ଜାଣନ୍ତୁ କିପରି କରିବେ ଟିସୁ କଲଚର ପ୍ରଣାଳୀରେ କଦଳୀ ଚାଷ

@_ustad
0

କଦଳୀ ଏକ ପୁଷ୍ଟିକାରକ ଓ ସୁସ୍ୱାଦୁ ଫଳ । କଦଳୀ ଉତ୍ପାଦନରେ ଆମ ଦେଶ ପୃଥିବୀରେ ପ୍ରଥମ । ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ବ୍ୟବସାୟିକ ଭିତ୍ତିରେ ଲାଭଜନକ ଭାବେ କଦଳୀ ଚାଷ କରାଗଲାଣି ଓ ଆହୁରି କରାଯାଇ ପାରିବ । 

ଜଳବାୟୁ ଓ ମୃତ୍ତିକା :-
ଉଷ୍ମ ଓ ଆଦ୍ର ଜଳବାୟୁ କଦଳୀ ଚାଷ ପାଇଁ ଉପଯୁକ୍ତ । ଉର୍ବର, ନିଗିଡ଼ା, ଗଭୀର ଦୋରସାରୁ ବାଲି ଦୋରସା ମାଟିରେ କଦଳୀ ଚାଷ ଲାଭଜନକ ଭାବେ କରାଯାଇ ପାରିବ ।
କିସମ :-
ଆମ ରାଜ୍ୟରେ ଉପକୂଳବର୍ତ୍ତି ଅଞ୍ଚଳ ମାନଙ୍କରେ ବନ୍ତଳ, ପାଟକପୁରା ଓ ଆଭ୍ୟନ୍ତରିଣ ଅଞ୍ଚଳ ମାନଙ୍କରେ ଗ୍ରାଣ୍ଡ-୯ କୁ ସଫଳତାର ସହିତ ଚାଷ କରାଯାଉଛି ।
ବଂଶ ବିସ୍ତାର :-
ପେଷି ପୋଷଣ ପଦ୍ଧତିରେ ପ୍ରସ୍ତୁତ ( ଟିସୁ କଲଚର ) ନିରୋଗ, ଏକ ମାସିଆ ( ୨୦ ରୁ ୩୦ ସେ.ମି. ଉଚ୍ଚ ) ଚାରା ସଂଗ୍ରହ କରନ୍ତୁ ।

ଟିସୁ କଲଚର କଦଳୀର ଗୁଣବତ୍ତା :-
୧- ସମାନ ଭାବରେ ବଢ଼ିଥାନ୍ତି ।
୨- ଶୀଘ୍ର ଶୀଘ୍ର ବଢ଼ିଥାନ୍ତି ।
୩- ପତ୍ର ଶୀଘ୍ର ବାହାରିଥାଏ ( ୬ ରୁ ୮ ଦିନରେ ଗୋଟିଏ )
୪- ଭଣ୍ଡା ଶୀଘ୍ର ଧରିଥାଏ ( ପୁଆ ଅପେକ୍ଷା ୨୦ ଦିନ ଆଗୁଆ )
୫- ଫଳ ଶୀଘ୍ର ଅମଳ ହୋଇଥାଏ ( ପୁଆ ଅପେକ୍ଷା ୩୫ ଦିନ ଆଗୁଆ )
୬- ନିରୋଗ ଚାରା ହେତୁ ନିରୋଗ ଫସଲ ମିଳିଥାଏ ।
୭- ଏକ ସମୟରେ ଅମଳ ହେଉଥିବାରୁ ବିକ୍ରି ପାଇଁ ସୁବିଧା ହୋଇଥାଏ ।
ଚାରା ଲଗାଇବାର ସମୟ :-
କଦଳୀ ଗୋଟିଏ ଫଳ ଯାହାକି ବର୍ଷସାରା ଫଳେ । ତେଣୁ ବ୍ୟବସାୟିକ ଭିତ୍ତିରେ ଥର ଥର କରି କଦଳୀ ଲଗାଇଲେ ବର୍ଷସାରା କଦଳୀ ମିଳିଥାଏ ।
ଜମି ପ୍ରସ୍ତୁତି :-
ପ୍ରଥମେ ଜମିକୁ ୨ ରୁ ୩ ଥର ହଳ କରି ମଧ୍ୟମ /ଡେଙ୍ଗା କିସମ ପାଇଁ ୨ ମିଟର ଏବଂ ବାମନ କିସମ ପାଇଁ ୧.୮ ମିଟର ବ୍ୟବଧାନରେ ୧.୫ ରୁ ୨ ଫୁଟ ଓସାର ଏବଂ ୯ ଇଞ୍ଚ ଉଚ୍ଚତାର ହିଡ଼ ଟେକାଯାଏ । ହିଡ଼ ମାଟି ସହିତ ଗଛ ପ୍ରତି ୨ ଝୁଡ଼ି ସଢ଼ା ଗବର ଖତ ବା କମ୍ପୋଷ୍ଟ ଓ ୨୫୦ ଗ୍ରାମ ଜୈବିକ ସାର/ପିଡ଼ିଆ ଓ ୨୫୦ ଗ୍ରାମ ସିଙ୍ଗିଲ ସୁପର ଫସଫେଟ ସାର ମିଶାଇ ଦିଅନ୍ତୁ । ହିଡ଼ ଉପରେ ନିର୍ଦିଷ୍ଟ ବ୍ୟବଧାନରେ ବୁନ୍ଦା ଜଳସେଚନ ପାଇଁ ନଳୀ ବିଛାଇ ମାଟି ଉପରେ ୫୦ ରୁ ୧୦୦ ଗେଜ ପଲିଥିନ ଘୋଡ଼ାଇ ଛାଦିକରଣ କରନ୍ତୁ । ପଲିଥିନର ତଳପଟ କଳା ଓ ଉପରପଟ ଧଳା ରଙ୍ଗ ହେଲେ ଅଧିକ ଉପକାର ମିଳିଥାଏ ।
ଲଗେଇବା ପ୍ରଣାଳୀ :-
କିସମ ଅନୁସାରେ ନିର୍ଦିଷ୍ଟ ବ୍ୟବଧାନରେ ପଲିଥିନ ଉପରେ କଣା କରି ପେଷୀ ପୋଷଣ ଚାରାକୁ ଗାତ ମଝିରେ ଲଗାଇ ଚାରି ପାଖରେ ମାଟି ଦିଅନ୍ତୁ । ଲଗାଇବା ସମୟରେ ଚାରାର ମାଟି ପିଣ୍ଡୁଳା ଭାଙ୍ଗିବା ଅନୁଚିତ । ଗଛଟି ଏପରି ଲଗାଇବେ ଯେପରି ଗଛର ମୂଳ ଭୂମି ପତନରେ ରହିବ ।

