଏକ ବିଶେଷ ଉପସ୍ଥାପନା ଟି ପ୍ରକାଶ କରିବ ।
ବର୍ତ୍ତମାନ ପରିସ୍ଥିତିରେ ସାଧବ ପୁଅ ନାହିଁ କି ତାହାର ଗୌରବମୟ ବ୍ୟବସାୟ ବାଣିଜ୍ୟ ନାହିଁ । ଏସବୁ ଆଜି ଅତୀତର ସ୍ମୃତି ହୋଇରହିଛି । ଏହି ପରିପେକ୍ଷୀରେ ଓଡିଆ ପ୍ରାଣ ଗାଇ ଉଠେ..
“ସାଧବ ନାହିଁ କି ତା’ର ବୋଇତ ନାହିଁ,
ସେହି ଦିନ ସବୁ ଯାଇଛି ହଜି ,
କଦଳୀ ପଟୁଆ ଡଙ୍ଗା ଭାସୁଛି,
ପାନ ଗୁଆ ଦେଇ ଫୁଲରେ ସାଜି
ଆଜି ଏ ଓଡିଆ ଜାତି
ଗର୍ବ ଆଣୁଛି ମନରେ ତାହାର
ରଖିଛି ଅତୀତ ସ୍ମୃତି”