୨୦୦୪ ମସିହାରୁ ଦୀର୍ଘ ୧୦ ବର୍ଷ ଧରି ଓଡିଆ ଜାତିର ଆପ୍ରାଣ ଉଦ୍ୟମ ବଳରେ ଶେଷରେ ୨୦୧୪ ଫେବୃଆର୍ରୀ ୨୦ ତାରିଖରେ ଓଡିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିଲା । କିନ୍ତୁ ସବୁଠାରୁ ବିଡମ୍ବନାର ବିଷୟ ହେଲା , ଗତ ଚାରି ପଞ୍ଚ ଦଶନ୍ଧି ଧରି ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାର ଉଦ୍ୟମ ଚାଲିଛି କିନ୍ତୁ ତାହା ପ୍ରଭାବଶାଳି ହୋଇ ପାରି ନାହିଁ । ବରଂ ଜନ ମାନସରେ ଧାରଣା ସୃଷ୍ଟି ହେଲାଣି କି ଓଡିଆ ବୋଧେ ଆଉ ଶାସ୍ତ୍ରୀୟ ମାନ୍ୟତା ପାଇପାରିବ ନାହିଁ। ଯଦିଓ ତାତ୍ଵିକ ଭାବେ ଓଡିଶୀ ସଙ୍ଗୀତ ସପକ୍ଷରେ ସବୁ ଯୁକ୍ତି ରହିଛି ମାତ୍ର ପରିବେଷଣ ସ୍ତରରେ ଏହା ପ୍ରତିପାଦିତ ହୋଇପାରିନାହିଁ।
କର୍ଣ୍ଣାଟକୀ ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଭଳି ଓଡିଶୀର ସ୍ଵତନ୍ତ୍ର ରାଗ ଓ ତାଳ ପଦ୍ଧତି ରହିଛି । ଏ ଦୁଇଟି ଗାୟନ ଶୈଳୀରେ ଯେଉଁ ଭଳି ସ୍ଵତନ୍ତ୍ର୍ୟ ରହିଛି ଓଡିଶୀରେ ମଧ୍ୟ ସେହି ଭଳି ସ୍ଵତନ୍ତ୍ର୍ୟ ରହିଛି । ତେବେ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ମୁଖ୍ୟତଃ ସ୍ଵର ଓ ଭାବ ପ୍ରଧାନ ସଙ୍ଗୀତ ହୋଇଥିବା ବେଳେ ଓଡିଶୀ ଭାଷା ପ୍ରଧାନ ସଙ୍ଗୀତ । ଓଡିଶୀରେ ବୈଶିଷ୍ଟ୍ୟଗତ ଭାବେ ଦୃତ ଚମତ୍କାରିତା ଅପେକ୍ଷା ମନ୍ଦ ଲାଳିତ୍ୟର ଚମତ୍କାରିତା କୁ ଅଧିକ ଗୁରୁତ୍ଵ ଦିଆଯାଇ ଥାଏ । ସାଧାରଣ ଦ୍ରୁଷ୍ଟି ରୁ ବିଚାର କଲେ ଓଡିଶୀ ନୃତ୍ୟ ଶାସ୍ତ୍ରୀୟ ହୋଇଥିବା ହେତୁ ଓଡିଶୀ ସଂଗୀତର ଶାସ୍ତ୍ରୀୟତା ରହିବା ସ୍ଵାଭାବିକ ; କାରଣ ଭରତନାଟ୍ୟମରେ ଗାୟନ କରାଯାଉଥିବା ସଙ୍ଗୀତ କର୍ଣ୍ଣାଟକୀ ଓ କଥ୍ଥକରେ ଗାୟନ କରାଯାଉଥିବା ସଙ୍ଗୀତ ହିନ୍ଦୁସ୍ତାନୀ , ଉଭୟ ଶାସ୍ତ୍ରୀୟ ତେବେ ଅସୁବିଧା କେଉଁଠି ?
ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ହାସଲ ଦିଗରେ ରାଜ୍ୟ ସରକାର ବିଧିବଦ୍ଧ ପଦକ୍ଷେପ ଗ୍ରହଣ କରିଥିଲେ । ଅଶୀ ଦଶକରେ ଭୁବନେଶ୍ଵରରେ ପ୍ରତିଷ୍ଠିତ ହୋଇଥିଲା ଓଡିଶୀ ଗବେଷଣା କେନ୍ଦ୍ର । ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଓଡିଶୀ ସଂଗୀତ ଉପରେ ବିଶେଷ ଗବେଷଣା ମାଧ୍ୟମରେ ଏହାର ଶାସ୍ତ୍ରୀୟତା ପ୍ରତିପାଦନ କରିବା । ସେ ଦିଗରେ କିଛି କାର୍ଯ୍ୟ ମଧ୍ୟ ଗବେଷଣା କେନ୍ଦ୍ର ପକ୍ଷରୁ କରାଯାଇଛି । ମାତ୍ର ତାହା ସଫଳ ହୋଇ ନାହିଁ । ଅଭିଯୋଗ ହୁଏ ଯେ ବର୍ତ୍ତମାନ ଓଡିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟଧାରା କ୍ରମଶଃ ମୂଳ ଲକ୍ଷ ଠାରୁ ବହୁ ଦୂରକୁ ଚାଲି ଯାଇଛି । ଅନୁଷ୍ଠାନଟି ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ଗ୍ରୁପ ବା ଏକ ପାରମ୍ପରିକ ନୃତ୍ୟାନୁଷ୍ଠାନ ହୋଇଯାଇଛି ! ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି ସଂସ୍ଥା ପିଛା ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ଏହାର ଫଳା ଫଳ ଏକ ପ୍ରକାର ଶୁନ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଏହି ପରିପେକ୍ଷୀରେ ବିଶିଷ୍ଟ ନୃତ୍ୟ ଗୁରୁ କୁମକୁମ ମହାନ୍ତି ମତ ଦିଅନ୍ତି ଯେ , ବର୍ତ୍ତମାନ ଉଚ୍ଚ ମାନର ଗାୟକର ଅଭାବ ଯୋଗୁଁ ଓଡିଶୀ ସଂଗୀତର ଶାସ୍ତ୍ରୀୟତା ମଞ୍ଚରେ ପ୍ରତିପାଦିତ ହୋଇପାରୁ ନାହିଁ । ଏଥିଲାଗି ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ଓ ପଣ୍ଡିତ ରଘୁନାଥ ପପଣିଗ୍ରାହୀଙ୍କ ସ୍ତରର ଗାୟକଙ୍କର ଅବଶ୍ୟକତା ରହିଛି । ଏଠାରେ ସ୍ଵତଃ ପ୍ରଶ୍ନ ଆସେ, ସରକାରୀ ଖର୍ଚ୍ଚ ରେ ଦୁଇ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ଚାଲି ଆସିଥିବା ଓଡିଶୀ ଗବେଷଣା କେନ୍ଦ୍ର ଏଭଳି ଗାୟକ ସୃଷ୍ଟି କରିପାରିଲା ନାହିଁ କାହିଁକି ?