କଦଳୀ ଗଛ ଅଧିକ ପରିମାଣରେ ଖାଦ୍ୟସାର ବ୍ୟବହାର କରିଥାଏ । ଅଧିକ ଅମଳ ପାଇବା ପାଇଁ ଗୋଟିଏ କଦଳୀ ଗଛ ପିଛା ନିମ୍ନମତେ ସାର ପ୍ରୟୋଗ କରାଯାଏ  ।
ପ୍ରତି ସପ୍ତାହରେ ଗଛ ପ୍ରତି ସାରର ପରିମାଣ (ଗ୍ରାମରେ)


ଏଥି ସହିତ ଅଣୁସାର ଯଥା - ବୋରନ ଓ ଜିଙ୍କ ପ୍ରୟୋଗ କରିବା ଆବଶ୍ୟକ ।
ପରବର୍ତ୍ତି ଯତ୍ନ :-
ଗଛ ଲଗେଇବା ପରେ ଗଛ ମୂଳରୁ ଅନେକ ପୁଆ ବାହାରି ଥାଏ । ପ୍ରତି ଦେଢ଼ ମାସରେ ଥରେ ଏହି ପୁଆକୁ କନ୍ଦ ସହିତ ବାହାର କରାଯାଏ । ପୁଆକୁ କାଟି ପୁଆର ମଝି ଅଂଶରେ ୨-୪ ମି.ଲି. କିରୋସିନ ପକାଇ ଦେଲେ ପୁଆ ନଷ୍ଟ ହୋଇଥାଏ । ମୂଳି ଫସଲ କରୁଥିଲେ ଜମିର ଦୁଇ ତୃତୀୟାଂଶ ଗଛରେ କାନ୍ଧି ଆସିବା ସମୟରେ ପ୍ରତ୍ୟେକ ଗଛରେ ଗୋଟିଏ କରି ପୁଆ ବଢ଼ିବାକୁ ଦିଆଯାଏ । ଏହି ପୁଆ ଦେଢ଼ ରୁ ଦୁଇ ମାସ ହେଲେ ଏହାର ଅଗଟିକୁ କାଟି ଦେଲେ ଏହାର କନ୍ଦ ମୋଟା ହୁଏ । ଅଧିକ ପବନ ହେଉଥିବା ଅଞ୍ଚଳରେ କାନ୍ଧି ପଡ଼ିବା ମାତ୍ରେ ଗଛକୁ ଢେରା ଦେବା ଦରକାର । 
କାନ୍ଧି ପରିଚାଳନା :-
କାନ୍ଧି ସହିତ ଭଣ୍ଡା ଲାଗି ରହିଲେ କଦଳୀ ଛୋଟ ହୋଇଥାଏ । ତେଣୁ ଶେଷ ଫେଣା କଦଳୀ ବାହାରି ସାରିବା ପରେ ୨୦ ରୁ ୨୫ ସେ.ମି. ଛାଡ଼ି ଭଣ୍ଡାଟିକୁ କାଟି ଦିଆଯାଏ । ଭଣ୍ଡା କାଟିବା ପରେ କାଟିଥିବା ଅଂଶରେ ଖତସାର (୭.୫ ଗ୍ରାମ ୟୁରିଆ + ୭.୫ ଗ୍ରାମ ପଟାସିୟମ ସଲଫେଟ + ୧୦୦ ମି.ଲି. ପାଣି + ୫୦ ଗ୍ରାମ ସଦ୍ୟ ଗୋବର ) ମିଶ୍ରିତ ଜରିରେ ପୁରାଇ ବାନ୍ଧି ଦେଲେ କାନ୍ଧିର ଓଜନ ବଢ଼ିଥାଏ ।
ଆବଶ୍ୟକ ସହାୟତା ଯଥା - କଦଳୀ ଫସଲରେ କାନ୍ଧି ପରିଚାଳନା ଓ ରୋଗ ପୋକ ପରିଚାଳନା ପାଇଁ ନିକଟସ୍ଥ ଉଦ୍ୟାନ କୃଷି ଅଧିକାରୀ କିମ୍ବା କ୍ଷେତ୍ର କର୍ମଚାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । 

Post a Comment

0Comments

Post a Comment (0)