ଅବଶ୍ୟ ଏହା ନିଷ୍ଠୁର ସତ୍ୟ ଯେ , ପୋଥି ପତ୍ର ନାଟ୍ୟ ଶାସ୍ତ୍ର, ପ୍ରାଚୀନ ସାହିତ୍ୟରେ ଓଡିଶୀ କୁ ଶାସ୍ତ୍ରୀୟ ବୋଲି ପ୍ରତିପାଦିତ କରି ଦିଆଯାଇ ପାରେ । ମାତ୍ର ଯେପର୍ଯ୍ୟନ୍ତ ମଞ୍ଚରେ ଶିଳ୍ପୀ ଏହାକୁ ପ୍ରଭାବଶାଳୀ ଢଙ୍ଗରେ ଓ ଏକ ସ୍ଵତନ୍ତ୍ର ସଙ୍ଗୀତ ଧାରା ଭାବେ ଗାୟନ ଜରିଆରେ ପ୍ରସ୍ତୁତ ନକରିଛି, ସେ ପର୍ଯ୍ୟନ୍ତ କେହି ଏହାକୁ ଶାସ୍ତ୍ରୀୟ ବୋଲି କହିବେ ନାହିଁ । ବର୍ତ୍ତମାନ ହିନ୍ଦୁସ୍ତାନୀ , କର୍ଣ୍ଣାଟକୀ ସଂଗୀତର ଅଗଧାଡିରେ ଯେଉଁ ସ୍ତରର କଣ୍ଠ ଶିଳ୍ପୀ ରହିଛନ୍ତି , ଆମେ ଯଦି ଓଡିଶୀ ସଂଗୀତରେ ସେଭଳି ଶିଳ୍ପୀ ଖୋଜିବା ତେବେ ନିରାଶ ହିଁ ହେବା । ତେବେ ଏହି ପରିପେକ୍ଷିରେ ପ୍ରଶ୍ନ ଉଠେ ; ପଣ୍ଡିତ ଯଶରାଜ, ପଣ୍ଡିତ ବାଲମୁରଲୀକ୍ରୀଷ୍ଣା, ଗାୟକ ରସିଦ ଖାଁ, କିମ୍ବା ଗାୟକ ସଂଜୀବ ଅଭୟଙ୍କର ଙ୍କ ସହ ଗୋଟିଏ ମଞ୍ଚରେ ଗାଇ ଓଡିଶୀ କୁ ଏକ ସ୍ଵତନ୍ତ୍ର ଶାସ୍ତ୍ରୀୟ ଧାରାରେ ପ୍ରତିପାଦିତ କରିବା ଭଳି ଶିଳ୍ପୀ ଆମର ଅଛନ୍ତି କି? ଏ ପ୍ରଶ୍ନର ଉତ୍ତର କେବଳ ଓଡିଶୀ ପଣ୍ଡିତ , ଗବେଷକ ଓ ଶିଳ୍ପୀ ହିଁ ଦେଇ ପାରିବେ ।
ତେବେ ଏହି ପ୍ରସଙ୍ଗରେ କିଛି କଳା ସମୀକ୍ଷକ ଏକମତ ହୁଅନ୍ତି ନାହିଁ । ସେମାନେ କହନ୍ତି , “ ଆମର ଏଠି ଶିଳ୍ପୀ ଅଛନ୍ତି କିନ୍ତୁ ସେମାନେ ଓଡିଶୀ କୁ ଶାସ୍ତ୍ରୀୟ ପ୍ରତିପାଦିତ କରିବା ଲାଗି ମଞ୍ଚ ପାଉନାହାନ୍ତି । ଓଡିଶା ବାହାରେ ଥିବା ସଙ୍ଗୀତ ବିଦ୍ଵାନ ମାନେ ଓଡିଶୀ ଶୁଣିବା ଦରକାର । ଆଗରୁ ସରକାର ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ ଆସର ରାଜ୍ୟ ବାହାରେ ଆୟୋଜନ କରୁଥିଲେ । ଏବେ ତାହା ବନ୍ଦ । ସରକାର ଙ୍କ ପ୍ରଚେଷ୍ଟା ଏ ଦିଗରେ ଶୁନ । ଓଡିଶୀ ଗବେଷଣା କେନ୍ଦ୍ର ମଧ୍ୟ ବିଶେଷ କିଛି ପଦକ୍ଷେପ ଗ୍ରହଣ କରୁନାହିଁ । “ ତେଣୁ ଓଡିଶୀ ସଂଗୀତକୁ କେବେ ଶାସ୍ତ୍ରୀୟତା ମିଳିବ ତାହା ପ୍ରଭୁ ଜଗନ୍ନାଥ ହିଁ କହି ପାରିବେ ! ତେବେ ଆମେ ଆଶା ହରାଇବା ଉଚିତ ନୁହେଁ ।
ରାଗ ତାଳ ବ୍ୟତୀତ ଭାଷା ପ୍ରଧାନ ଓଡିଶୀ ସଙ୍ଗୀତର ଶାସ୍ତ୍ରୀୟତା ପ୍ରମାଣ ପାଇଁ ଓଡିଆ ଭାଷା ଓ ସାହିତ୍ୟାର ଶାସ୍ତ୍ରୀୟତା ଯଥେଷ୍ଟ ସାହାଯ୍ୟ କରେ । କେବଳ ଗୀତିଯୁଗୀୟ ଓଡିଆ ଗୀତୀ ସାହିତ୍ୟ କୁ ଗଭୀର ଅନୁଶୀଳନ ଓ ବିଶ୍ଳେଷଣ କାଲେ ଓଡିଆ ଭାଷା ଓ ଓଡିଶୀ ସଙ୍ଗୀତ ଯେ ଶାସ୍ତ୍ରୀୟ ତାହା ସହଜରେ ହୃଦୟଙ୍ଗମ କରି ହେବ ।